ଗୋପବନ୍ଧୁ ପାଠାଗାର ଏବଂ ସ୍ବସ୍ତି ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର.

0 2

ରାଉରକେଲା, (ବସନ୍ତ କୁମାର ଜେନା) : ପ୍ରତିମାସ ପରି ସ୍ବସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ପାଠାଗାରର ସତ୍ୟବାଦୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ସ୍ବସ୍ତି ର ସଭାପତି ମହେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧକାରୀ ଭାରତ ଭୂଷଣ ମହାନ୍ତି ଯୋଗଦେଇଥିବା ବେଳେ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ଯୋଗଦେଇ ଓଡ଼ିଶାର ସକ୍ରେଟିସ ଭାବେ ପରିଚିତ ଚିନ୍ତାନାୟକ ଚିତ୍ତରଞ୍ଜନ ଦାସଙ୍କ ପୁସ୍ତକ “ସବାମୂଳରେ ମଣିଷ” ଉପରେ ଆଲୋଚନା କରି କହିଲେ ଯେ,
ଚିତ୍ତରଞ୍ଜନଙ୍କ ମତରେ କେବଳ ମଣିଷ ହିଁ ପୃଥିବୀ ପୃଷ୍ଠକୁ ଏକ ସୁନ୍ଦର ବାସସ୍ଥାନରେ ପରିଣତ କରି ସେଠାରେ ସମସ୍ତଙ୍କ ସହ ପ୍ରେମପୂର୍ଣ୍ଣ ସହାବସ୍ଥାନ କରିବାରେ ସକ୍ଷମ। ସୁଖ ଓ ଆନନ୍ଦମୟ ଜୀବନ ଯାପନ କରିବା ସମଗ୍ର ବିଶ୍ଵବାସୀଙ୍କର ଲକ୍ଷ୍ୟ । ଏହି ଲକ୍ଷ୍ୟ ସାଧନ କେବଳ ମଣିଷ ଦ୍ଵାରା ହିଁ ସମ୍ଭବ। ଏଥି ନିମନ୍ତେ କୌଣସି ଦୈବୀକୃପା , ଉପାସନା ବା ବିଶାଳ ଧର୍ମପୀଠର ଆବଶ୍ୟକତା ନଥାଏ।
ସବୁରି ଭିତରେ ନିହିତ ଶକ୍ତିକୁ ଚିହ୍ନି ଆତ୍ମୀୟତା ସୂତ୍ର ରେ ବାନ୍ଧିପାରିଲେ , ତାହା ହିଁ ହେବ ଈଶ୍ୱର ପ୍ରାପ୍ତି । ହୃଦୟକୁ ବିସ୍ତାର କରି ପାରିଲେ ସମଗ୍ର ପୃଥିବୀ ଟି ଅତି ନିଜର ଲାଗିବ ଏବଂ ସମସ୍ତେ ନିଜର ପ୍ରିୟ ପରିଜନ ମନେ ହେବେ । ବାସ୍ତବିକ୍ ବସୁଧା ଏକ କୁଟୁମ୍ବରେ ପରିଣତ ହେଇପାରିବ । ପୃଥିବୀର ସମସ୍ତ ଧର୍ମ ବା ଶାସ୍ତ୍ର କୌଣସି ଈଶ୍ୱର ବା ଦେବାଦେବୀଙ୍କ ଦ୍ବାରା ସୃଷ୍ଟ ନୁହେଁ ବରଂ ଏ ସମସ୍ତ କେବଳ ମନୁଷ୍ୟ ଦ୍ବାରା ହିଁ ସୃଷ୍ଟ। ଏସବୁ ମୂଳରେ ମଣିଷର ନିଷ୍ଠା ଓ ବିଶ୍ବାସ ରହିଛି। ଦ୍ବିତୀୟ ପର୍ଯ୍ୟାୟରେ ବରିଷ୍ଠ କବି ଡାକ୍ତର କୃପାସିନ୍ଧୁ ନାୟକଙ୍କ “ଅତିକ୍ରମଣ” କାବ୍ୟ ଗ୍ରନ୍ଥର ପ୍ରାଧ୍ୟାପକ ପାରେଶ୍ବର ବିଶ୍ବାଳଙ୍କ ଦ୍ବାରା ଇଂରାଜୀ ଅନୁଦିତ( ଗୋ ବିୟଣ୍ଡ) “GO BEYOND” ପୁସ୍ତକର ଅନାବରଣ ଅତିଥି ମାନଙ୍କ ଦ୍ଵାରା ହୋଇଥିଲା । ଅଧ୍ୟାପକ ସୁଧାଂଶୁ କୁମାର ମିଶ୍ର ଏହାକୁ ସମୀକ୍ଷା କରିଥିବା ବେଳେ ଅଧ୍ୟାପକ ଅଚିନ୍ତ୍ୟ ନାରାୟଣ ଜେନା ଏବଂ ଶଙ୍କର ପ୍ରସାଦ ତ୍ରିପାଠୀ ଉକ୍ତ ପୁସ୍ତକରୁ କିଛି କବିତା ପାଠ କରିଥିଲେ। କବି ରାଜୀବ ପାଣି ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରାଧ୍ୟାପକ ଅଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ କିଶୋରୀ ମୋହନ କର, ଲକ୍ଷ୍ମଣ ନାଥ ଦାସ, ରାଜକୁମାର ମହାନ୍ତି, ହରିହର ନାୟକ, ରାଧାମୋହନ ନାୟକ, ଅରବିନ୍ଦ ପାତ୍ର ପ୍ରମୁଖ ସହାୟତା କରିଥିବା ସହରର ଜଣାଶୁଣା ବହୁ ସାହିତ୍ୟିକ କବି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Leave A Reply

Your email address will not be published.