ୟୁରୋପର ସର୍ବୋଚ୍ଚ ଶିଖର ଆରୋହଣ କରିଥିବା ସମ୍ ହସ୍ପିଟାଲ ଇନ୍ଟର୍ଣ୍ଣଙ୍କୁ ସମ୍ବର୍ଦ୍ଧନା ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି

0 2

ଭୁବନେଶ୍ୱର, ୨୫/୦୮: ୟୁରୋପର ସର୍ବୋଚ୍ଚ ଶିଖର ମାଉଂଟ ଏଲବ୍ରସ ସଫଳତାର ସହ ଆରୋହଣ କରିଥିବା ଡଃ ଆଦିତ୍ୟ ଖାଡଙ୍ଗାଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି । ସୋଆର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଇନ୍ଟର୍ଣ୍ଣ ଭାବେ ଡଃ ଖାଡଙ୍ଗା କାର୍ଯ୍ୟ କରୁଛନ୍ତି ।
ଗତ ଅଗଷ୍ଟ ୧୬ ତାରିଖ ଦିନ ପ୍ରତିକୂଳ ପାଗର ସାମ୍ନା କରି ୧୮,୫୧୦ ଫୁଟ ଉଚ୍ଚତାର ଏହି ଶୃଙ୍ଗକୁ ଡଃ ଖାଡଙ୍ଗା ଆରୋହଣ କରିଥିଲେ । ଦକ୍ଷିଣ ପଶ୍ଚିମ ଋଷର କାବାର୍ଡିନୋ-ବାଲ୍କାରିଆ ଅଂଚଳରେ ଅବସ୍ଥିତ ମାଉଂଟ ଏଲ୍ବ୍ରସ୍ରେ ଦୁଇଟି ସୁପ୍ତ ଆଗ୍ନେୟଗିରି ରହିଛି ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଡଃ ଖାଡଙ୍ଗା ପୂର୍ବରୁ ଆଫି୍ରକାର ୧୯,୩୪୧ ଫୁଟ ଉଚ୍ଚତା ବିଶିଷ୍ଟ ସର୍ବୋଚ୍ଚ ପର୍ବତ ମାଉଂଟ କିଲିମାଞ୍ଜାରୋ ଆରୋହଣ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁଁ ଶିଖରରୁ ୫୦ ଫୁଟ ଦୂରତାରେ ଏହି ଉଦ୍ୟମରୁ ଓହରି ଯାଇଥିଲେ । ଆସନ୍ତା ଜାନୁଆରୀ ମାସରେ ଆର୍ଜେଂଟିନାରେ ଅବସ୍ଥିତ ୨୨,୮୩୭ ଫୁଟ ଉଚ୍ଚତାର ମାଉଂଟ ଆକୋନ୍କାଗୁଆ ଆରୋହଣ କରିବା ନିମନ୍ତେ ପ୍ର୍ରୟାସ କରିବାର ସେ ଯୋଜନା ରଖିଥିବା କହିଛନ୍ତି ।
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ଯୁବ ପର୍ବତାରୋହୀଙ୍କୁ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ତାଙ୍କର ଅଧିକ ସଫଳତା କାମନା କରିଥିଲେ ।
ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ରାଜେଶ ଲେଙ୍କା ଓ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ ।
ବରଗଡ଼ ଅଂଚଳର ଡଃ ଖାଡଙ୍ଗା କହିଛନ୍ତି ଯେ ଖୁବ୍ କମ୍ ବୟସରୁ ପର୍ବତାରୋହଣ ପ୍ରତି ସେ ଆକର୍ଷିତ ହୋଇଥିଲେ ଏବଂ ଏଥିପାଇଁ ସେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ । ସେ ନିଜର ଅନୁଭୂତି ବଖାଣି କହିଥିଲେ ଯେ ଗତ ଅଗଷ୍ଟ ୧୫ ତାରିଖ ଦିନ ବିଳମ୍ବିତ ରାତ୍ରିରେ ଅସହ୍ୟ ଶୀତରେ ଓ ମାଇନସ୍ ୨୫ ଡିଗ୍ରୀ ସେଲ୍ସିୟସକୁ ଖସି ଆସିଥିବା ତାପମାତ୍ରାରେ ଏଲବ୍ରସ ଶିଖରରେ ପହଂଚିବା ପାଇଁ ବେସ କ୍ୟାମ୍ପରୁ ସେମାନଙ୍କୁ ୯ ଘଂଟା ସମୟ ଲାଗିଥିଲା ।

 

Leave A Reply

Your email address will not be published.