ଭୁବନେଶ୍ୱର, ତା.୦୭.୦୧ : “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ଓଡ଼ିଆଙ୍କ ଉପରେ ଭାରି ପଡ଼ୁଛନ୍ତି ଅଣଓଡ଼ିଆ | ଓଡ଼ିଆଙ୍କ ପାଇଁ ଓଡ଼ିଶା, ଓଡ଼ିଆଙ୍କ ଓଡ଼ିଶା ଓ ଓଡ଼ିଆଙ୍କ ଦ୍ୱାରା ହିଁ ଓଡ଼ିଶା । କିନ୍ତୁ ଦୁର୍ଭାଗ୍ୟ… ରାଜନୀତି, ବ୍ୟବସାୟ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଯେତେବେଳେ ବଡ଼ ଠିକା କାମ ସବୁ ଅଣଓଡ଼ିଆଙ୍କୁ ଦିଆଯାଉଛି । କାହିଁକି ଓଡ଼ିଶା ସରକାରଙ୍କର ଏ ନିଷ୍ପତି? ଓଡ଼ିଶାରେ କ’ଣ କୁଶଳୀ ଠିକାଦାର ନାହାନ୍ତି? ଓଡ଼ିଆଙ୍କ ପ୍ରତି ଏତେ ବିଦ୍ବେଷ କାହିଁକି?” ବୋଲି ପ୍ରଦେଶ କଂଗ୍ରେସ କମିଟି ତରଫରୁ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ପ୍ରଶ୍ନ କରିଛନ୍ତି |
ଡ. କୁମାର ଅଭିଯୋଗ କରିଥିଲେ ଯେ ବିଜେଡ଼ି ଓ ବିଜେପି ଯୁଗଳ ବନ୍ଦି । ଦୁହିଁଙ୍କ ଭିତରେ ଅଲିକ୍ଷିତ ରାଜିରାମା ହୋଇଛି । ବିଶ୍ୱସ୍ଥ ସୂତ୍ରରୁ ମିଳୁଥିବା ତଥ୍ୟ ଅନୁସାରେ ଆଗାମୀ ଲୋକସଭା ନିର୍ବାଚନରେ ଏହି ଦୁଇ ଦଳ ପରସ୍ପରକୁ ସାହାଯ୍ୟ କରିବେ । ବିଜେପି ୧୫ ଲୋକସଭା ଆସନରେ ଓ ବିଜେଡ଼ି ୬ ଲୋକସଭା ଆସନରେ ଲଢ଼ିବା ପ୍ରାୟ ଚୁଡାନ୍ତ ହେବାକୁ ଯାଉଛି । ନବୀନ ଶାସନର ଆଉ ଏକ ବିଲକ୍ଷଣ ହେଲା ବାବୁରାଜ । ଅମଲାମାନେ ସର୍ବଶକ୍ତି ହୋଇପଡ଼ୁଛନ୍ତି । ସରକାରଙ୍କ ସବୁ ନୀତି ଓ ନିଷ୍ପତି ସେମାନେ ନେଉଛନ୍ତି । ମନ୍ତ୍ରୀମାନେ ସଖି କଣ୍ଢେଇ ସାଜି ଅମଲାଙ୍କ କଥାରେ ହଁ ମାରୁଛନ୍ତି । ବିଧାୟକ ଓ ସାଂସଦମାନେ ଅତ୍ୟନ୍ତ ଅସହାୟ ମନେକରୁଛନ୍ତି । ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ସମେତ ଲୋକ ପ୍ରତିନିଧିମାନେ କହିପାରୁନାହାନ୍ତି କି ସହିପାରୁନାହାନ୍ତି । ଏଭଳି ଦୟନୀୟସ୍ଥିତି ଅତୀତରେ କେବେ ଓଡ଼ିଶାବାସୀ କୌଣସି ସରକାର ଅମଳରେ ଅନୁଭବ କରିନଥିଲେ । ଯୁଗଳବନ୍ଦୀ ହେତୁ କେନ୍ଦ୍ର ସରକାରଙ୍କର ପ୍ରମୁଖ ଆୟୁଧ ସାଜିଥିବା ଇଡ଼ି, ଆଇ.ଟି.ଓ ସିବିଆଇ ଓଡ଼ିଶା ମାଟି ମାଡ଼ୁନାହିଁ କାହିଁକି? ଓଡ଼ିଶାରେ କ’ଣ ରାମରାଜ୍ୟ ଚାଲିଛି କି?
ସେ ପ୍ରଶ୍ନ କରିଥିଲେ ଯେ କାହିଁକି ଧାନର ଦର କୁଇଂଟାଲ ପିଛା କୌଣସି ରାଜ୍ୟ ଛତିଶଗଡ଼ରେ ଟ. ୩୧୦୦ ଟଙ୍କା ଥିଲାବେଳେ ଓଡ଼ିଶାରେ ଟ.୨୧୮୦ ଟଙ୍କା ରହିଛି? କାହିଁକି ଭାରତ ବର୍ଷର ସବୁରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାରେ ଦାଦନ ମାନଙ୍କ ସଂଖ୍ୟା ସର୍ବାଧିକ? କାହିଁକି ଓଡ଼ିଶା ବେକାରୀ ସମସ୍ୟା ଏତେ ଉତ୍କଟ? କାହିଁକି ଖାଲି ପଡ଼ିଛି ୨ ଲକ୍ଷ ୩୬ ହଜାର ସରକାରୀ ପଦବୀ । ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ ନବୀନ ସରକାର ଦୁର୍ନୀତିରେ ଉବୁଟୁବୁ ହେଉଛି । ଖଣି ଦୁର୍ନୀତି, ଡାଲି ଦୁର୍ନୀତି ଓ ଚିଟ୍ଫଣ୍ଡ ଦୁର୍ନୀତି ଆଦି ଅନେକ ଦୁର୍ନୀତିରେ ଏ ସରକାର ଲିପ୍ତ । ଏହା କ’ଣ ବିକାଶର ନମୁନା! ସୁତରାଂ ନବୀନ ମଡ଼େଲର ପରିବର୍ତନ ପାଇଁ ସେ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ?
ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଭାଷଣ ରଖି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଲେ ଯେ ନବୀନ ପଟ୍ଟନାୟକଙ୍କ କୁଶାସନରେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ମହିଳା, କୃଷକ, ଯୁବକ, ଛାତ୍ର, ଏସ୍,ଏସ୍ଟି ଏବଂ ଓବିସି ବର୍ଗ ଆଜି ଉପେକ୍ଷିତ ଓ ନିଯ୍ୟାତିତ । ସୁତରାଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଓ ଡ. ଅଜୟ କୁମାରଙ୍କ ମାର୍ଗଦର୍ଶନରେ କଂଗ୍ରେସ କ୍ଷମତାସୀନ ହେବ ଓ ବିଧାନସଭାରେ ଆସନ ସଂଖ୍ୟା ୯ ରୁ ୯୦ ଛୁଇଁବ । ଲୋକସଭାରେ ମଧ୍ୟ ଅନୁରୂପ ସଫଳତା ମିଳିବ ବୋଲି ଶ୍ରୀ ପଟ୍ଟନାୟକ ଦମ୍ଭତି ପ୍ରକାଶ କରିଥିଲେ ।
ଗଣମାଧ୍ୟମ ବିଭାଗ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ପୌରହିତ କରି ପ୍ରଭାରୀ ଡ. ଅଜୟ କୁମାର ଏଆଇସିସି ଗଣମାଧ୍ୟମ ସଂଯୋଜୀକା ଶ୍ରୀ ବବିତା ଶର୍ମାଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିିସି ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ, ଇସ୍ଥାହାର କମିଟି ଅଧ୍ୟକ୍ଷ ପଂଚାନନ କାନୁନ୍ଗୋ ଓ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନିପତି ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post