ଜନଜାତି ସଂସ୍କୃତିକୁ ସମୃଦ୍ଧ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର, 15 ନଭେମ୍ବର 2023 : ଆମ ଜନଜାତି ସଂସ୍କୃତି ବହୁତ ସୁନ୍ଦର । ଏହା ଆମ ଦେଶ ଆମ ରାଜ୍ୟର ସଂସ୍କୃତିକୁ ଉଜ୍ଜୀବିତ କରିପାରିଛି । ଆମ ବିକାଶରେ ସଂସ୍କୃତିର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ । ସଂସ୍କୃତିର ସୁରକ୍ଷା ବିନା ବିକାଶରେ ମହକ ଆସେ ନାହିଁ ।ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ଜନଜାତୀୟ ଗୌରବ ଦିବସ ଅବସରରେ 9 ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଜିଲ୍ଲାର ଜନଜାତି ଜନଜାତି ସାଂସ୍କୃତିକ ଦଳଗୁଡିକୁ ବାଦ୍ୟଯନ୍ତ୍ର ଏବଂ ନୃତ୍ୟ ପୋଷାକଓ ଆଭୂଷଣ ବଣ୍ଟନ କରାଯାଇଛି । ଏ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜନଜାତି ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକୁ ପ୍ରଶଂସା କରିବା ସହ ଅଧିକ ପ୍ରୋତ୍ସାହିତ କରିଛନ୍ତି ।
ଲୋକସଭା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ସୁନ୍ଦରଗଡ, ରାୟଗଡା, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, କେନ୍ଦୁଝର, କନ୍ଧମାଳ ଓ ଗଜପତିରୁ 27ଟି କଳାକାର ସଂଗଠନକୁ ସାମଗ୍ରୀ ବଣ୍ଟନ କରିଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା । ସମୁଦାୟ 1891 ଟି ଗାୟକ ଦଳକୁ 7 କୋଟି 49 ଲକ୍ଷ ଟଙ୍କାର ବାଦ୍ୟଯନ୍ତ୍ର ଓ 818 ଟି ନୃତ୍ୟ ଦଳ ପାଇଁ 11 କୋଟି 63 ଲକ୍ଷ ଟଙ୍କାର ପୋଷାକ ବଣ୍ଟନ କରାଯାଇଛି । ଏଥିରେ 2709 ଆଦିବାସୀ ଦଳର 67 ହଜାର 5 ଶହ ଆଦିବାସୀ ଉପକୃତ ହେବେ ।
କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଜନଜାତିଙ୍କ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର9 ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ବର୍ତ୍ତମାନ ଏଥିରେ 23ଟି ଜିଲ୍ଲା ସାମିଲ କରାଯାଇଛି । ଚଳିତ ବର୍ଷ ଏସଡିସିକୁ 376 କୋଟି ଟଙ୍କା ପ୍ରଦାନ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ 2023-24 ଆର୍ଥିକ ବର୍ଷରେ ଅତିରିକ୍ତ 175 କୋଟି 50 ଲକ୍ଷ ଟଙ୍କା ଯୋଗାଇ ଦେବାକୁ ଘୋଷଣା କରାଯାଇଛି । 60 ଟି ଆଦିବାସୀ ଜନଜାତି ସାଂସ୍କୃତିକ କ୍ଲବ ଗୁଡିକୁ ପ୍ରାୟ 3 ହଜାରରୁ ଅଧିକ ପୋଷାକ ଓ ବାଦ୍ୟଯନ୍ତ୍ର ଯୋଗାଇ ଦିଆଯାଇଛି । ଜନଜାତି କ୍ଲବ ଓ ସାଂସ୍କୃତିକ ଅନୁଷ୍ଠାନ ଏହାର ଉପଯୋଗ କରି ଆମ ସଂସ୍କୃତିର ପ୍ରଚାର ପ୍ରସାର କରି ଓଡିଶାର ଗୌରବକୁ ଆହୁରି ଆଗକୁ ବଢାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।
କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ସଂସ୍କୃତିର ସଂରକ୍ଷଣ ଓ ବିକାଶ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୂଳଲକ୍ଷ୍ୟ । କଳା ସଂସ୍କୃତି ଓ ପରମ୍ପରା ସହ ସାମୁହିକ ବିକାଶ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ । ଗାଁ-ଗାଁରେ ସଂସ୍କୃତିର ସୁରକ୍ଷା ସହ ଓ ଆଧୁନିକତାର ବିକାଶ କରି ଓଡିଶା ସଫଳତାର ଶିଖର ଛୁଇଁପାରିବ । ରାଜ୍ୟରେ 8 ହଜାର ପୀଠସ୍ଥଳୀର ସୁରକ୍ଷା ଓ ଉନ୍ନତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ସମ୍ପୃକ୍ତ ଜିଲ୍ଲାମାନଙ୍କରେ 1 ହଜାର ଜନଜାତି ସାଂସ୍କୃତିକ ସଂଘର କଳାକାରଙ୍କ ବିକାଶ ନିମନ୍ତେ ବାଦ୍ୟ ଯନ୍ତ୍ର, ପୋଷାକ ଓ ଆଭୂଷଣ ଯୋଗାଇ ଦିଆଯାଉଛି । ଯୁବପିଢିଙ୍କ ମଧ୍ୟରେ ଖେଳକୁଦ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ 2 ହଜାରରୁ ଅଧିକ ୟୁଥ୍ କ୍ଲବ ଚିହ୍ନଟ କରି ସେମାନଙ୍କୁ କ୍ରୀଡା ଉପକରଣ ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି ।
ଏହି ଅବସରରେ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ କହିଥିଲେ ଯେ, 2023-24 ସୁଦ୍ଧା ରାଜ୍ୟ ସରକାର 8 ହଜାରରୁ ଅଧିକ ପବିତ୍ର ଉପବନର ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟ ହାତକୁ ନେଇଛନ୍ତି । ବିଭାଗର ସହଭାଗିତାରେ ରାଜ୍ୟର ବିଭିନ୍ନ ଜନଜାତି ଗାଁରେ 2 ହଜାର 8 ଶହରୁ ଅଧିକ ସାଂସ୍କୃତିକ କ୍ଲବ ଗଠନ କରାଯାଇଛି । 12 ଶହରୁ ଅଧିକ ହାଟକୁ ସ୍ବତନ୍ତ୍ର ଉନ୍ନୟନ ପରିଷଦରୁ ପାଣ୍ଠି ପ୍ରଦାନ କରି ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି ।
କାର୍ଯ୍ୟକ୍ରମ ଶେଷରେ ଏସସିଏସଟିଆରଟିଆଇନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ଉପସ୍ଥିତ ସମସ୍ତ ଜନଜାତି କଳାକାରଙ୍କୁ ଶୁଭେଚ୍ଛା ଜଣାଇଥିଲେ ।