ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଆରମ୍ଭ

0
  • ପ୍ରଥମ ଦିବସରେ ପୁରୀ, କେଉଁଝର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବିତରଣ

  • ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପୁସ୍ତକ ବଣ୍ଟନ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ପାଠ୍ୟଖସଡ଼ା ଅନୁଯାୟୀ ଜାତୀୟକରଣ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ, ଭୁବନେଶ୍ୱର ନିର୍ଦ୍ଦେଶାଳୟଠାରେ ରାଜ୍ୟର ସମସ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ.ଏସ୍ଙ୍କ ତତ୍ତ୍ୱାବଧାନରେ ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଆଜି ଶୁଭାରମ୍ଭ ହୋଇଛି ।

ପ୍ରଥମ ଦିବସରେ ରାଜ୍ୟର ୫ ଗୋଟି ଜିଲ୍ଲା ଯଥା: ପୁରୀ, କେଉଁଝର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁରରେ ପୁସ୍ତକ ବିତରଣ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ ୨୮୦୦୦ ଖଣ୍ଡ ପାଠ୍ୟପୁସ୍ତକ ବିତରଣ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ମୋଟ ୩୧୪ ବ୍ଲକ୍ର ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କରାଯିବ, ତତ୍ସହିତ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ବର୍ଷ ଜାତୀୟକରଣ ପାଠ୍ୟପୁସ୍ତକ ମାଗଣାରେ ବିତରଣ କରାଯିବା ଚଳିତ ବର୍ଷ ମୋଟ ୨.୫ କୋଟି ପାଠ୍ୟପୁସ୍ତକ, ୫ କୋଟି କାର୍ଯ୍ୟପୁସ୍ତିକା ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ବିତରଣ କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଅଛି ।

ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଭୁବନେଶ୍ୱର(ମଧ୍ୟ), ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଶ୍ରୀ ଅନୁପମ ସାହା, ରାଜ୍ୟ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍. ଆୟାରଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ

Leave A Reply

Your email address will not be published.