ମାନବିକତା ଦେଖାଇଲେ ସରପଞ୍ଚ

0

ଢ଼େଙ୍କାନାଳ / ରବିନ୍ ଦାସ ; ଅସହାୟ ବୃଦ୍ଧା ମହିଳାଙ୍କ ଶବ ସତ୍କାର କରି ମାନବିକତା ଦେଖାଇଲେ ସରପଞ୍ଚ । ପରଜଙ୍ଗ ଥାନା ଅନ୍ତର୍ଗତ କୁଆଲୋ ଗ୍ରାମରେ ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗ୍ରାମର ୭୫ ବର୍ଷୀୟ ବୃଦ୍ଧା ଗୁନା ସାହୁ ଆଜି ସକାଳେ ଘର ପାଖ ପୋଖରୀକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ସ୍ଥାନୀୟ ଲୋକେ ମୃତ ଦେହ ପାଣିରେ ଭାସୁଥିବା ଅବସ୍ଥାରେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ମୃତଦେହ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବଚ୍ଛେଦ ପରେ ବୃଦ୍ଧାଙ୍କ ଏକମାତ୍ର ସାବତ ଝିଅକୁ ଶବ ହସ୍ତାନ୍ତର କରାଯାଇଥିଲା । ଝିଅ ଜଣଙ୍କ ସାହି ପଡ଼ିଶା ଲୋକଙ୍କ ସହଯୋଗ ଲୋଡ଼ିଥିଲା ହେଲେ ତା କଥାକୁ କେହି ଶୁଣିନଥିଲେ । ଖବର ପାଇ ସ୍ଥାନୀୟ ସରପଞ୍ଚ ଅଜିତ କୁମାର ସାହୁ ଗ୍ରାମର ଦୁଇ ବ୍ୟକ୍ତିଙ୍କ ସହଯୋଗରେ ଶବ ସତ୍କାର କରିଥିଲେ । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଖୁବ୍ ପ୍ରଶଂସା କରାଯାଉଛି ଏବଂ ଏଭଳି ମାନବିକତା ଦେଖାଇ ସରପଞ୍ଚ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବୋଲି ସାଧାରଣରେ କୁହାଯାଉଛି ।

Leave A Reply

Your email address will not be published.