ଉତ୍ତରକାଶୀ ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକ ଉଦ୍ଧାର
ଉତ୍ତରକାଶୀ : ଉତ୍ତରକାଶୀ ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକ ଉଦ୍ଧାର ହୋଇଛନ୍ତି । ପ୍ରତୀକ୍ଷାର ଅନ୍ତ ଘଟିଲା ଓ ଦୀର୍ଘ ୧୭ ଦିନର କସରତ ପରେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଛନ୍ତି ଶ୍ରମିକ ମାନେ | ପ୍ରଥମେ ଅସୁସ୍ଥ ଓ ବୟସ୍କ ଶ୍ରମିକଙ୍କୁ କରାଯାଇଥିବା ବେଳେ ପରେ ପରେ ଅନ୍ୟମାନଙ୍କୁ ଜଣକ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଦଳ | ପାଇପ ଯୋଗେ ସମସ୍ତଙ୍କୁ ବାହାର କରାଯାଇଛି ଟନେଲରୁ । ଏହାପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି।
ରେସ୍କ୍ୟୁ ଟିମ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ପାଞ୍ଚ ଜଣ ଓଡ଼ିଆ। ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହେବା ପରେ ପରିବାର ବର୍ଗ ଖୁସି ବ୍ୟକ୍ତ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହେବା ଖବର ଶୁଣି ମୋତେ ବହୁତ ଖୁସି ଲାଗିଲା । ଆମ ଲୋକମାନେ ସୁରକ୍ଷିତ ଘରକୁ ଫେରିବ । ଏଥିପାଇଁ ଉତ୍ତରାଖଣ୍ଡ ସରକାର, ଏନଡିଆରଏଫ୍ ଓ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଉଛି ।
ଟନେଲରୁ ଓଡ଼ିଶାର ସମସ୍ତ ୫ ଜଣ ଉଦ୍ଧାର ହେବା ପରେ ସେମାନଙ୍କ ପରିବାରକୁ ଫୋନ ମାଧ୍ୟମରେ ସୂଚନା ଦିଆଯାଇଛି। ମୟୂରଭଂଜ ବାଙ୍ଗିରିପୋଷି ଅଞ୍ଚଳର ଧୀରେନ ନାଏକ, ରାଜୁ ନାଏକ ଏବଂ ବିଶ୍ବେଶ୍ବର ନାଏକ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଂଚଳର ଭଗବାନ ଭତ୍ରା। ସେହିପରି ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ ଉଦ୍ଧାର ହୋଇଛନ୍ତି। ଏହି ଖୁସି ଖବର ପାଇବା ପରେ ପାଞ୍ଚ ଜଣକ ପରିବାରରେ ଖୁସି ଲହରି ଖେଳିଯାଇଥିଲା। ବାଣ ଫୁଟାଇ ନାଚ ଗୀତ କରି ସେମାନେ ଖୁସି ବ୍ୟକ୍ତି କରିଥିଲେ।