ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଡେଙ୍ଗୁ , ମେଲେରିଆ ଓ ଡାଇରିଆ ନିୟନ୍ତ୍ରଣ ଓ ନିରାକରଣ ଲାଗି ଜିଲ୍ଳାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଠାରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ାକ୍ତର ପ୍ରଦୀପ କୁମାର ପାତ୍ର ଓ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ଯାନ୍ତ୍ରିକ) ଜିଲ୍ଲାପରିଷଦ ଶ୍ରୀଯୁକ୍ତ ଜ୍ୟୋତିରାଜ ଅଧିକାରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ।
ଜିଲ୍ଲାରେ ଡେଙ୍ଗୁ , ମେଲେରିଆ ଓ ଡାଇରିଆ ନିୟନ୍ତ୍ରଣ ଲାଗି ଆଗୁଆ ପଦକ୍ଷେପ ଗ୍ରହଣ କରାଯିବା ସହିତ ପୌରା ଅଞ୍ଚଳରେ ସ୍ବଚ୍ଛତା , ଡ୍ରେନ ସଫେଇ ଉପରେ ଜିଲ୍ଲାପାଳ ଅଧିକ ଗୁରୁତ୍ବ ଦେଇଛନ୍ତି। ସହରାଅଞ୍ଚଳ ଓ ଗ୍ରାମ ଅଞ୍ଚଳରେ , କୌଣସି ସ୍ଥାନରେ ଯେପରି ପାଣି ନଜମେ ସେଥିପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରଦୀପ କୁମାର ପାତ୍ର ବୈଠକରେ ଉପସ୍ଥିତ ଥିବା ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ ଯେ ଡେଙ୍ଗୁ , ମେଲେରିଆ ଓ ଡାଇରିଆ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି , ଏହି ସବୁ ଲକ୍ଷଣକୁ ପିପିଟି ମାଧ୍ୟମରେ ଅବଗତ କରାଯାଇଥିଲା। ସ୍ଥିର ଏବଂ ନିର୍ମଳ ପାଣି ହେଉଛି ଏଡିସ୍ ମଶାର ବାସସ୍ଥାନ। ଏହି ମଶା ବାଘୁଆ ମଶା ଭାବେ ସାଧାରଣରେ ପରିଚିତ। ଏହି ଏଡିସ ମଶା ହେଉଛି ଡେଙ୍ଗୁ ରୋଗର ବାହକ। ଦିନ ବେଳା ଲୋକଙ୍କୁ କାମୁଡି ଥାଏ । ଏହି ମଶା କାମୁଡିବାର ସପ୍ତାହକ ମଧ୍ୟରେ ତାର ପ୍ରଭାବ ଦେଖାଇଥାଏ।
ଗୋଡ ହାତ ବିନ୍ଧିବା ସହ ଜ୍ୱରର ପ୍ରକୋପ ବଢିଥାଏ । ଏପରିକି ନାକ , ଦାନ୍ତ ଏବଂ ପାଟିରୁ ରକ୍ତ ପଡିଥାଏ । ଏହି ସବୁ ଲକ୍ଷଣ ଦେଖାଗଲେ ଡେଙ୍ଗୁ ରୋଗ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଇଥାଏ । ଏଡିସ ମଶା କୁଣ୍ଡରେ ଥିବା ପାଣି , ଟାୟାରରେ ଥିବା ପାଣି ଏବଂ ପ୍ଲାଷ୍ଟିକ ଅଥବା ଭଙ୍ଗାଟିଣ ସବୁରେ ସପ୍ତାହରୁ ଅଧିକ ରହୁଥିବା ସ୍ଥିର ପାଣିରେ ତାର ବଂଶ ବୃଦ୍ଧି କରିଥାଏ । ତେଣୁ ଘର ପାଖରେ ଏସବୁ ଜିନିଷ ନରଖି ତାକୁ ପୋଡି ଦେଲେ ଏଡିସ ମଶା ବଂଶ ବୃଦ୍ଧି ପାଇବ ନାହିଁ । ଏହାସହ ଡେଙ୍ଗୁ ରୋଗରେ ସଂକ୍ରମିତ ବ୍ୟକ୍ତି ସର୍ବଦା ମଶାରି ଭତିରେ ରହିଲେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି କହିଛନ୍ତି।
ଏଣୁ ନିଜ ନିଜ ଅଞ୍ଚଳର ପରିବେଶ ସ୍ୱଚ୍ଛତା ରଖିବା ନିମନ୍ତେ ଆବଶ୍ୟକ ରହିଛି ବୋଲି କୁହାଯାଇଛି। ଡେ଼ଙ୍ଗୁ ଜ୍ବରର ପ୍ରାଥମିକ ଲକ୍ଷଣ ଦେଖାଯିବା ମାତ୍ରେକେ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନେବାପାଇଁ କୁହାଯାଇଛି। ଜିଲ୍ଲାରେ ୨୦୨୨- ୨୩ ରେ ୧୦୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ମୋହନା , ଗୋଷାଣୀ ଓ ପାରଳାଖେମୁଣ୍ଡିରେ ଅଧିକ ଚିହ୍ନଟ ହୋଇଛି। ସେହିପରି ଡେଙ୍ଗୁ ରୋଗ ସମ୍ପର୍କରେ ବ୍ୟାପକ ସଚେତନତା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଗାଁ କଲ୍ୟାଣ ସମିତି ମାଧ୍ୟମରେ ପ୍ରତି ଗାଁ ଗୁଡିକରେ ଗାଁ ର ଆଶା ଓ ଅଙ୍ଗନୱାଡ଼ି କର୍ମୀ ମାନଙ୍କ ମାଧ୍ୟମରେ ସଫେଇ କରାଯିବ ଏବଂ ସମସ୍ତ ବିଦ୍ୟାଳୟ ଗୁଡ଼ିକରେ ପରିସ୍କାର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବୈଠକରେ ଅତିରିକ୍ତ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରମୋଦ କୁମାର ପଣ୍ଡା , ଡିପିଏଚ୍ଓ ଡାକ୍ତର ମୁବାରକ ଆଲ୍ଲୀ , ଡିପିଏମ ସୁଶ୍ରି ସୌମ୍ୟା ରାଣୀ ଗୌଡ଼ ସମେତ ଜିଲ୍ଲାର ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.