ବିରଳ ତାଳପତ୍ର ପୋଥିରେ ଗଛିତ ଥିବା ତନରଡା “ରଘୁନାଥ” ମନ୍ଦିର ର ରୁପାନ୍ତରଣ ଦାବି।

0

ଭଞ୍ଜନଗର/ଉଦୟନାଥ ପଣ୍ଡା : ଗଞ୍ଜାମ ଜିଲ୍ଲା ଵେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ତନରଡା ଗ୍ରାମରେ ଥିବା, ବହୁ ପୁରାତନ ଶ୍ରୀଶ୍ରୀଶ୍ରୀ ରଘୁନାଥ ମହାପ୍ରଭୁଙ୍କ ମନ୍ଦିର କୁ ଓଡ଼ିଶା ସରକାର ରୁପାନ୍ତରଣ ତାଲିକା ରେ ସାମିଲ୍ କରିବା ପାଇଁ ମନ୍ଦିର କମିଟି ଆବାହକ, ପ୍ରାଧ୍ୟାପକ ଶ୍ରୀ ରାମହରି ପାତ୍ର ଓ କମିଟି ସଦସ୍ୟ ଦାବି କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୈତୃକ ଗ୍ରାମ ନୂଆଗାଁ ଠୁ ମାତ୍ର ୩ କିଲୋମିଟର ଦୂରରେ ଥିବା ତନରଡା ଗ୍ରାମର ଏହି ମନ୍ଦିର ସହ ଅନେକ ଶ୍ରଦ୍ଧେୟ ଶ୍ରଦ୍ଧାଳୁଙ୍କ ଭାବାବେଗ ଜଡ଼ିତ ହୋଇ ରହିଛି। ମନ୍ଦିରରେ ମହାପ୍ରଭୁ ଶ୍ରୀରାମ ଙ୍କ ବର୍ଷସାରା ବିଭିନ୍ନ ପର୍ବପର୍ବାଣି ଓ ଯାତ୍ରା ପାଳିତ ହୋଇଥାଏ। ସେହିପରି ମନ୍ଦିରରେ, ଜଗନ୍ନାଥ ଧାମ ପୁରୀ ରୁ ଆସିଥିବା ତାଳପତ୍ର ପୋଥି ସମେତ ଅନେକ ଐତିହାସିକ ସାମଗ୍ରୀ ଗଚ୍ଛିତ ହୋଇରହିଛି।

କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏହି ଐତିହାସିକ ମନ୍ଦିରର ଉନ୍ନତିକରଣ ଓ ପୁନରୁଦ୍ଧାର ପାଇଁ ପ୍ରଶାସନିକ ସ୍ତରରେ କିଛି ଉଦ୍ୟମ କରାଯାଉନାହିଁ। ଅନ୍ୟପକ୍ଷରେ ଏହି ପୁରାତନ ମନ୍ଦିର, ରାଜନେତା ଓ ଜନ ପ୍ରତିନିଧି ମାନଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ବର୍ତ୍ତମାନ ମନ୍ଦିର ଧିରେ ଧିରେ ସଂପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାକୁ ଗତି କରିବା ସହ, ମନ୍ଦିର ପରିଚାଳନା ରେ ମଧ୍ୟ ଅନେକ ସମସ୍ୟା ଦେଖାଦେଇଥିବା ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି। ପୂର୍ବେ କିଛି ଚାଷୀ, ଠାକୁରଙ୍କ ନାମରେ ଥିବା ଚାଷଜମି କୁ ଚାଷକରି, ପାଉଣା ଆକାରରେ ଯେଉଁ ଶୁଳ୍କ ଦେଉଥିଲେ, ସେଥିରେ ମନ୍ଦିର ର ନିତି କାନ୍ତି ଭୋଗରାଗ ଓ ଜାନିଯାତ୍ରା ପାଇଁ ଖର୍ଚ୍ଚ ହେଉଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଅନେକ ଲୋକ ଚାଷ ଠାରୁ ମୁହଁ ଫେରାଇ ନେଇଛନ୍ତି।

ଏଣୁ ଏସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ, ରାଜ୍ୟ ସରକାର ଏହି ପୁରାତନ ମନ୍ଦିର କୁ ରୁପାନ୍ତରଣ ତାଲିକା ରେ ସାମିଲ୍ କରନ୍ତୁ ବୋଲି ପ୍ରାଧ୍ୟାପକ ଶ୍ରୀ ପାତ୍ର ଓ କମିଟି ସଦସ୍ୟ ମାନେ ଦାବି କରିଛନ୍ତି। ଏହି ମର୍ମରେ ସେ, ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ସହ ଦେବୋତ୍ତର ବିଭାଗ ( ଓଡ଼ିଶା ରାଜ୍ୟ ଏଣ୍ଡୋମେଣ୍ଟ ବୋର୍ଡ) ର ଦୃଷ୍ଟି ଆକର୍ଷଣ କରିଛନ୍ତି। ଆସବାବପତ୍ର ରଖିବା ପାଇଁ ମନ୍ଦିରରେ ଭଣ୍ଡାର ଗୃହ ଓ ବୈଠକ ଗୃହ ନିର୍ମାଣ, ମନ୍ଦିର ପାର୍ଶ୍ଵରେ ଥିବା ଧର୍ମଶାଳା ର ପୁନରୁଦ୍ଧାର, ଫୁଲ ଓ ତୁଳସୀ ଉଦ୍ୟାନ ନିର୍ମାଣ ଏବଂ ରଘୁନାଥ ପୁଷ୍କରିଣୀ କୁ ଆଦର୍ଶ ପୁଷ୍କରିଣୀ ରେ ରୁପାନ୍ତରଣ ପାଇଁ ସ୍ମାରକପତ୍ର ରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.