ସେଲ ଦ୍ଵାରା  “ସ୍ଵଚ୍ଛତା ହିଁ ସେବା” ପକ୍ଷ ପାଳିତ

0

Rourkela/ Sushanta Behera : ମହାରତ୍ନ କମ୍ପାନୀ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ)ର ଅଧ୍ୟକ୍ଷ, ଶ୍ରୀ ଅନିଲ କୁମାର ଚୌଧରୀଙ୍କ ନେତୃତ୍ୱରେ ସମସ୍ତ ପ୍ଳାଣ୍ଟ, କାର୍ଯ୍ୟାଳୟ ତଥା କମ୍ପାନୀ ମୁଖ୍ୟାଳୟ ଠାରେ “ସ୍ଵଚ୍ଛତା ହିଁ ସେବା” ପକ୍ଷ ପାଳିତ ହୋଇଯାଇଛି। ସ୍ଵଚ୍ଛତା ପକ୍ଷର ଉଦଯାପନୀ ସମାରୋହରେ ସେଲ ଅଧ୍ୟକ୍ଷ, ଶ୍ରୀ ଅନିଲ କୁମାର ଚୌଧରୀ ସମସ୍ତ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ସେଲ ସାମୁଦାୟିକଙ୍କୁ ସ୍ଵଚ୍ଛତା ଶପଥପାଠ କରାଇଥିଲେ। ସ୍ଵଚ୍ଛତା ଅଭିଯାନରେ ସ୍ଵତଃପ୍ରବୃତ୍ତ ରୂପେ ସକ୍ରିୟ ରୂପେ ସାମିଲ ହେବା ପାଇଁ ସେ ସମସ୍ତଙ୍କୁ ଆହ୍ଵାନ ଜଣାଇଥିଲେ। ଏହା ପରେପରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ନିର୍ଦ୍ଦେଶକ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ପକ୍ଷ ଅନ୍ତର୍ଗତ ସେଲର ସମସ୍ତ ୟୁନିଟରେ ସ୍ଵଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ସାରା ଦେଶରେ ଏହି ଅନନ୍ୟ ପ୍ରୟାସର ଆରମ୍ଭ ହେବା ଦିନରୁ ସ୍ଵଚ୍ଛତା ସନ୍ଦର୍ଭରେ ସମାଜରେ ଏକ ବ୍ୟବହାରିକ ପରିବର୍ତ୍ତନ ଆଣିବା ଦିଗରେ ସେଲ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଆସୁଛି। ସେଲ ବିଗତ କିଛି ବର୍ଷ ଧରି ଏହାର ସମସ୍ତ ପ୍ଳାଣ୍ଟ ଓ ପାର୍ଶ୍ଵାଞ୍ଚଳରେ ଏହି ଯୋଜନାର କାର୍ଯ୍ୟକାରିତା ନିମନ୍ତେ ସକ୍ରିୟ ଭୂମିକା ଗ୍ରହଣ କରି ଆସୁଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଧ୍ୟେୟ ଅନୁଯାୟୀ, ସ୍ଵଚ୍ଛତା ହିଁ ସେବା-୨୦୧୮ର ଅଂଶ ସ୍ୱରୂପ ସେଲର ସମସ୍ତ ପ୍ଳାଣ୍ଟ, ୟୁନିଟ ଓ କର୍ପୋରେଟ ଅଫିସରେ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥି ଅନ୍ତର୍ଗତ ଛାତ୍ରଛାତ୍ରୀ, ପାର୍ଶ୍ଵାଞ୍ଚଳ ଗ୍ରାମବାସୀଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ତଥା କର୍ମଚାରୀ ଓ ବିଦ୍ୟାର୍ଥୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ମହତ୍ତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ସ୍ଵଚ୍ଛତା ହୋର୍ଡିଙ୍ଗ ପ୍ରଦର୍ଶନ, ସୋସିଆଲ ମେଡିଆ ମାଧ୍ୟମରେ ପ୍ରଚାର ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ମଧ୍ୟରେ ଏକ ସ୍ଵଚ୍ଛତା ସଂସ୍କୃତିର ପ୍ରବର୍ତ୍ତନ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଵଚ୍ଛତା ଶପଥ ଗ୍ରହଣ ଉତ୍ସବ, ରାସ୍ତାଘାଟର ସଫେଇ, ବର୍ଜ୍ୟ ସଂଗ୍ରହ ଅଭିଯାନ, ଘରଘର ବୁଲି ସ୍ଵଚ୍ଛତା ବାର୍ତ୍ତା ପ୍ରଦାନ ତଥା ପରିଚ୍ଛନ୍ନତା ଓ ପରିମଳରେ ଉନ୍ନତି ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.