ପାରଳାଖେମୁଣ୍ଡି ବନଖଣ୍ଡର ପକ୍ଷୀ ଗଣନା କାର୍ଯ୍ୟକ୍ରମ : ସାତ ଗୋଟି ବନାଞ୍ଚଳ ରେ ୫୮ ଟି ପ୍ରଜାତିର ୯୩୫୩ ଟି ପକ୍ଷୀ ଚିହ୍ନଟ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ସାତ ଗୋଟି ବନାଞ୍ଚଳ ରେ ଚଳିତ ବର୍ଷ ଗଠିତ ହୋଇଥିବା ୪୨ଟି ପକ୍ଷୀ ଗଣନା ୟୁନିଟ ରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ସରିଯାଇଛି। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍. ଆନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା ଓ ଶ୍ରୀ ଅରୁଣ କୁମାର ସାହୁ ଙ୍କ ନେତୃତ୍ୱରେ ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ପକ୍ଷୀ ଗଣନା କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ବନଖଣ୍ଡ ଅଧିନରେ ଥିବା ସାତ ଗୋଟି ବନାଞ୍ଚଳ ଯଥା ଚନ୍ଦ୍ରଗିରି , ମହେନ୍ଦ୍ର , କାଶୀନଗର , ମୋହନା , ରାମଗିରି , ରା.ଉଦୟଗିରି ଓ ଦେବଗିରି ରେଞ୍ଜର ୪୨ ଟି ୟୁନିଟରେ ଥିବା ବନ୍ଧ , ନାଳ , ପୋଖରୀ , ୱାଟର-ବଡି , ଡ୍ୟାମ , ଜଳଭଣ୍ଡାର , ସାଗର , କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳ , ଜଳପ୍ରପାତ ଓ ଓଦାଳିଆ ଜମି ପ୍ରଭୃତି ଅଞ୍ଚଳରେ ଚିହ୍ନଟ ଓ ଗଣନା କରାଯାଇଥିଲା। ଏହି ପକ୍ଷୀ ଚିହ୍ନଟ ଓ ଗଣନା କାର୍ଯ୍ୟକ୍ରମ ବେଳେ ଚଳିତ ବର୍ଷ ଯଥା ୨୦୨୪ ବର୍ଷ ନିମନ୍ତେ ମୋଟ ୪୨ଟି ୟୁନିଟରେ ୫୮ ଟି ପ୍ରଜାତିର ସମୁଦାୟ ୯୩୫୩ ଟି ପକ୍ଷୀ ଉପରୋକ୍ତ ଅଞ୍ଚଳକୁ ଆସିଥିବା ଜଣା ପଡିଛି। ଚିହ୍ନଟ ଓ ଗଣନା କାର୍ଯ୍ୟକ୍ରମ ବେଳେ ଦେଖା ଯାଇଥିବା ଏହି ୫୮ଟି ପ୍ରଜାତିର ପକ୍ଷୀ ମାନଙ୍କ ମଧ୍ୟରେ ମୁଖ୍ୟତଃ କିଲିଚିଆ ବଗ , ପାଣିକୁଆ , କଣ୍ଟି ବଗ , ହଂଶରାଳି , ପାଣି କୁକୁଡ଼ା , ସରାଳି , ଦଳ ଖୁମ୍ପି ,ଗାଇୟା ବଗ , କାନ୍ତି ବଗ, ଖପରା ଖାଇ , ଗେଣ୍ଡି ପକ୍ଷୀ ପ୍ରଭୃତି ଅନ୍ତର୍ଭୁକ୍ତ। ସେହିଭଳି ଶତାଧିକ ସଂଖ୍ୟାରେ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ ମାନଙ୍କ ବି ଆଗମନ ହୋଇଥିଲାI ଅଧିକାଂଶରେ ଚଳିତ ଥର ଦେବଗିରି ରେଞ୍ଜ ର ଗଜପତି ସାଗର ଅଞ୍ଚଳରେ ୨୬୬୦ ଟି ବିଭିନ୍ନ ପ୍ରଜାତିର ପକ୍ଷୀ ଗଣନା ବେଳେ ଦେଖାଯାଇଥିଲା।
ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ସାତ ଗୋଟି ବନାଞ୍ଚଳ ର ୪୨ ଟି ୟୁନିଟ ପାଇଁ ୨୦୦ ରୁ ଅଧିକ ବନ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହୋଇଥିବାର ଜଣା ଯାଇଛି। କିଛି ବର୍ଷ ହେଲା ଉପରୋକ୍ତ ବିଭିନ୍ନ ଜଳାଶୟ ମାନଙ୍କରେ ରାଜ୍ୟ ଓ ରାଜ୍ୟ ବାହାର ସମେତ ବିଦେଶୀ ପକ୍ଷୀ ମାନଙ୍କ ଆଗମନ ହେଉଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ , ଜିଲ୍ଲାର ପାହାଡ ପର୍ବତ ଘେର ମଧ୍ୟରେ ଥିବା ଏହି ଉପରୋକ୍ତ ଜଳାଶୟ ମାନଙ୍କ ମଧୁର ଜଳ ସହିତ ଏଠାକାର ଅନୁକୂଳ ପରିବେଶ ଯୋଗୁଁ ରାଜ୍ୟ ବାହାର ଓ ବିଦେଶୀ ପକ୍ଷୀ ମାନଙ୍କୁ ଏହା ଆକୃଷ୍ଟ କରୁଥିବା ଜଣାଯାଇଛି। ଏତଦ୍ ବ୍ୟତୀତ ଏ ଅଞ୍ଚଳ ମାନଙ୍କରେ ସେହି ପକ୍ଷୀ ମାନଙ୍କ ପାଇଁ ପ୍ରାକୃତିକ ଖାଦ୍ୟ ପ୍ରଚୁର ପରିମାଣର ଉପଲବ୍ଧ ହେଉଥିବା କାରଣରୁ ଏଠାକୁ ବହୁ ସଂଖ୍ୟାରେ ଏହି ପକ୍ଷୀ ମାନଙ୍କ ଆଗମନ ହେଉଥିବା ଜଣାଯାଇଛି।