ଟାଟା ଷ୍ଟିଲ ଲିମିଟେଡର ଯୋଡାୱେଷ୍ଟ ଲୌହ ଓ ମାଙ୍ଗାନିଜ୍ ଖଣି ସମ୍ପ୍ରସାରଣ ନିମନ୍ତେ ଜନ ଶୁଣାଣୀ

0

ଯୋଡା: (ପାର୍ଥ ସାରଥୀ ଷଡ଼ଙ୍ଗୀ)- କେନ୍ଦୁଝର ଜିଲ୍ଲା, ଯୋଡ଼ା ଖଣି କ୍ଷେତ୍ରରେ ଥିବା ଟାଟା ଷ୍ଟିଲ ଲିମିଟେଡ ର ଯୋଡାୱେଷ୍ଟ ଲୌହ ଓ ମାଙ୍ଗାନିଜ୍ ଖଣିର ସମ୍ପ୍ରସାରଣ ନିମନ୍ତେ ଜନଶୁଣାଣୀ ଗୁରୁବାର ବିଚାକୁଣ୍ଡି ଠାରେ ଅନୁ୍ଷ୍ଠିତ ହୋଇଯାଇଛି ।

ସମୁଦାୟ 1437.719 ହେକ୍ଟର ପରିମିତ ଖଣି ଲିଜ୍ ଅଞ୍ଚଳରେ ଅବସ୍ଥିତ ଏହି ଖଣିରୁ ମାଙ୍ଗାନିଜ୍ ଉତ୍ପାଦନ କ୍ଷମତା ବାର୍ଷିକ 1.8 ଲକ୍ଷ ଟନ୍ ରୁ 8 ଲକ୍ଷ ଟନ ଏବଂ ଲୌହ ପଥର ଉତ୍ପାଦନ କ୍ଷମତା ଓଭରବର୍ଡନ ଉତ୍ପାଦନ ସହିତ ବାର୍ଷିକ 76.62 ଲକ୍ଷ ଟନ୍ ଉତ୍ତୋଳନ କରିବା ନିମନ୍ତେ ପ୍ରସ୍ତାବ ରହିଛି ।

ଏହି ସଭା କୁ ଶ୍ରୀ ଘାସିରାମ ମୁର୍ମୁ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସହର ଉନ୍ନୟନ ସଂସ୍ଥା, କେନ୍ଦୁଝର ସଭାପତିତ୍ବ କରିଥିଲେ ଏବଂ ଶ୍ରୀ ପ୍ରଶାନ୍ତ କର, ଆଞ୍ଚଳିକ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପରିଚାଳନା କରିଥିଲେ ।

ସର୍ବମୋଟ 120 ଜଣ ସ୍ଥାନୀୟ ଅଞ୍ଚଳବାସୀ ନିଜ ନିଜର ମତବ୍ୟକ୍ତ କରି ଅଞ୍ଚଳର ଉନ୍ନତି ସହ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ 12 ଜଣ ଲିଖିତ ଦାବି ଜଣାଇଥିଲେ। ପ୍ରଭାବିତ ଅଞ୍ଚଳର ସ୍ଥାନୀୟଙ୍କୁ ନିଯୁକ୍ତି, ସ୍ଵାସ୍ଥ୍ୟ ସେବା, ପାରିପାର୍ଶ୍ବକ ଉନ୍ନତି, ପାନୀୟ ଜଳ ର ସୁବ୍ୟବସ୍ଥା, ବିଦ୍ୟୁତ୍ କରଣ, ଆଦି ଦାବି କରି ଏହି ସମ୍ପ୍ରସାରଣ କୁ ସେମାନେ ସର୍ତ୍ତ ମୂଳକ ସମର୍ଥନ ଜଣାଇଥିଲେ।

ଲୋକଙ୍କ ସମସ୍ତ ଦାବି ଗୁଡ଼ିକୁ ଯଥା ସମ୍ଭବ ପୂରଣ କରିବା ନିମନ୍ତେ ଚେଷ୍ଟା କରିବେ ବୋଲି ଟାଟା ଷ୍ଟିଲ ଲିମିଟେଡ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ।

Leave A Reply

Your email address will not be published.