ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୮/୦୧/୨୪ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଅର୍ଚ୍ଚିତଗୁଡା ଗ୍ରାମ ରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଉମରକୋଟ ଥାନା ତାରାଯୋଡ଼ି ଗ୍ରାମ ର ସଦନ ସାନ୍ତା (୩୫) ବୋଲି ଜଣା ପଡିଛି।ଏ ନେଇ ମୃତକଙ୍କ ଭାଇ ଡାବୁଗାଁ ଥାନାରେ ଏତଲା ଦେବାପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି। ସୂଚନା ଅନୁଯାୟୀ ଉମରକୋଟ ଥାନା ତାରାଯୋଡି ଗ୍ରାମ ର ସଦନ ସାନ୍ତା (୩୫) ଏକ ବାଇକ୍ ନ ସିଜି ୨୭ ଏଲ ୩୭୬୧ ଯୋଗେ ନିଜ ଏକ ସମ୍ପର୍କୀୟ ଘର କୋଡି ଗାଁ କୁ ଗତକାଲି ଶନିବାର ସକାଳେ ଯାଇଥିଲେ । ସନ୍ଧ୍ୟାରେ କାର୍ଯ୍ୟ ସାରି ପୁଣି ନିଜ ଗ୍ରାମକୁ ଆସିବା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ଅର୍ଚ୍ଚିତଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ଗୋରୁ ସହ ଧକ୍କା ହୋଇଥିଲା। ସେଠାରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଏମ୍ବୁଳାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତ୍ର ରେ ସଦନ ସାନ୍ତା ର ମୃତ୍ୟୁ ଘଟିଥିଲା। ଆଜି ମୃତ ସଦନ ର ଭାଇ ଲଳିତ ସାନ୍ତା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ୨୭/୨୪ ରେ ମାମଲା ରୁଜୁ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା।