ଗୋପବନ୍ଧୁ ଏକାଡେମୀ ପରିସରରେ ସିଜିଜିଓ କାର୍ଯ୍ୟାଳୟ ଉଦ୍ଘାଟିତ

0

ଏକାଡେମୀ ନ୍ୟୁଜ୍ ପତ୍ରିକା ଏବଂ ବିଭିନ୍ନ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗୋପବନ୍ଧୁ ପ୍ରଶିକ୍ଷଣ ଏକାଡେମୀ ପରିସରରେ ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀ ରାଜ କୁମାର ଶର୍ମାଙ୍କ ଉପସ୍ଥିତିରେ ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସ, ଓଡ଼ିଶା (ସିଜିଜିଓ) କାର୍ଯ୍ୟାଳୟକୁ ଉଦ୍ ଘାଟନ କରିଛନ୍ତି । ଫଳାଫଳଭିତ୍ତିକ ପରିଚାଳନା ଓ ସାମାଜିକ ଅଭିନବତ୍ୱ ଆଣିବା ଦିଗରେ ସିଜିଜିଓ ଏକ ସ୍ଥାୟୀ କାର୍ଯ୍ୟକ୍ଷେତ୍ର ଭାବେ କାର୍ଯ୍ୟ କରିବ । ସ୍ଥାନ ନିର୍ଦ୍ଦିଷ୍ଟ ପ୍ରମାଣ ଭିତ୍ତିକ ଗବେଷଣା କରି ସୁଶାସନରେ ଯୋଗଦାନ କରୁଥିବା ଜ୍ଞାନ ପରିଚାଳନା ଏବଂ ପ୍ରଶିକ୍ଷଣକୁ ସୁଗମ କରିବା ପାଇଁ ସିଜିଜିଓକୁ ଦାୟିତ୍ୱ ଦିଆଯାଇଛି ।
ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଏକାଡେମୀର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଭିତ୍ତିଭୂମି ଉନ୍ନତି ସହ ଏହାର ପ୍ରଶିକ୍ଷଣ ବ୍ୟବସ୍ଥାରେ ଅଭିନବତ୍ୱ ଆସିଛି । ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ପ୍ରେବେସନର ତଥା ଅଧିକାରୀମାନେ ଓଡିଶାର ଭୌଗୋଳିକ ସ୍ଥିତି, ପରିସଂସ୍ଥା, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ତଥ୍ୟ ଅଧିକରୁ ଅଧିକ ଅଧ୍ୟୟନ ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ତରଫରୁ ପ୍ରକାଶିତ ଦୁଇଟି ପୁସ୍ତକ-୨୦୧୯ ବ୍ୟାଚ୍ର ଓଏଏସ୍ ଅଫିସର ପ୍ରଶିକ୍ଷଣର୍ଥୀଙ୍କ ଅଧ୍ୟୟନ ପରିଦର୍ଶନ ସଂପର୍କିତ “ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ” ଏବଂ ଏହି ପ୍ରୋବେସନରଙ୍କ ଦ୍ୱାରା “ପୁସ୍ତକ ସମୀକ୍ଷା ସଂକଳନ” ସହିତ “ଏକାଡେମୀ ନ୍ୟୁଜ ପତ୍ରିକା ଏବଂ ଏକ ‘ପ୍ରଶିକ୍ଷଣ ମାନ୍ୟୁଆଲ’ ଉନ୍ନୋଚିତ ହୋଇଥିଲା ।
ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ କହିଥିଲେ ଯେ, ଏକାଡେମୀ ସର୍ବଦା ଗୁଣାତ୍ମକ ପ୍ରଶିକ୍ଷଣକୁ ଗୁରୁତ୍ୱ ଦେଇଆସିଛି । ପ୍ରଶିକ୍ଷଣ ନେଉଥିବା ଅଧିକାରୀମାନେ ଜ୍ଞାନ ଆହରଣ ସଙ୍ଗେ ସଙ୍ଗେ ମୂଲ୍ୟବୋଧ ଭିତ୍ତିକ, ନୀତିନିଷ୍ଠ, ସଦାଚାର ଓ ଦକ୍ଷତାସଂପନ୍ନ ହେବା ସହିତ ସାଧୁତା, ଭୟମୁକ୍ତ ଓ ନିରପେକ୍ଷତା ବଜାୟ ରଖିବା ପ୍ରତି ପ୍ରଶିକ୍ଷଣ ଦିଆଯାଉଥିବା ସଂପର୍କରେ ସେ ପ୍ରକାଶ କରିଥିଲେ । ପ୍ରଶିକ୍ଷଣକୁ ଆହୁରି ଉନ୍ନତତର ଓ ଭାଗିଦାରିଭିତ୍ତିକ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଜାତୀୟ ସ୍ତରୀୟ ଅନୁଷ୍ଠାନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ସେ ସୂଚନା ଦେଇଥିଲେ ।
ଅତିରିକ୍ତ କମିଶନର ଡଃ. ହିମାଂଶୁ ଭୂଷଣ ପଣ୍ଡା, ଡେପୁଟୀ ଉପ ମହାନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରତାପ କୁମାର ମିଶ୍ର, ଅତିରିକ୍ତ ନିର୍ଦ୍ଦେଶିକା ଆରାଧନା ଦାସ, ଯୁଗ୍ମ ନିର୍ଦ୍ଦେଶିକା ଡ. ମମତାରାଣୀ ନାୟକ, ସହଯୋଗୀ ତଥା ସୁଶାସନ କେନ୍ଦ୍ର, ଓଡ଼ିଶା ଟିମ୍ ର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.