ଭୁବନେଶ୍ୱର, ୧୪ । ୧୧: ଅମଲାତନ୍ତ୍ରର ନାଲି ଫିତା ନଥି ଖେଳ ଯୋଗୁ ଅନୁସୂଚିତ ଜନଜାତି (ଏସ୍ଟି) ବର୍ଗର ୬୧ ଜଣ ଯୋଗ୍ୟ ଡିପ୍ଲୋମା ଇଞ୍ଜିନିୟର ନିଯୁକ୍ତି ନ ପାଇ ସାଢେ଼ ୩ ବର୍ଷ ଧରି ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି । ଶେଷରେ ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍) ଆବେଦନକାରୀଙ୍କ ସପକ୍ଷରେ ନ୍ୟାୟ ଦେବା ଫଳରେ ଏହି ବଞ୍ଚିତ ଏସ୍ଟି ପ୍ରାର୍ଥୀମାନେ ତିନି ମାସ ମଧ୍ୟରେ ନିଯୁକ୍ତି ପାଇବେ ବୋଲି ଆଶା ସଞ୍ଚାର ହୋଇଛି । ମାମଲାର ଦୀର୍ଘ ଶୁଣାଣି କରି ସ୍ୟାଟ୍ର କାର୍ଯ୍ୟକାରୀ ଅଧ୍ୟକ୍ଷ ବି.କେ ଦାସ ଓ ପ୍ରଶସାନିକ ସଦସ୍ୟ ମନମୋହନ ପ୍ରହରାଜଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସମ୍ବେଦନଶୀଳ ମାମଲାର ରାୟ ଦେଇଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବା ପରେ ପ୍ରଶାସନିକ ସ୍ୱାର୍ଥ ଦୃଷ୍ଟିରୁ ଉକ୍ତ ଆଇନ୍କୁ କୋହଳ କରି ୨୦୧୪ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ପ୍ୟାନେଲ୍ରୁ ଯନ୍ତ୍ରୀ ନିଯୁକ୍ତି ଲାଗି ବିଜ୍ଞପ୍ତି ଜାରି କରିଥିଲେ । ତଦନୁଯାୟୀ ବିଭିନ୍ନ ବିଭାଗ ପ୍ୟାନେଲ୍ରୁ ନାମ ପଠାଇବାକୁ ଅନୁରୋଧ ଜଣାଇଥିଲେ । ଜଳସେଚନ ବିଭାଗର ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀ ଏହି କ୍ରମରେ ୩୧୪ ଜଣ ପ୍ରାର୍ଥୀଙ୍କ ନାମ ପ୍ୟାନେଲ୍ରୁ ପଠାଇବାକୁ କହିଥିଲେ । ଏଥିମଧ୍ୟରୁ ୧୬୫ଟି ଏସ୍ଟି ବର୍ଗ ପାଇଁ ସଂରକ୍ଷିତ ଥିଲା କାରଣ ପୂର୍ବରୁ ଏହି ବର୍ଗଙ୍କର ୧୨୬ଟି ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଥିଲା । ତେବେ କର୍ତ୍ତୃପକ୍ଷ ୧୦୮ ଜଣ ଏସ୍ଟି ପ୍ରାର୍ଥୀଙ୍କ ସମେତ ମୋଟ୍ ୨୫୭ ଜଣଙ୍କ ନାମ ଜଳ ସମ୍ପଦ ବିଭାଗକୁ ପଠାଇଥିଲେ । ଆଇନ୍ଗତ ବ୍ୟବସ୍ଥା ଅନୁଯାୟୀ ଆଗରୁ ଖାଲି ପଡ଼ିଥିବା ‘ବ୍ୟାକ୍ଲଗ୍ ଭାକାନ୍ସି’ ଆଗେ ପୂରଣ ହେବା କଥା । କିନ୍ତୁ ତାହା ନ କରି ଅନ୍ୟ ବର୍ଗର ପ୍ରାୟ ସମସ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ମୋଟେ ୪୭ ଜଣ ଏସ୍ଟି ପ୍ରାର୍ଥୀଙ୍କୁ କର୍ତ୍ତୃପକ୍ଷ ଚାକିରି ଦେଇ ଅନ୍ୟମାନଙ୍କୁ ଝୁଲାଇ ରଖିଥିଲେ । ଏମାନଙ୍କ ନାମ ଅନ୍ୟ ବିଭାଗକୁ ପଠାଯାଇଥିଲେ ସେମାନେ ଚାକିରି ପାଇଥାନ୍ତେ । କିନ୍ତୁ କ୍ୟାଡର୍ ପୁନର୍ଗଠନ ଆଳରେ ସୀମିତ ସମୟ ମଧ୍ୟରେ ବଞ୍ଚିତ ୬୧ ଜଣ ଏସ୍ଟି ପ୍ରାର୍ଥୀଙ୍କୁ ନିଯୁକ୍ତି ନ ଦେଇ ପରେ ଏମାନଙ୍କୁ ଚାକିରି ଦେବା ଲାଗି ବିଭାଗୀୟ ମୁଖ୍ୟଯନ୍ତ୍ରୀ ଚିଠି ଲେଖିଥିଲେ ମଧ୍ୟ ଶେଷ ତାରିଖ ପରେ ଆଉ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି କର୍ତ୍ତୃପକ୍ଷ ରୋକ୍ଠୋକ୍ ଭାବେ ଜଣାଇ ଦେଇଥିଲେ । ଏ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ ବି କିଛି ଫଳ ମିଳିନଥିଲା । ଏ ପରିପ୍ରେକ୍ଷୀରେ ବଞ୍ଚିତ ଏସ୍ଟି ପ୍ରାର୍ଥୀମାନଙ୍କ ମଧ୍ୟରୁ ଭରତ ମାଝୀ ଓ ଇନ୍ଦୁଭୂଷଣ ନାୟକ ନାମକ ଦୁଇ ଜଣ ଡିପ୍ଲୋମା ଇଞ୍ଜିନିୟର ସ୍ୟାଟ୍ର ପୂର୍ବତନ ସରକାରୀ ଓକିଲ ପ୍ରହଲାଦ କୁମାର ସିଂହଙ୍କ ମାଧ୍ୟମରେ ମାମଲା ରୁଜୁ କରିଥିଲେ ।
ସ୍ୟାଟ୍ର ଖଣ୍ଡପୀଠ ମାମଲାର ବିସ୍ତୃତ ଶୁଣାଣି କରି ବଞ୍ଚିତ ଏସ୍ଟି ପ୍ରାର୍ଥୀମାନଙ୍କ ଲାଗି ପାତରଅନ୍ତର କରାଯାଇଥିବା ରାୟରେ ଦର୍ଶାଇଛନ୍ତି । ଅନ୍ୟମାନଙ୍କୁ ନିଯୁକ୍ତି ଦେବା ବେଳେ ସ୍ଥାନ ସଂରକ୍ଷଣ ଆଇନ୍ର ଉଲ୍ଲଙ୍ଘନ ହୋଇଛି ବୋଲି ମଧ୍ୟ ସ୍ୟାଟ୍ ଅନୁଭବ କରିଛନ୍ତି । ଏ ପରିପ୍ରେକ୍ଷୀରେ ଆବେଦନକାରୀ ଏସ୍ଟି ପ୍ରାର୍ଥୀଙ୍କ ସପକ୍ଷରେ ରାୟ ଦେଇ ସେମାନଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷିତ ରଖିବା ଲାଗି କର୍ତ୍ତୃପକ୍ଷ ୩ ମାସ ମଧ୍ୟରେ ସେମାନଙ୍କୁ ଚାକିରିରେ ନିଯୁକ୍ତି ଦେବା ଲାଗି ସ୍ୟାଟ୍ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ପ୍ରାର୍ଥୀମାନେ ଯେବେଠାରୁ ନିଯୁକ୍ତି ପାଇଛନ୍ତି ଏମାନଙ୍କର ନିଯୁକ୍ତି ସେହି ପୁରୁଣା ତାରିଖରୁ ହେବ ବୋଲି ଦର୍ଶାଇଥିଲେ ମଧ୍ୟ କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ଏହି ପ୍ରାର୍ଥୀମାନେ ସେମାନଙ୍କ ଆର୍ଥିକ ସୁବିଧା ପାଇବାକୁ ହକ୍ଦାର ହେବେ ବୋଲି ସ୍ୟାଟ୍ର ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି । ପ୍ରାୟ ସାଢେ଼ ୩ ବର୍ଷ ପରେ ଅଦାଲତ ସେମାନଙ୍କୁ ନ୍ୟାୟ ଦେଇଛନ୍ତି ବୋଲି ଚାକିରିରୁ ବଞ୍ଚିତ ବହୁ ଏସ୍ଟି ପ୍ରାର୍ଥୀ ଉଲ୍ଲେଖ କରିବା ସହିତ ରାଜ୍ୟ ସରକାର ଅଧିକ କାଳବିଳମ୍ବ ନ କରି ସେମାନଙ୍କୁ ତୁରନ୍ତ ନିଯୁକ୍ତି ଦେବା ଲାଗି ପୁନର୍ବାର କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି । ସ୍ୟାଟ୍ରେ ମାମଲା ଥିବା ପରିପ୍ରେକ୍ଷୀରେ ଏହାର ଫଳାଫଳ ଉପରେ ଏହି ଏସ୍ଟି ପ୍ରାର୍ଥୀମାନଙ୍କ ନିଯୁକ୍ତି ନିର୍ଭର କରେ ବୋଲି ପୂର୍ବରୁ ବିଧାନସଭାରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏବେ ସ୍ୟାଟଙ୍କ ରାୟ ପ୍ରକାଶ ପାଇଥିବା ପରିପ୍ରେକ୍ଷୀରେ ସେମାନେ ଶୀଘ୍ର ନିଯୁକ୍ତି ପାଇବେ ବୋଲି ବଞ୍ଚିତ ଏସ୍ଟି ପ୍ରାର୍ଥୀମାନେ ଆଶାବାଦୀ ।