ପୁରୀ (ଅନିମେଶ ପଟ୍ଟନାୟକ): ଶ୍ରୀମନ୍ଦିର ଆନନ୍ଦ ବଜାରରେ ଏଥର ଲାଗିବ ମହାପ୍ରସାଦ ରେଟ ଚାର୍ଟ । ଅସାଧୁ ବ୍ୟବସାୟୀଙ୍କ କବଳରୁ ମୁକ୍ତ ହେବ ଅବଢା ଖଳା । ଖୋଲାଯିବ ପୋଲିସ ସହାୟତା କେନ୍ଦ୍ର । ଫଳରେ ଆଉ ଶୋଷଣ ଓ ଦୁର୍ବ୍ୟବହାରର ଶିକାର ହେବେ ନାହିଁ ଭକ୍ତ ।
ଶନିବାର ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ହୋଇଛି ନିଷ୍ପତ୍ତି । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକ । ଆନନ୍ଦ ବଜାରରେ ମହାପ୍ରସାଦକୁ ନେଇ ଲଗାଯିବ ରେଟ ଚାର୍ଟ । ଫଳରେ ଚଢା ଦରରେ ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀଙ୍କ ଶିକାର ହେବେନି ଭକ୍ତମାନେ । ସେଥିପାଇଁ ଆନନ୍ଦ ବଜାର ଶୃଙ୍ଖଳା କମିଟି ଗଠନ କରାଯାଇଛି । ଶ୍ରୀମନ୍ଦିର ସ୍ୱତ ଲିପି ଅନୁସାରେ ଯେଉଁ ସୁପକାରମାନଙ୍କ ଅଧିକାର ଅଛି, କେବଳ ସେମାନେ ହିଁ ମହାପ୍ରସାଦ ବିକ୍ରି କରିପାରିବେ । ଯାହାଦ୍ୱାରା ଆଉ ଅଣ ସୁପକାରମାନେ ଆନନ୍ଦ ବଜାରରୁ ବାହାର ହେବେ । ସୁପକାରମାନଙ୍କ ଏକ ତାଲିକା ସୁଆର ମହାସୁଆର ନିଯୋଗ ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦେବେ । ସେହିପରି ସୁପକାରମାନଙ୍କୁ ମହାପ୍ରସାଦ ବିକ୍ରି ପାଇଁ ନୁତନ ଜାଗା ଚିହ୍ନଟ କରାଯାଇ ପ୍ରଦାନ କରାଯିବ । କେବଳ ଶ୍ରୀମନ୍ଦିର ରୋଷ ଘରେ ପ୍ରସ୍ତୁତ ମହାପ୍ରସାଦ ହିଁ ଆନନ୍ଦ ବଜାରରେ ବିକ୍ରି କରାଯିବ । ରାବିଡି ଓ ଖିରାକୁ ଆନନ୍ଦ ବଜାରରେ ବିକ୍ରି କରାଯିବ ନାହିଁ ।
ଅନ୍ୟପଟେ ଆନନ୍ଦ ବଜାରରେ ଅନେକ ସମୟରେ ଭକ୍ତଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି । ଭକ୍ତ ଓ ବ୍ୟବସାୟୀଙ୍କ ମଧ୍ଯରେ ଅନେକ ଥର ହାତାହାତି ମଧ୍ଯ ଦେଖିବାକୁ ମିଳିଛି । ଏହାକୁ ରୋକାଯିବାକୁ ଆନନ୍ଦ ବଜାରରେ ଏକ ପୋଲିସ ସହାୟତା କେନ୍ଦ୍ର ଖୋଲାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯିଇଛି । ଆନନ୍ଦ ବଜାର ଶୃଙ୍ଖଳା କମିଟିରେ ଶ୍ରୀମନ୍ଦିରର ୩ଜଣ ପ୍ରଶାସକ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର କମାଣ୍ଡାଣ୍ଟ, ସୁଆର ମହାସୁଆର ନିଯୋଗର ସଭାପତି ଓ ଅନ୍ୟ ସଦସ୍ଯ ଅଛନ୍ତି । ଏମାନେ ୧୦ ଦିନ ମଧ୍ୟରେ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କୁ ପ୍ରଦାନ କରିବାକୁ ବୈଠକରେ କୁହାଯାଇଛି ।
ଶନିବାର ହୋଇଥିବା ଦଇତାପତି ନିଯୋଗ ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ସୁରକ୍ଷା ପ୍ରଶାସକ ଭି ଏସ୍ ଚନ୍ଦ୍ରଶେଖର ରାଓ, ଉପଜିଲ୍ଲାପାଳ ଭବତାରଣ ସାହୁ, ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର ପ୍ରମୁଖ ଯୋଗ ଦେଇଥିଲେ।