ଗୁରୁଡା ମାଟି ର ଗର୍ବ ଉଦୀୟମାନ ଯୁବ ଫୁଟବଲ ଖେଳାଳୀ ଆଶିଷ ପୂର୍ତ୍ତି

0

ଟାଟା ଷ୍ଟିଲ୍ ଫାଉଣ୍ଡେସନ ଫୁଟବଲ୍ ପ୍ରଶିକ୍ଷଣ କେନ୍ଦ୍ରରୁ ପଞ୍ଜାବ

ଯୋଡା/ ପାର୍ଥ ସାରଥୀ ଷଡ଼ଙ୍ଗୀ: କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଗୁରୁଡା ଗ୍ରାମର 15 ବର୍ଷିୟ ଆଶିଷ ପୂର୍ତ୍ତି ଦିନେ ହୁଏତ ଭାବି ନ ଥିବେ, ଫୁଟବଲ ତାଙ୍କୁ ଦିନେ ଏତେ ଖ୍ୟାତ କରିଦେବ ବୋଲି I ଟାଟା ଷ୍ଟିଲ୍ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଫୁଟବଲ୍ ପ୍ରଶିକ୍ଷଣ କେନ୍ଦ୍ରରୁ ସୁଦୂର ପଞ୍ଜାବ କୁ ଯାତ୍ରା, ତାଙ୍କୁ ଏ ଅଞ୍ଚଳର ଜଣେ ଉଦୀୟମାନ ଯୁବ ଖେଳାଳି ଭାବେ ବେଶ୍ ପରିଚିତ କରାଇ ପାରିଛି I

ନିଜ ଅଞ୍ଚଳର ଖ୍ୟାତନାମା ଗୋଲ କିପର ବାପା ଦିନେଶ ପୂର୍ତ୍ତି ଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ 2017 ମସିହାରେ ସେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଫୁଟବଲ୍ ପ୍ରଶିକ୍ଷଣ କେନ୍ଦ୍ର ରେ ତାଲିମ୍ ନିଅନ୍ତି I

ଏହାର ଠିକ୍ ଏକ ବର୍ଷ ପରେ, ନିଜର ଅବିଶ୍ୱସନୀୟ ପ୍ରତିଭା ଯୋଗୁଁ ଟାଟା କମ୍ପାନୀ ଦ୍ଵାରା ଜାମସେଦପୁର ରେ ହେଉଥିବା ଚୟନ ପ୍ରକିୟା ରେ ବଛା ହୋଇ ପଞ୍ଜାବ ର ଖ୍ୟାତନାମା ମୀନର୍ଭା କ୍ଲବ ରେ ସେ ରେସିଡେନସିଆଲ୍ ପ୍ରଶିକ୍ଷଣ ପାଇଁ ଯୋଗ ଦିଅନ୍ତି I

ତା ପରଠାରୁ ସେ ପଛ କୁ ଫେରି ଚାହିଁ ନାହାନ୍ତି I ଆଉ ଏଇ ଭିତରେ ଜାତୀୟ ସ୍ତରରେ ଅନେକ ମ୍ୟାଚ ଖେଳି, ଏବେ ସ୍ଵପ୍ନ ଭାରତୀୟ ଦଳରେ ଖେଳିବାକୁ I

” ଆମ ଅଞ୍ଚଳରେ ବାପା ଗୋଲ କିପର ହିସାବରେ ବେଶ୍ ଜଣାଶୁଣା I କିନ୍ତୁ ମୋର ବିଶ୍ବାସ ମୁଁ ଦିନେ3 ଭାରତୀୟ ଫୁଟବଲ୍ ଦଳ ରେ ସ୍ଥାନ ପାଇ ମୋ ମାଟି ର ଟେକ ରଖିବି I”

ଆର୍ଜେଣ୍ଟିନା ର ଖେଳାଳି ଲିଓନେଲ ମେସି ଏବଂ ଭାରତର ଜାତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଙ୍କୁ ନିଜର ଆଦର୍ଶ ମାନିଥିବା ଏହି ଯୁବ ଖେଳାଳି ମୀନର୍ଭା କ୍ଲବ ପରେ ବର୍ତ୍ତମାନ ଉନ୍ନତ ଖେଳ ପାଇଁ ପଞ୍ଜାବ ର ରାଉଣ୍ଡ ଗ୍ଲାସ କ୍ଲବ ରେ ଅଣ୍ଡର-17 ଦଳ ରେ ପ୍ରଶିକ୍ଷଣରତ I

କେବଳ ଖେଳ ନୁହଁ, ସେ ନିଜ ଅଧ୍ୟୟନ ଉପରେ ମଧ୍ୟ ସମାନ ଗୁରୁତ୍ୱ ଦିଅନ୍ତି I ସେ ବର୍ତ୍ତମାନ ଚଣ୍ଡୀଗଡ଼ ର କେପିଏସ୍ ଇଂଗଲିଶ ମିଡିୟମ ସ୍କୁଲ ରେ ଦଶମ ଶ୍ରେଣୀରେ ଅଧ୍ୟୟନରତ I

ଆଶିଷ ଙ୍କ ବାପା ଦିନେଶ ମଧ୍ୟ ପୁଅ ପାଇଁ ବେଶ୍ ଗର୍ବିତ I ସେ କହନ୍ତି, “ବିଭିନ୍ନ ଅସୁବିଧା ଯୋଗୁଁ ମୁଁ ଫୁଟବଲ୍ ଖେଳି ପାରିଲିନି କିନ୍ତୁ ମୋର ବିଶ୍ବାସ ମୋ ପୁଅ ଦିନେ ଏହି ଖେଳ ଯୋଗୁଁ ଏ ମାଟି ପାଇଁ ସୁନାମ ଆଣିବ I”

ଟିଏସ୍ଏଫ୍ ର ଫୁଟବଲ୍ ପ୍ରଶିକ୍ଷଣ କେନ୍ଦ୍ରରୁ କୋଚିଂ ନେଇ, ଆଶିଷ ଙ୍କ ଭଳି ଯୋଡା ବସ୍ତି (ୱାର୍ଡ ନଂ 8) ର ମନୀଷା ନାୟକ, (ଆଜାଦ ବସ୍ତି ୱାର୍ଡ ନଂ 5 ) ର ବର୍ଷା ମହାକୁଡ ଏବଂ କ୍ୟାମ୍ପ ହଟିଂ ର ରୂପଶ୍ରୀ ମୁଣ୍ଡା ମଧ୍ୟ ଫୁଟବଲ୍ ଖେଳ କୁ ସେମାନଙ୍କ ର କ୍ୟାରିୟର ଭାବରେ ଗ୍ରହଣ କରିଛନ୍ତି I ବର୍ତ୍ତମାନ ମନିଷା ଏବଂ ରୂପଶ୍ରୀ ସୁନ୍ଦରଗଡ ର ସ୍ପୋର୍ଟ୍ସ ହଷ୍ଟେଲ ରେ ଏବଂ ବର୍ଷା କଟକ ର ସାଇ ହଷ୍ଟେଲ ରେ ପ୍ରଶିକ୍ଷଣ ନେଉଛନ୍ତି I

2012 ମସିହା ଠାରୁ ଯୋଡା ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ଟିଏସ୍ଏଫ୍ ଦ୍ଵାରା ନଅ ଗୋଟି ସେଣ୍ଟର ରେ ଫୁଟବଲ୍ କୋଚିଂ ପ୍ରଦାନ କରାଯାଇ ଆସୁଛି ଏବଂ ବର୍ତ୍ତମାନ ପ୍ରାୟ 200 ପୁଅ ଏବଂ ଝିଅ ଏହି କେନ୍ଦ୍ର ଗୁଡିକରେ କୋଚିଂ ନେଉଛନ୍ତି I

Leave A Reply

Your email address will not be published.