ବର୍ଷାପାଣିରେ ବିଶ୍ଵନାଥ ନଗର -୨ର ରାସ୍ତାଘାଟ ପାଲଟିଛି ମରଣଯନ୍ତା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମୋକାତୋଟାମ୍ମା ମନ୍ଦିର ନିକଟସ୍ଥ ବିଶ୍ଵନାଥ ନଗର -୨ ଅଞ୍ଚଳ ଅସରାଏ ବର୍ଷାରେ ରାସ୍ତାଘାଟ, ଘରଦ୍ଵାର , ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇ ଅଞ୍ଚଳବାସୀଙ୍କ ପାଇଁ ମରଣଯନ୍ତା ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଅଞ୍ଚଳରେ ଚାଲିଚାଲି ଯିବା ମଧ୍ୟ ବର୍ତ୍ତମାନ ସମ୍ଭବ ନୁହେଁ।
ବର୍ଷା ହେଲେ ନାଳନର୍ଦ୍ଦମା ପାଣିରେ ଏହି ଅଞ୍ଚଳ ବୁଡ଼ି ରହୁଛି। ଜଳ ନିଷ୍କାସନ ହେବାର ସୁବିଧା ନାହିଁ। ସୂଚନାଯୋଗ୍ୟ ଯେ , ପ୍ରତିଦିନ ସ୍ଥାନୀୟ ଅଧିବାସୀ , ସରକାରୀ / ବେସରକାରୀ କର୍ମଜୀବି ନିଜନିଜ କର୍ମକ୍ଷେତ୍ର ତଥା ଶିକ୍ଷାର୍ଥୀଙ୍କ ବିଦ୍ୟାଳୟ ଓ ଟ୍ୟୁସନକୁ ଯିବାଆସିବାରେ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ବିଶ୍ଵନାଥ ନଗର -୨ର ଅଞ୍ଚଳବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ପାରଳା ୱାର୍ଡ ନଂ ୭କୁ ଲାଗି ରହିଥ‌ିବା ଏହି ଅଞ୍ଚଳ ଆଜି ସରକାରଙ୍କର ବୈମାତୃକ ମନୋଭାବ ଯୋଗୁଁ ଘୋର ଅବହେଳାର ଶିକାର ହୋଇଛି। ସ୍ଥାନୀୟ ବାସିନ୍ଦା ପ୍ରତ୍ୟେକ ମାସ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣିରେ ଉପସ୍ଥିତ ହୋଇ ଗୁହାରୀ କରି ଆସୁଛନ୍ତି। ହେଲେ ଫଳାଫଳ ଶୂନ। ନା ପୌରପରିଷଦ ନା ଗୋଷାଣୀ ପଞ୍ଚାୟତ କେହି ଏହାର ଉନ୍ନତି ନିମନ୍ତେ ଚେଷ୍ଟା କରୁନାହାନ୍ତି।
ଏହି ଖାଲଢିପ ରାସ୍ତାରେ ବର୍ଷା ପାଣି ଓ ଆବର୍ଜନା ଜମି ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏଠାରେ ମ୍ୟାଲେରିଆ , ଡେଙ୍ଗୁ ମଶା , ବିଷାକ୍ତ ସରୀସୃପ , ବର୍ଷାଦିନିଆ ରୋଗ ବ୍ୟାପିବାର ଭୟ ରହିଛି। ଏଣୁ ଏହି ଅଞ୍ଚଳର ରାସ୍ତାଘାଟର ଉନ୍ନତି କରଣ , ରାସ୍ତା ଆଲୋକୀକରଣ , ବର୍ଜ୍ୟ ବସ୍ତୁ ଓ ମଇଳା ପାଣି ନିଷ୍କାସନ , ସନ୍ଧ୍ୟାପରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମିବାରେ ରୋକ ଇତ୍ୟାଦି ଦିଗରେ ଦୃଷ୍ଟି ଦେବାପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ସ୍ଥାନୀୟ ବାସିନ୍ଦା ବିଶେଷକରି ମହିଳା ଓ ବୁଦ୍ଧିଜୀବି।

Leave A Reply

Your email address will not be published.