ଆସନ୍ତା ମାସରେ ଝାରସୁଗୁଡା ଜିଲ୍ଲାରେ ଉଦ୍ୟୋଗ ଓଡିଶା-2023

0 2

ମହିଳା ଉଦ୍ୟୋଗୀଙ୍କୁ ନୂତନ ସୁଯୋଗ ପ୍ରଦାନ କରିବାରେ ହେବ ସହାୟକ

ଭୁବନେଶ୍ବର, 13 ନଭେମ୍ବର 2023: ମହିଳା ସ୍ବୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗୀ (ଏସଚଜି ରୁ ଏସଏମଇ) ନାରାକୁ ପ୍ରତିଫଳିତ କରିବାରେ ଏବଂ ପଶ୍ଚିମ ଓଡିଶାର କ୍ଷୁଦ୍ର ଓ ମଧ୍ୟମ ଯୁବ ଉଦ୍ୟୋଗୀଙ୍କୁ ଏକ ମୁକ୍ତ ତଥା ବଡ ସୁଯୋଗ ପ୍ରଦାନ କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଆଗକୁ ଆସିଛି । କୃଷି, ଗୋପାଳନ, ପଶୁ ପାଳନ, ଫୁଲ ଚାଷ ଭଳି ବାଣିଜ୍ୟିକ ଉଦ୍ୟୋଗଗୁଡିକୁ ପ୍ରୋତ୍ସାହନ ଦେବା ପାଇଁ ତଥା ଦେଶ ବିଦେଶର ସଫଳ ଉଦ୍ୟୋଗୀଙ୍କୁ ପଶ୍ଚିମ ଓଡିଶା ସହ ଯୋଡିବା ପାଇଁ ଆୟୋଜିତ ହେବ ଉଦ୍ୟୋଗ ଓଡିଶା-2023 । ଆସନ୍ତା ମାସ ଡିସେମ୍ବର 15 ରୁ 17 ତାରିଖ ଯାଏଁ ପଶ୍ଚିମ ଓଡିଶାର ଝାରସୁଗୁଡା ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଏହି ଜାତୀୟସ୍ତରୀୟ ଉଦ୍ୟୋଗ ସମ୍ମିଳନୀ । ଏନେଇ ଆଜି ଖାରବେଳ ଭବନର ସମ୍ମିଳନୀ କକ୍ଷରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଯୋଗ ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି, ମିଶନ ଶକ୍ତିର ମା ମାନେ ବର୍ତ୍ତମାନ ଆମ ରାଜ୍ୟର ସଫଳ ଉଦ୍ୟୋଗୀ ଭାବେ ଉଭା ହୋଇଛନ୍ତି । ସେମାନଙ୍କୁ ଏକ ବଡ ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ ଉଦ୍ୟୋଗ ଓଡିଶା-2023 । ନୂତନ ଜ୍ଞାନକୌଶଳର ବ୍ୟବହାରକୁ ବୁଝିବା ସହ ବାହାର ରାଜ୍ୟରୁ ଆସିଥିବା ଉଦ୍ୟୋଗୀ ମାନଙ୍କ ସହ ପରିଚିତ ହେବେ ଯୁବ ଉଦ୍ୟୋଗୀ । ପ୍ରଥମ ଥର ପଶ୍ଚିମ ଓଡିଶାରେ ତିନି ଦିବସୀୟ ଉଦ୍ୟୋଗ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏଥିରେ ସାମିଲ ହୋଇ ଏହାକୁ ପୂର୍ଣ୍ଣମାତ୍ରାରେ ସଫଳ କରିବା ପାଇଁ ସେ ମତ ପ୍ରକାଶ କରିଛନ୍ତି ।
ତିନି ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀର ଆୟୋଜନ କରିବ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) । ଷ୍ଟାର୍ଟଅପ୍ ଓଡିଶା,ଓଡିଶା ଦକ୍ଷତା ବିକାଶ, ମିଶନ ଶକ୍ତି, କୃଷି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗକୁ ସମ୍ମିଳନୀରେ ସାମିଲ କରାଯିବ । ଏଥିରେ ଅନେକ ଶିଳ୍ପାନୁଷ୍ଠାନ ଯୋଗ ଦେବା ସହ ବିଭିନ୍ନ ସଂଗଠନ ମଧ୍ୟ ଯୋଗ ଦେବେ । ପ୍ରଦର୍ଶନୀର ଆୟୋଜନ କରାଯିବା ସହ କର୍ମଶାଳା ଓ ବିଭିନ୍ନ ପ୍ରକାର ଆଲୋଚନା ପାଇଁ ସ୍ବତନ୍ତ୍ର ହଲ୍ ର ବ୍ୟବସ୍ଥା କରାଯିବ । ଜନସାଧାରଣ ଏହି ପ୍ରଦର୍ଶନୀ ଦେଖିବା ସହ ବିଭିନ୍ନ ଶିଳ୍ପାନୁଷ୍ଠାନ ସମ୍ପର୍କରେ ଅବଗତ ହେବେ ।
ଆଜିର ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଓ ଇପିକଲର ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀ ବି.ଏସ୍ ପୁନିଆ ଉପସ୍ଥିତ ଥିବା ବେଳେ ସିଆଇଆଇର ଅନ୍ୟାନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.