ବ୍ଲକ ଅଧ୍ୟକ୍ଷା ଗଣମାଧ୍ୟମ ପ୍ରତିନିଧିଙ୍କ ମୋବାଇଲ ଛଡେଇ ନେଇ ଭିଡିଓ ଡିଲିଟ କରିବା କୁ ନେଇ ସାମ୍ବାଦିକ ଥାନାର ଦ୍ବାରସ୍ଥ

0

ଜମନକିରା/ଲିପନ ନାୟକ: ଜମନକିରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଆଜି ଜନୈକ ବୈଦୁତିକ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ ପାଇଁ ଭିଡିଓ ଉତ୍ତୋଳନ କରୁଥିବା ବେଳେ ଜୋର ଜବରଦସ୍ତି ମୋବାଇଲ ଛଡେଇ ନେଇ ଖବର ସମ୍ପର୍କିତ ଭିଡିଓ ଓ ତଥ୍ୟ ଡିଲିଟ କରିଥିବା ଯୋଗୁଁ ସଂପୃକ୍ତ ସାମ୍ବାଦିକ ରାଜ୍ୟ ସଭାପତିଙ୍କ ପରାମର୍ଶ କ୍ରମେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏଦିଗରେ ପୋଲିସ ଓ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜ ସଂଘ କର୍ମକର୍ତ୍ତା ଆଗରେ ପ୍ରକାଶ କରିଛନ୍ତି। ତେବେ ଅଧ୍ୟକ୍ଷା ଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଭୁଲ ବୁଝାମଣା ଯୋଗୁଁ ଏଭଳି ସମସ୍ୟା ହୋଇଥିବା କହିଥିଲେ। ପରେ ସଂଘର କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ପ୍ରସାଦ ଦାନୀ ଥାନାକୁ ଯାଇ ଆପୋଷ ବୁଝାମଣା ପରେ ମାମଲା ରୁଜୁ କରାଯାଇ ନାହିଁ।
ସୂଚନା ଯୋଗ୍ୟ ଯେ, ଆଜି ଅପରାହ୍ନ ପ୍ରାୟ ଦେଢଟା ସମୟରେ ଜମନକିରା ବ୍ଲକ ଅଧ୍ୟକ୍ଷାଙ୍କ ଚାମ୍ବରରେ ବହୁ ବ୍ୟକ୍ତିଙ୍କ ପାଟି ତୁଣ୍ଡ ବାହାରକୁ ଶୁଣା ଯାଉଥିଲା। ଏହି ଖବର ଶୁଣି ବୈଦୁତିକ ଗଣ ମାଧ୍ୟମରେ କାମ କରୁଥିବା ସତ୍ୟପ୍ରିୟ ମହାପାତ୍ର ଖବର ସଂଗ୍ରହ ପାଇଁ ବ୍ଲକ କୁ ଯାଇ ଭିଡିଓ ଉତ୍ତୋଳନ କରିଥିଲେ। ସେଠି ଯୁବକ ଓ ଜନ ପ୍ରତିନିଧି ଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଏହି ସମୟରେ ଅଧ୍ୟକ୍ଷା ଗଣମାଧ୍ୟମ ପ୍ରତିନିଧି ସତ୍ୟପ୍ରିୟ ଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ଏଥିସହ ଭିଡିଓ ସବୁ ଡିଲିଟ କରିଦେଇଥିଲେ। ଏହାକୁ ନେଇ ସତ୍ୟପ୍ରିୟ ରାଜ୍ୟ ସଭାପତିଙ୍କ ପରାମର୍ଶ କ୍ରମେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଅଧ୍ୟକ୍ଷା, ସତ୍ୟପ୍ରିୟ ଙ୍କୁ ଥାନାକୁ ଡ଼ାକି ଆଲୋଚନା କରିଥିଲେ। ପରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଦାନୀଙ୍କୁ ଡକେଇ ଆପୋଷ ବୁଝାମଣା କରି ସମସ୍ୟାର ସମାଧାନ କରେଇଥିଲେ। ଆଗକୁ ସେଭଳି ଭୁଲ ହେବନି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଭଲ ସମ୍ପର୍କ ରଖିବାକୁ ଅଧ୍ୟକ୍ଷା ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.