ଭୁବନେଶ୍ୱର,: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି ଏସ୍ କେ ୱାଇ) କାର୍ଡ ଗରିବର ସାଥି ଓ ସାହାରା ସାଜିଛି । ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ସୋର ବ୍ଲକ ଅନନ୍ତପୁର ଗ୍ରାମର ମହିଳା ଭାରତୀ ଜେନା ଗୁରୁତର ରୋଗରେ ପୀଡ଼ିତ ହୋଇଥିବା ବିଷୟ ଗଣମଧ୍ୟମରୁ ଜାଣିବା ମାତ୍ରେ ରାଜ୍ୟ ବି ଏସ୍ କେ ୱାଇ ଟିମ ତରଫରୁ ତାଙ୍କର ସହାୟତା ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ।
ସ୍ଥିତି ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ୩୧ ବର୍ଷ ବୟସ୍କ ଭାରତୀ ଜେନା କ୍ୟାନସର ଆକ୍ରାନ୍ତ ହୋଇଛନ୍ତି । ଇତି ମଧ୍ୟରେ ତାଙ୍କର ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ସହ ଚିକିତ୍ସା ଆରମ୍ଭ କରାଯାଇଛି । ଭାରତୀଙ୍କୁ ୦୨୧୨୦୧୧୧୩୫୩ ନମ୍ବର କାର୍ଡ଼ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି ଏସ୍ କେ ୱାଇ)ରେ ସାମିଲ କରାଯାଇଛି । ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଏହି କାର୍ଡ ମାଧ୍ୟମରେ ଭରଣା କରୁଛନ୍ତି ।
ବର୍ତ୍ତମାନ ଭାରତୀ କଟକ ଜିଲ୍ଲା ତେଲେଙ୍ଗାପେଣ୍ଠ ସ୍ଥିତ ପଣ୍ଡା କ୍ୟୁରି କ୍ୟାନସର ହସ୍ପିଟାଲରେ କେମୋଥେରାପି ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଚିକିତ୍ସା ନେଉଛନ୍ତି । ସେ ଏହି ଦୂରାରୋଗରୁ ଆରୋଗ୍ୟ ଲାଭ କରିବେ ବୋଲି ତାଙ୍କର ପରିବାର ଓ ଆତ୍ମୀୟ ସ୍ଵଜନମାନେ ଆଶା ପ୍ରକାଶ କରିବା ସହ ବିପଦ ବେଳେ ସଠିକ ଭାବେ ବି ଏସ୍ କେ ୱାଇ ସାହାଯ୍ୟ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ତାଙ୍କର ଦୁଖକଥା ସକାରାତ୍ମକ ଭାବେ ଦୃଷ୍ଟିକୁ ଆଣିଥିବାରୁ ରାଜ୍ୟ ବି ଏସ୍ କେ ୱାଇ ଟିମ ଗଣମାଧ୍ୟମଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.