ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗତ ପାଞ୍ଚଦିନ ଧରି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟରେ ଚାଲିଥିବା ନୟାଗଡ଼ ନାଟକ ମହୋତ୍ସବର ପଞ୍ଚମ ସଂଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସୁଧା ସାଂସ୍କୃତିକ ଅନୁଷ୍ଠାନ,ନୟାଗଡର ନାଟକ ଭିନ୍ନ ଏକ ରାଗିଣୀ । ଜଣେ ଯୁବକର ସ୍ୱପ୍ନ, ଆଇ. ଏ. ଏସ. ହେବାର ସଂକଳ୍ପ କେମିତି ସମାଜର ବିଭିନ୍ନ ଘଟଣା ପ୍ରବାହରେ ବାଧାପ୍ରାପ୍ତ ହୋଇଛି ଏମିତି ଏକ ରୋଚକ ଘଟଣାକୁ ନେଇ ଗତିଶୀଳ ନାଟକ ଭିନ୍ନ ଏକ ରାଗିଣୀ।ନାଟକ ରଚନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ ନାଟ୍ୟକାର ଡ. ଆଶୁତୋଷ ମିଶ୍ର । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ ବି.ଡି.ଓ ପଦ୍ମ ଚରଣ ସାହୁ, ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ନାଟ୍ୟକାର ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ର ଯୋଗଦେଇ ନୟାଗଡରେ ନାଟକର ସମୃଦ୍ଧି ପାଇଁ ଏମିତି ନାଟ୍ୟ ମହୋତ୍ସବର ଆୟୋଜନ ଉପରେ ଗୁରୁତ୍ବ ଦେଇଥିବା ବେଳେ ଏ଼ହା ମଂଚ ନାଟକ କ୍ଷେତ୍ରରେ ଯୁବପିଢ଼ିଙ୍କୁ ଆକର୍ଷିତ କରିବ ବୋଲି ମତବ୍ୟକ୍ତ କରିଥିଲେ। । ଏହି ଅବସରରେ ଓଡିଶାର ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ତଥା ଶ୍ୱେତପଦ୍ମାର ଅଧ୍ୟକ୍ଷ ପ୍ରଦୀପ କୁମାର ବିଶ୍ବାଳ, ବ୍ରହ୍ମପୁରର ବିଶିଷ୍ଟ ନାଟ୍ୟ ସଂଗଠକ, ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀର ସାଧାରଣ ପରିଷଦ ସଦସ୍ୟ ଅନୀଲ ପାତ୍ର, ନୟାଗଡର ଯୁବ ଅଭିନେତା ରାକେଶ କୁମାର ଦାସଙ୍କୁ ମଂଚାୟନ ନାଟକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୫ ଦିନ ଧରି ନାଟକ ଦେଖୁଥିବା ଜଣେ ଦର୍ଶକ ନିରଞ୍ଜନ ନାୟକ ଉଚ୍ଚ କୋଟୀର ନାଟକ ପରିବେଷଣ ହୋଇଥିବାରୁ ପ୍ରତି ନାଟକର ନିର୍ଦ୍ଦେଶକଙ୍କୁ ଉତ୍ତରୀୟ ତଥା ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ।କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ମଂଚାୟନର ଉପସଭାପତି ସୁରେନ୍ଦ୍ର କୁମାର ସାହୁ ଓ କବି ଗୋପୀନାଥ ସେଠୀ। ଅତିଥିମାନଙ୍କୁ ସ୍ବାଗତ କରିଥିଲେ ମଂଚାୟନର ସଭାପତି ସଭାପତି ଯାମିନୀ କାନ୍ତ ମିଶ୍ର ଏବଂ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.