ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୨୧ ଜଣ ଶ୍ରମିକଙ୍କ ମଧ୍ୟରୁ ୫ଜଣ ଭାରତ ଫେରୁଛନ୍ତି ଓ ଅନ୍ୟ ୧୬ ଜଣ ପର୍ଯ୍ୟାୟକ୍ରମେ ଭାରତ ଫେରିବେ ବୋଲି ଦୂତାବାସ ପକ୍ଷରୁ ସୂଚନା ମିଳିଛି | ଗବୋନରେ ଫସିଥିବା ୨୧ଜଣ ଶ୍ରମିକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଶ୍ରୀ ପଣ୍ଡା ଚଳିତ ମାସ ୧୪ ତାରିଖରେ ଏକ ଚିଠି ଲେଖି ନିବେଦନ କରିଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ଓଡିଶାର କେନ୍ଦ୍ରାପଡା ଜିଲ୍ଲା ଅର୍ନ୍ତଗତ ଆଳି ନିର୍ବାଚନ ମଣ୍ଡଳୀର ୧୧ ଜଣଙ୍କ ସମେତ ଭଦ୍ରକ- ୨, ଢେଙ୍କାନାଳ- ୧ ଓ ଅନ୍ୟ ରାଜ୍ୟରୁ ୭ଜଣ ଶ୍ରମିକ ଅଧିକ ରୋଜଗାର ଆଶାରେ ଏକ ଏଜେଣ୍ଟଙ୍କ ଜରିଆରେ ଗବୋନ ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ କମ୍ପାନୀ କତ୍ତୃପକ୍ଷ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ କରୁଥିବା ଏକ ଭିଡିଓ ବାର୍ତ୍ତାରେ ପରିବାର ଲୋକଙ୍କୁ ଜଣାଇଥିଲେ। ଉପାୟଶୂନ୍ୟ ହୋଇ ପରିବାର ଲୋକ ବୈଜୟନ୍ତ ପଣ୍ଡାଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ।ଦୂତାବାସ ସୂଚନା ଅନୁସାରେ ଆଜି ୫ଜଣଙ୍କ ସମେତ କେନ୍ଦ୍ରାପଡାର ପଦ୍ମନାଭ ଲେଙ୍କା ଗବୋନରୁ ବିମାନ ଯୋଗେ ଭାରତ ଅଭିମୁଖେ ଯାତ୍ରା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.