ନୟାଗଡ଼:ଜିଲ୍ଲାସ୍ତରୀୟ ଯୁବଉତ୍ସବ ପାଳିତ

0

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନେହେରୁ ଯୁବ କେନ୍ଦ୍ର ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବକୁ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଶୁଭ ଉଦଘାଟନ କରିବା ସହିତ ବୈଠକରେ ମୁଖ୍ୟ ଅତିଥ୍ ଭାବେ ଯୋଗ ଦାନ କରିଥିଲେ ।
ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ପ୍ରତିଯୋଗୀଙ୍କୁ ଆଜିର ଯୁବ ଉତ୍ସବ ପାଳନର ତାତ୍ପର୍ଯ୍ୟ ଉପରେ କହିଥିଲେ । ଆଜିର ଯୁବକ ୨୦୪୭ ମସିହା ବେଳକୁ ଏ ଦେଶର କର୍ଣ୍ଣଧାର ସାଜିଥିବେ । ସେମାନଙ୍କ ମୂଳଦୁଆ ଯେତେ ଶୃଙ୍ଖଳିତ ଓ ମଜବୁତ ହେବ ସେହି ଅନୁସାରେ ଦେଶ ଉନ୍ନତି ଓ ବିକାଶ ପଥରେ ଆଗେଇ ଚାଲିବ । ଅନ୍ୟାନ୍ୟ ମଂଚାସୀନ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ଅଧିକାରୀ ଅନୁରାଗ କୁମାର , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଅଧ୍ୟକ୍ଷ କେନ୍ଦ୍ରୀୟ ବିଦ୍ୟାଳୟ ନବକିଶୋର ସେଠୀ ଉପସ୍ଥିତ ରହି ଆଜିର ଉତ୍ସବ ପାଳନ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ନୟାଗଡ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ୧୫ ରୁ ୨୯ ବର୍ଷ ବୟସର ଯୁବକ ଯୁବତୀମାନଙ୍କ ମଧ୍ୟରେ କବିତା ଲିଖନ, ଚିତ୍ରାଙ୍କନ, ବକ୍ତୃତା ପ୍ରତିଯୋଗିତା ମୋବାଇଲ ଫଟୋଉଠା, ସାଂସ୍କୃତିକ ପ୍ରତିଯୋଗିତା ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା
। ଏତଦ ବ୍ୟତୀତ ଭାରତୀୟ ଷ୍ଟେଟ ବ୍ୟାଙ୍କ ତାଲିମ ପ୍ରତିଷ୍ଠାନ, ନୟାଗଡ, ଜିଲ୍ଲା ଅଗ୍ନିଶମ ବିଭାଗ କୃଷି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଆଦି ବିଭାଗ ତରଫରୁ ପ୍ରଦର୍ଶନୀ ମଣ୍ଡପ ପ୍ରସ୍ତୁତ କରାଯାଇଥିଲା । ଅପରାହ୍ନରେ ଆଜିର ଏହି କାର୍ଯ୍ୟକ୍ରମର ଉଦଯାପନୀ ସଭାରେ ରଣପୁର ବିଧାୟକ ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା ବୋର୍ଡ଼ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଅଧ୍ୟକ୍ଷ ନୟାଗଡ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସୁରେଶ କୁମାର ପ୍ରଧାନ, ଜିଲ୍ଲା ଯୁବ ଅଧିକାରୀ ଅନୁରାଗ କୁମାର , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରି ଉତ୍ସାହିତ କରିଥିଲେ । ଉପରୋକ୍ତ ପ୍ରତିଯୋଗିତା ଗୁଡିକରେ ୨୫୦ରୁ ଉଦ୍ଧ ଯୁବକ ଯୁବତୀ ଭାଗ ନେଇଥିଲେ । ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ଯୁବ ଉତ୍ସବର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଦୂରଦର୍ଶନ ଦ୍ବାରା କଭରେଜ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମର ମଂଚ ପରିଚାଳନା କରିଥିଲେ ଅଶୋକ କୁମାର ବେହେରା ,କେନ୍ଦ୍ରୀୟ ବିଦ୍ୟାଳୟ , ନୟାଗଡ। ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.