ଭୁବନେଶ୍ୱର, ତା ୨୩.୦୭.୨୦୨୩: ଯାଜପୁର ଜିଲ୍ଲା ବିଂଝାରପୁର ଅନ୍ତର୍ଗତ ସାସଣ୍ଡା ଗ୍ରାମର ୩୬ବର୍ଷିୟ ଯୁବକ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ଗତ ୬ବର୍ଷ ଧରି କତାରରେ ରହି କାର୍ଯ୍ୟ କରି ଆସୁଥିଲେ । ଗତ ଜୁନ ୨ତାରିଖରେ ତାଙ୍କର ନିଜର ଏକ ବ୍ୟବସାୟ ଆରମ୍ଭ କରିବାକୁ ସାଉଦି ଆରବ ଯାତ୍ରା କରିଥିଲେ। ସେ ଅଗ୍ନାଶୟ ଜନିତ ରୋଗରେ ପୀଡ଼ିତ ହୋଇଥିଲେ ଏବଂ ଦୁଇ ବର୍ଷ ପୂର୍ବେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଯୋଗୁଁ ତାଙ୍କୁ ପୁନର୍ବାର ସେଠାକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ଗତ ଜୁଲାଇ ୧୦ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପରିବାରରେ ସେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ହୋଇଥିବାରୁ ତାଙ୍କ ବିୟୋଗରେ ପୁରା ପରିବାର ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା । ପରିବାରବର୍ଗ ଆର୍ଥିକ ଚାପରେ ଥିବାରୁ ତାଙ୍କ ମୃତଦେହକୁ ବିଂଝାରପୁର ଫେରାଇ ଆଣିବା ପାଇଁ ରାଜସ୍ୱ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କର ସହଯୋଗ ଲୋଡ଼ିଥିଲେ । ଶ୍ରୀମତୀ ମଲ୍ଲିକ ଘଟଣା ବିଷୟରେ ପ୍ରଥମେ ଓଡ଼ିଶା-ମୋ ପରିବାର ଆବାହକଙ୍କୁ ଜଣାଇଥିଲେ ଏବଂ ଠିକ୍ ସେହିପରି, ଯାଜପୁର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ବାହାରିନ୍ ରେ ଥିବା ଓଡ଼ିଶା-ମୋ ପରିବାର ପ୍ରତିନିଧି ଡଃ.ଅରୁଣ ପ୍ରହରାଜ (ଓଡ଼ିଆ ସମାଜର ପ୍ରତିଷ୍ଠାତା- ବାହାରିନ)ଙ୍କୁ ସୂଚନା ଦେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଡଃ. ପ୍ରହରାଜ ତୁରନ୍ତ ପଦକ୍ଷେପ ନେଇ ସାଉଦି ଆରବର ପ୍ରଶାସନିକ ଅଧିକାରୀଙ୍କ ସହିତ ସମନ୍ୱୟ ରକ୍ଷାକରି ମୃତ ଦେହକୁ ସାଉଦି ଆରବରୁ ଭୁବନେଶ୍ୱରକୁ ସ୍ଥାନାନ୍ତରଣ କରିବାରେ ସଫଳ ହୋଇଥିଲେ।
ଏହି ପରିପ୍ରେକ୍ଷିରେ ଆଜି ଗୋବିନ୍ଦଙ୍କ ମୃତଦେହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିଜୁ ଜନତା ଦଳ ସମ୍ପାଦକ(ଓଡ଼ିଶା-ମୋ ପରିବାର) ଶ୍ରୀ ଦୁର୍ଗା ସାମନ୍ତରାୟ, ମୀରା ପରିଡ଼ା, ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ମୃତଦେହକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଗ୍ରହଣ କରି ନିଜ ଜନ୍ମସ୍ଥାନ ବିଂଝାରପୁରକୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକୀୟ ଯାତାୟାତ ବ୍ୟବସ୍ଥା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.