ଭୁବନ ବ୍ଲକ କାର୍ଯ୍ୟାଳୟ ପରିସରରେ ନିର୍ମିତ ଲକ୍ଷାଧିକ ଟଙ୍କାର ପରିସ୍ରାଗାରକୁ ଅଣଦେଖା

0

ଢ଼େଙ୍କାନାଳ / ରବିନ୍ ଦାସ ; ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସମଗ୍ର ଦେଶ ଏଇ ନିକଟରେ ସ୍ବଛତା ହିଁ ସେବା ଦିବସ ପାଳନ କରିଛି । ଯାହା ଅଦ୍ୟାବଧି ଜାରି ରହିଛି ଏବଂ ସବୁଦିନ ପାଇଁ ଜାରି ରହିବ ବୋଲି ଦେଶର ଆବାଳବୃଦ୍ଧବନିତା ବେଶ୍ ଉତ୍ସାହର ସହ କହିଛନ୍ତି । ସ୍ବଛ ଭାରତ ମିଶନ ଭାରତକୁ ବିଶ୍ବରେ ଅନନ୍ୟ ପରିଚୟ ଦେବ ବୋଲି ପ୍ରଧାନମନ୍ତ୍ରୀ ସ୍ବପ୍ନ ଦେଖୁଛନ୍ତି । କିନ୍ତୁ ଖୋଦ ସରକାରୀ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଯାହା ସ୍ଥାନୀୟ ପ୍ରଶାସନ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଭୁବନ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷାଧିକ ଟଙ୍କାର ଏକ ପରିସ୍ରାଗାର ବ୍ୟବହାର ହେଉଛି ହେଲେ ଅତି ଅପରିଷ୍କାର ହୋଇ ପଡିଛି । ସମୁଦାୟ ପାଞ୍ଚଗୋଟି ପ୍ୟାନ୍ ଲାଗିଛି ହେଲେ ସେଥିରେ ପାଇପ୍ ସଂଯୋଗ ହୋଇନଥିବା ଦେଖିବାକୁ ମିଳିଛି । ଉକ୍ତ ପରିସ୍ରାଗାରକୁ ପାଣି ସଂଯୋଗ ପାଇଁ ଆବଶ୍ୟକ ଟ୍ୟାପ୍ ଲାଗିଛି ହେଲେ ପାଣିର ବ୍ୟବସ୍ଥା ନାହିଁ । ପରିସ୍ରା ଓ ପାଣି ନିର୍ଗତ ହୋଇ ଯିବା ଡ୍ରେନ ମଧ୍ୟରେ ଅଇଁଠା ଖଲି ଚଉପତି ପଡ଼ି ରହିଛି ଯାହା ଫଳରେ ଯେ କେହି ପରିସ୍ରା କଲେ ସେଠାରେ ଜମା ହୋଇ ରହୁଛି । ଏ ଥିଲା ପୁରୁଷ ମାନଙ୍କ ପାଇଁ ନିର୍ମିତ ହୋଇଥିବା ପରିସ୍ରାଗାର କଥା, ସେହିପରି ମହିଳା ମାନଙ୍କ ପାଇଁ ନିର୍ମିତ ହୋଇଥିବା ପରିସ୍ରାଗାର ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ପରିସ୍ରାଗାର ସମ୍ମୁଖରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଜମା ହୋଇ ନର୍ଦ୍ଦମା ପାଲଟିଛି ହେଲେ କାହାର ଦୃଷ୍ଟି ପଡୁନାହିଁ । ବଡ଼ ଆଶ୍ଚର୍ଯ୍ୟର କଥା ଯେ ପରିମଳ ପାଇଁ ମାସକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି ତଥାପି ଏସବୁ ଏମିତି ଅପରିଷ୍କାର ହୋଇ ପଡ଼ି ରହିଛି । ଏଭଳି ଅଳିଆ ଆବର୍ଜ୍ଜନା ସହ ପରିସ୍ରା ଜମା ହୋଇ ଦୁର୍ଗନ୍ଧ ଯୋଗୁଁ ଜନସାଧାରଣ ଏହି ପରିସ୍ରାଗାରକୁ ଯିବାକୁ ଘୃଣା କରୁଛନ୍ତି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ପରିସ୍ରା ଗାର ନିର୍ମାଣ ହେଲା କିନ୍ତୁ ଜନସାଧାରଣଙ୍କ ପାଇଁ ବ୍ୟବହାର ଉପଯୋଗୀ ନୋହିଲା । ଏନେଇ ଭୁବନ ବିଡ଼ିଓ ଶ୍ରୀ କଲ୍ୟାଣ ସୌରଭ ଦାଶଙ୍କୁ ଜଣାଇବା ପରେ ସେ ଏ‌ହାର ସଫେଇ ଓ ପାଣି ସମସ୍ୟା ନିମନ୍ତେ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.