ସୁଧ ମୁକ୍ତ କୃଷିଋଣ ଯୋଜନା, ବିନା ଦେୟରେ ଫସଲ ବୀମା ପଞ୍ଜୀକରଣ ତଥା କୃଷିଜାତ ଦ୍ରବ୍ୟର ସଫଳ ବିପଣନ ସମବାୟ ମାଧ୍ୟମରେ ସୂଚାରୁ ରୂପେ କରିବା ପାଇଁ ମନ୍ତ୍ରୀ ଶ୍ରୀ ନାୟକଙ୍କ ଆହ୍ଵାନ
ଭୁବନେଶ୍ୱର : ସମବାୟ ବିଭାଗ, ଓଡିଶା ତରଫରୁ ଚଳିତ ବର୍ଷ ୭୦ ତମ ସମବାୟ ସପ୍ତାହ -୨୦୨୩ ଆଜି ଠାରୁ ଉତ୍କଳ ମଣ୍ଡପରେ ମହାସମାରୋହରେ ପାଳିତ ହେଉଛି ।ରାଜ୍ୟସ୍ତରୀୟ ସମବାୟ ସପ୍ତାହ ମହୋତ୍ସବ ପାଳନ ଅବସରରେ ଓଡିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମର ଶୁଭାରମ୍ଭ ଭାବରେ, ସର୍ବ ପ୍ରଥମେ ଏକ ଗଣଦୌଡ (Walkathon) ସକାଳ ୬.୩୦ ଘଟିକା ସମୟରେ, ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ଛକ ଠାରୁ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ, ମୁଖ୍ୟ କାର୍ଯ୍ୟ।ଳୟ, ପି. ଜେ. ଏନ୍. ମାର୍ଗ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ସେହିପରି ଆଜି ସନ୍ଧ୍ୟା ୫.୩୦ ଘଟିକା ଠାରୁ ୯.୦୦ ଘଟିକା ପର୍ଯ୍ୟନ୍ତ ଉତ୍କଳ ମଣ୍ଡପ, ଭୁବନେଶ୍ଵରରେ ରାଜ୍ୟସ୍ତରୀୟ ସମବାୟ ମହୋତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ , ମାନ୍ୟବର ମନ୍ତ୍ରୀ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ, ଉଚ୍ଚଶିକ୍ଷା ବିଭାଗ, ଓଡିଶା, ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ ତଥା ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ କମିଶନର ତଥା ଶାସନ ସଚିବ, ସମବାୟ ବିଭାଗ, ଓଡିଶା ସରକାର ଏହାର ପୌରହିତ୍ୟ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଅନନ୍ତ ନାରାୟଣ, ମାନ୍ୟବର ବିଧାୟକ, ଭୁବନେଶ୍ଵର (ମଧ୍ୟ) ତଥା ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା, ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ଉନ୍ନୟନ କମିଶନର , ଓଡିଶା ସରକାର ଯୋଗଦାନ ଦେଇଥିଲେ । ଅନ୍ୟ ସମ୍ମାନିତ ଅତିଥି ବୃନ୍ଦ ଭାବରେ ଡଃ ସୁଧାଂଶୁ କେ.କେ. ମିଶ୍ର, ମୁଖ୍ୟ ମହାପ୍ରବନ୍ଧକ , ନାବାର୍ଡ , ଆଞ୍ଚଳିକ କାର୍ଯ୍ୟ।ଳୟ, ଓଡିଶା ଓ ଡଃ ଉମାକାନ୍ତ ଦାଶ , ନିର୍ଦେଶକ , ଆଇ.ଆର.ଏମ, ଆନନ୍ଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।
ପରବର୍ତ୍ତୀ ସମୟରେ ମୁଖ୍ୟ ଅତିଥି ତଥା ମାନ୍ୟବର ମନ୍ତ୍ରୀ, ବିଭିନ୍ନ ସଫଳ ସମବାୟ ସମିତି ମାନଙ୍କ ଦ୍ଵାରା ପ୍ରଦର୍ଶିତ ଷ୍ଟଲ ଗୁଡିକୁ ପରିଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନସିଂ ଜରିଆରେ ରାଜ୍ୟସ୍ତରୀୟ ସମବାୟ ସପ୍ତାହ ପାଳନ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ l
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଅର୍ଥନୀତିରେ ସମବାୟର ଭୂମିକା ଉପରେ ଧ୍ୟାନ ଆକର୍ଷଣ କରିଥିଲେ । ସରକାରଙ୍କର ବିଭନ୍ନ ଯୋଜନାର କାର୍ଯ୍ୟ କାରିତା କିଭଳି ସମବାୟ ଦ୍ଵାରା ସୂଚାରୁ ରୂପେ କରାଯାଇ ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ ଏହା ଉପରେ ଆଲୋକପାତ କରିଥିଲେ । ସୁଧ ମୁକ୍ତ କୃଷିଋଣ ଯୋଜନା, ବିନା ଦେୟରେ ଫସଲ ବୀମା ପଞ୍ଜୀକରଣ ତଥା କୃଷିଜାତ ଦ୍ରବ୍ୟର ସଫଳ ବିପଣନ ସମବାୟ ମାଧ୍ୟମରେ ସୂଚାରୁ ରୂପେ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଆହ୍ଵାନ ଦେଇଥିଲେ । ଆମ ରାଜ୍ୟର ଅର୍ଥନୀତି ଗ୍ରାମୀଣ କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟଧାରା ଉପରେ ଆଧାରିତ ଏବଂ ଗ୍ରାମୀଣ ଅର୍ଥନୀତିର ଏକ ଅବିଚ୍ଛେଦ ଅଙ୍ଗ ହେଉଛି ସମବାୟ ସମିତି । କୃଷି କାର୍ଯ୍ୟ ପାଇଁ ଆବଶ୍ଯକୀୟ ଅର୍ଥର ବ୍ୟବସ୍ଥା କରିବା ସହିତ ସଠିକ ସମୟରେ ସାର ଓ ବିହନ ଯୋଗାଣର କାର୍ଯ୍ୟ ଗ୍ରାମୀଣ ସ୍ତରରେ କାର୍ଯ୍ୟରତ କୃଷି ସମବାୟ ସମିତି ମାନ ନିର୍ବାହ କରିଥାନ୍ତି ।
ଗ୍ରାମୀଣ ସ୍ତରରେ କାର୍ଯ୍ୟରତ ବୁଣାକାର, ହସ୍ତଶିଳ୍ପୀ, ହସ୍ତତନ୍ତ କାରିଗର, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଉତ୍ପାଦକ ମାନଙ୍କୁ ସଂଗଠିତ କରି ଗଢି ଉଠିଥିବା ସମବାୟ ସମିତି ମାନ ନିରନ୍ତର ସେବା ଯୋଗାଇ ଆସୁଛନ୍ତି ।
ଓଡିଶା ସରକାର ସମବାୟ ସମିତିର ବିକାଶ ପାଇଁ ପ୍ରତିଶୃତି ବଦ୍ଧ । ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ବିନା ସୁଧରେ ଚାଷ ଋଣ ଯୋଗାଣ, ସମବାୟ ସମିତିମାନଙ୍କୁ ଅଂଶଧନ ପ୍ରଦାନ ଓ ସମିତିମାନଙ୍କର ଭିତିଭୂମି ବିକାଶ ଇତ୍ୟାଦି ପାଇଁ ରାଜ୍ୟ ସରକାର ରାଜ୍ୟ ବଜେଟ୍ ରୁ ବିଶେଷ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।
ଏହିକ୍ରମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ କୃଷି ଋଣ ଯୋଗାଣ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସୁଧ ରିହାତି ଯୋଜନା ପ୍ରଣୟନ କରିଛନ୍ତି ଏବଂ ଚଳିତ ଆର୍ଥିକ ବର୍ଷରେ ଏ ବାବଦରେ ୭୮୫ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି।
୧.ଓଡିଶାର ୬୦ ଲକ୍ଷରୁ ଉର୍ଦ୍ଧ ଚାଷୀ ସମବାୟ ବିଭାଗ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ରହି କୃଷି ଋଣ, ରାସାୟନିକ ସାର ଓ ବିହନ ପାଇ ପାରୁଛନ୍ତି ଓ କୃଷିକୁ ଉନ୍ନତ କରି ନିଜର ଜୀବନର ମାନଙ୍କୁ ଅଧିକ ଉନ୍ନତ କରିପାରୁଛନ୍ତି । ଶତକଡା ୫୦ ଭାଗ କୃଷି ଋଣ ସମବାୟ ସମିତି ମାଧ୍ୟମରେ ଓଡିଶାର କ୍ଷୁଦ୍ର, ନାମମାତ୍ର ଓ ଭୂମିହିନ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି। ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିରଣ ବିନା ସୁଧରେ ଯୋଗାଇ ଦିଆଯାଇଛି।
୨. ବନ୍ୟା ଓ ବାତ୍ୟା ଭଳି ଅନେକ ପ୍ରାକୃତିକ ଦୁର୍ବିପାକ ରୁ ଓଡିଶାର କୃଷକ ମାନଙ୍କର ଆର୍ଥିକ ସ୍ଥିତିକୁ ସୁରକ୍ଷା ଦେବା ପାଇଁ ଶସ୍ୟ ବୀମାର ବ୍ୟବସ୍ଥା ସମବାୟ ବିଭାଗ ଦ୍ଵାରା କରାଯାଇଛି । ଏକ ଯୁଗାନ୍ତକାରୀ ନିର୍ଣ୍ଣୟ ସ୍ୱରୂପ ଫସଲ ବୀମା ପଞ୍ଜୀକରଣ ୨ ହେକ୍ଟର ପର୍ଯ୍ୟନ୍ତ ଚାଷଜମିର ଫସଲ ବୀମା ପଞ୍ଜୀକରଣ କୁ ସମ୍ପୂର୍ଣ ଦେୟମୁକ୍ତ କରାଯାଇଅଛି । ଏ ବାବଦକୁ ଚାଷୀମାନଙ୍କ ସମସ୍ତ ପ୍ରିମିୟମ ଦେୟ ରାଜ୍ୟ ସରକାର ବହନ କରୁଛନ୍ତି । ଏହି ପଦକ୍ଷେପ ଫଳରେ ଚଳିତ ବର୍ଷ ଖରିଫ ଋତୁରେ ରେକର୍ଡ ୨୨.୫୦ ଲକ୍ଷ ଚାଷୀ ବୀମା ଭୁକ୍ତ ହୋଇଛନ୍ତି । ଯେଉଁ ସଂଖ୍ୟା ବିଗତ ବର୍ଷ ମାନଙ୍କରେ ୧୧ ରୁ ୧୨ ଲକ୍ଷ ଥିଲା ।
୩. ସଚ୍ଛତା ଓ ପାରଦର୍ଶିତା କୁ ପ୍ରୋତ୍ସାହନ ଦେବା ପାଇଁ ଓଡିଶାର ପ୍ରାଥମିକ କୃଷି ସେବା ସମବାୟ ସମିତି ଗୁଡିକର କମ୍ପୁଟିରୀକରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି । ଏହି ଯୋଜନା ଫଳରେ ଓଡିଶାର କୃଷକମାନେ ସହଜରେ କୃଷିରଣ ପାଇ ପାରିବେ ଓ PACS ମାନଙ୍କର ନେଣ ଦେଣ କାରବାରରେ ସଚ୍ଛତା ସୁନିଶ୍ଚିତ କରାଯାଇଅଛି ।
୪. ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ବୟନିକା ଓ ଉତ୍କଳିକା ବ୍ୟବସାୟିକ ମଡେଲ ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି । ଏହାଦ୍ଵାରା ଅନେକ ବୁଣାକାର ଓ ଶିଳ୍ପୀମାନେ ଆର୍ଥିକ ରୂପେ ସହାୟତା ପାଇପାରୁଛନ୍ତି।
୫. ଓଡିଶାର ଦୁଗ୍ଧ ଚାଷୀ ମାନଙ୍କ ଆର୍ଥିକ ଅବସ୍ଥାକୁ ଦୃଢିଭୂତ କରିବା ପାଇଁ, ଅବିରତ ଭାବେ ଓମ୍ଫେଡ କାର୍ଯ୍ୟ କରିଆସୁଅଛି । ନିକଟଅତିତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ମେଗା ଦୁଗ୍ଧ ପ୍ରକ୍ରିୟାକରଣ ପ୍ରକଳ୍ପ କଟକ ଠାରେ ଉଦ୍ଘାଟିତ କରିଛନ୍ତି ।
୬. କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ କୃଷକମାନେ ନ ପାଇଲେ ସେମାନଙ୍କ ଆର୍ଥିକ ଉନ୍ନତି ଅସମ୍ଭବ । ତାହାକୁ ସୁନିଶ୍ଚିତ କରିବା ପାଇଁ ଧାନ, ମୁଗ, ବିରି, ହରଡ, ସୋୟାବିନ, ଚିନାବାଦାନ ଓ ସୂର୍ଯ୍ୟମୁଖୀ ମଞ୍ଜି ର ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ କରିବା ସୁବନ୍ଦୋବସ୍ତ ସମବାୟ ବିଭାଗ ଦ୍ବାରା କରାଯାଇଛି।
୭. ୭୫୦ ରୁ ଉର୍ଦ୍ଧ ମତ୍ସ୍ୟ ସମବାୟ ସମିତି ଓଡିଶାର ଗ୍ରାମାଂଚଳ ରେ କାର୍ଯ୍ୟରତ ଓ ମତ୍ସ୍ୟଜୀବିମାନଙ୍କର ଆର୍ଥିକ ଉନ୍ନତି ପାଇଁ ବିଭିନ୍ନ ଯୋଜନା ମଧ୍ୟମରେ ସେମାନଙ୍କ ଆର୍ଥିକ ଓ ବୈଷୟିକ ସହାୟତା ପ୍ରଦାନ କରି ଆସୁଛନ୍ତି ।
୮. କୃଷକମାନଙ୍କୁ ମାର୍କେଟିଂ ର ଭିତ୍ତିଭୂମି ଯୋଗାଇ ଦେବା ପାଇଁ OSAM Board ଓ MARKFED କାର୍ଯ୍ଯରତ । ବର୍ତମାନ e-NAM ଦ୍ଵାରା ଓଡିଶାରେ ୬୬ ଟି ନିୟନ୍ତ୍ରିତ ବଜାର କମିଟି ପଞ୍ଜୀକୃତ ହୋଇସାରିଛି । ଏହି ଡିଜିଟାଲ ପ୍ଲାଟଫର୍ମଟି ଓଡିଶାର କୃଷକମାନଙ୍କୁ e-auction ସେମାନଙ୍କ କୃଷିଜାତ ଦ୍ରବ୍ୟର ସର୍ବୋଚ୍ଚ ମୂଲ୍ୟ ଦେବାରେ ସୁଯୋଗ ସୃଷ୍ଟି କରିଛି ।
୯. ଆସନ୍ତା ସମୟରେ ଓଡିଶାର ସମବାୟ ସମିତି ମାନଙ୍କୁ ସଠିକ୍ ଭାବେ ଅଡିଟ୍ କରାଇବା ବ୍ୟବସ୍ଥା କରାଯାଇଛି । ତେଣୁ ସଂପୂର୍ଣ ଅଡିଟ୍ ପ୍ରକ୍ରିୟାକୁ କମ୍ପ୍ୟୁଟିକରଣ କରିବାର ବ୍ୟବସ୍ଥା ଓ ଅଧୁକ ଅଡିଟରଙ୍କ ନିଯୁକ୍ତି ବ୍ୟବସ୍ଥା କରାଯାଇଅଛି ।
ମୂଖ୍ୟବକ୍ତା, ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା ତାଙ୍କର ଅଭିଭାଷଣରେ କହିଥିଲେ ଯେ କୃଷି ଅର୍ଥନୀତିରେ ସମବାୟ ଅନୁଷ୍ଠାନ ମାନଙ୍କର ସ୍ଵଚ୍ଛ ଏବଂ ସକ୍ରିୟ ଯୋଗଦାନ କିପରି ଗୁରୁତ୍ଵପୂର୍ଣ ଅଟେ । ସମବାୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।
ବିଭାଗୀୟ ଶାସନ ସଚିବ ଶ୍ରୀ ଅଗ୍ରୱାଲ ସୂଚନା ଦେଇଥିଲେ ଯେ ରାଜ୍ୟରେ ପ୍ରାୟ ୩୨ ଲକ୍ଷ ଚାଷୀଙ୍କୁ ବିନା ସୁଧରେ କୃଷି ଋଣ ସମବାୟ ସମିତି ମାଧ୍ୟମରେ ଯୋଗାଇ ଦିଆଯାଉଛି । ଏହି ଅବସରରେ ସମବାୟ ଅନୁଷ୍ଠାନକୁ ଅଧିକ ସ୍ଵଚ୍ଛ, ସକ୍ରିୟ ଏବଂ ଲୋକାଭିମୁଖୀ ହେବାପାଇଁ ସେ ଆହ୍ଵାନ ଦେଇଥିଲେ ।
କାର୍ଯ୍ୟକ୍ରମ ଶେଷରେ ମୂଖ୍ୟ ଅତିଥି ତଥା ମାନ୍ୟବର ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ଉଚ୍ଚଶିକ୍ଷା ଓଡିଶା, ବିଭିନ୍ନ ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀମାନଙ୍କୁ ଓ ସମବାୟ କ୍ଷେତ୍ରରେ ଉକୃଷ୍ଟ ପ୍ରଦର୍ଶନ କରିଥିବା ସମବାୟ ସଂସ୍ଥାମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଶ୍ରୀ ସନ୍ତୋଷ କୁମାର ଦାଶ, ସ୍ଵତନ୍ତ୍ର ଶାସନ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ ।