୪ ଲକ୍ଷ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ଜେଲ୍ ଗଲେ ୨ ଅଭିଯୁକ୍ତ, ଜଣେ ଫେରାର୍

0

ଜଗତସିଂହପୁର,ତା-୦୮.୦୧.୨୦୨୪/ସୁମନ୍ତ କୁମାର ଦାସ: ଆଳିପିଙ୍ଗଳ ସ୍ଥିତ କଳ୍ପନା ଗ୍ୟାସ୍ ଏଜେନ୍ସିର ମାଲିକ କୁତାମ କିଶୋର ସର୍ଜନ ସିଂହଙ୍କ ଠାରୁ ନଗଦ ୩ ଲକ୍ଷ ୮୫ ହଜାର ଟଙ୍କା ଝାମ୍ପି ନିଆଯିବା ଘଟଣାର ପର୍ଦ୍ଦାଫାସ୍ କରିଛି ଜଗତସିଂହପୁର ପୁଲିସ। ମାମଲାର ତଦନ୍ତକାରୀ ପୁଲିସ ଅଫିସର ଶୁଭ୍ରଜିତ୍ ଦାସ ତନାଘନା କରି ଏହି ଏକ ଲୁଟ୍‌ପାଟ୍ ଘଟଣାରେ କଟକ ନିଆଳି ସୁଆଁଲୋ ଗ୍ରାମର ସନ୍ତୋଷ ପାତ୍ର ଓରଫ ସନ୍ତୁ(୩୬) ଓ ନିଆଳି ଶଗଡାଇଲୋ ଗ୍ରାମର ସରୋଜ କୁମାର ମଲ୍ଲିକ ଓରଫ ଯିଶୁ (୩୨)ଙ୍କୁ ଗିରଫ କରିଛନ୍ତି। ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ଜେଲ୍ ହାଜତକୁ ପଠାଇଦିଆଯାଇଛି। ଏମାନଙ୍କ ଠାରୁ ଏକ ବାଇକ୍, ପିସ୍ତଲ, ମୋବାଇଲ ଫୋନ୍ ସହ ନଗଦ ୧ ଲକ୍ଷ ୧୦ ହଜାର ଟଙ୍କା ଜବତ କରାଯାଇଥିବା ଜଣାଇଛନ୍ତି ଜଗତସିଂହପୁର ଥାନାଧିକାରୀ ଗୋକୁଳ ରଞ୍ଜନ ଦାସ । ଉକ୍ତ ମାମଲାରେ ଅନ୍ୟ ଜଣେ ଫେରାର ରହିଥିବା ଜଣାପଡ଼ିଛି। ଲୁଟ୍ ପରେ ଏମାନେ ପରସ୍ପର ଭିତରେ ଟଙ୍କାକୁ ଭାଗ କରି ନେଇ ଯାଇଥିଲେ । ତତ୍‌ସହିତ କିଛି ଅର୍ଥକୁ ରଙ୍ଗୀନ ରାଉଜରେ ଭଡ଼ାଇ ଦେଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଗତ ଡିସେମ୍ବର ମାସ ୧୨ ତାରିଖ ରାତିରେ ଓଡ଼ିଶାଗଡ଼ ସ୍ଥିତ ଘରକୁ ଫେରିବା ସମୟରେ ଲୁଟ୍‌ର ଶିକାର ହୋଇଥିଲେ କୁତାମ କିଶୋର ସର୍ଜନ ସିଂ। ଉକ୍ତ ଦିନ ନିଜର ଗ୍ୟାସ ଏଜେନ୍ସିରୁ ନଗଦ ୩ ଲକ୍ଷ ୮୫ ହଜାର ଟଙ୍କା ଧରି ସେ ଘରକୁ ଫେରୁଥିଲେ। ଲୁଟ୍ ପୂର୍ବରୁ ରେକି କରିଥିଲେ ଅଭିଯୁକ୍ତ ସରୋଜ କୁମାର ମଲ୍ଲିକ । ସରୋଜ ମଧ୍ୟ ଏହି ଗ୍ୟାସ ଏଜେନ୍ସୀର ଜଣେ କର୍ମଚାରୀ। କିନ୍ତୁ ବିଶ୍ଵାସଘାତକତା କରି ସରୋଜ ପ୍ରଥମେ ନିଜ ଗ୍ରାମର ଜଣେ ବନ୍ଧୁ (ଯିଏକି ଏବେ ଫେରାର)ଙ୍କ ସହ ଲୁଟ୍‌କୁ ନେଇ ଯୋଜନା କରିଥିଲେ । ପରେ ଫେରାର ଯୁବକ ଏଥିରେ ସନ୍ତୋଷଙ୍କୁ ସାମିଲ କରିଥିଲେ। ସନ୍ତୋଷ ଜଣେ ଭେଟେରାନ୍ ଅଭିଯୁକ୍ତ। ପୁଲିସ ରେକର୍ଡ଼ରେ ତା’ର ନାମରେ ପାଖାପାଖି ପାଖି ୨୧ ମାମଲା ରୁଜୁ ରହିଛି। ସନ୍ତୋଷକୁ ପୁଲିସ ମଧ୍ୟ ପୂର୍ବରୁ ଏନ୍‌କାଉଣ୍ଟର କରିଥିଲେ । ଗତ ନଭେମ୍ବର ୨୬ ତାରିଖରେ ସନ୍ତୋଷ ଜେଲରୁ ମୁକୁଳିଥିଲେ l ତଥାପି ଏହି ଲୁଟ୍‌ରେ ସେ ସାମିଲ ହୋଇଥିଲେ। ସେଦିନ ଆଶ୍ରମପାଟଣା କାଠପୋଲ ନିକଟରେ କୁତାମ କିଶୋରଙ୍କୁ ସନ୍ତୋଷ ଓ ତା’ର ସହଯୋଗୀ ପିସ୍ତଲ ଦେଖାଇ ଭୟଭୀତ କରିବା ସହ ଉକ୍ତ ଟଙ୍କାକୁ ଲୁଟି ନେଇ ବାଇକ୍‌ରେ ଖସି ଯାଇଥିଲେ। କୁତାମ କିଶୋର ଟଙ୍କା ଧରି ଗ୍ୟାସ୍ ଏଜେନ୍ସୀରୁ ବାହାରିବା ମାତ୍ରେ ସରୋଜ ହିଁ ଫୋନ୍‌ରେ ଦୁଇ ଅଭିଯୁକ୍ତଙ୍କୁ ଅବଗତ କରିଥିଲେ। ତତ୍କାଳ ସେମାନେ ବାଇକ୍ରେ ସିଠାଳୁ ପଟୁ ଛୁଟି ଆସିଥିଲେ। ଗତ ଡିସେମ୍ବର ୧୩ ତାରିଖରେ ଲୁଟ୍ ସଂପର୍କରେ ଏତଲା ହେବାପରେ ଏସ୍‌ପି ରାହୁଲ ପିଆରଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ପୁଲିସ୍ ଟିମ୍ ଗଠନ ହୋଇଥିଲା । ଛାନ୍‌ ଭିନ୍‌କୁ ଜୋରଦାର କରି ପୁଲିସ ଦଳ କଟକ, ଭୁବନେଶ୍ୱରର କେତେକ ଜାଗାରେ ଚଢ଼ଉ କରିଥିଲେ। ପ୍ରଥମେ ସନ୍ତୋଷ ପୁଲିସ ପଞ୍ଜାକୁ ଆସିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.