ଅପରାଧୀ ମାନଙ୍କୁ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଦେଲେ ଚେତାବନୀ

0

 “ଜନସାଧାରଣଙ୍କୁ କ୍ଷତି ପହଞ୍ଚାଇଲେ ହେବ ଏନକାଉଣ୍ଟର୍”

ଢେଙ୍କାନାଳ/ରବିନ୍ ଦାସ ; କାମାକ୍ଷାନଗର ବିଜେଡ଼ି ନେତା ତଥା ଠିକାଦାର କାହ୍ନୁଚରଣ ସାହୁ ଲଗାତାର ତିନିଥର ଆକ୍ରମଣର ଶିକାର ହେବା ପରେ ଆତଙ୍କିତ ସମଗ୍ର ଜିଲ୍ଲା । ସ୍ପଷ୍ଟ ଦିବାଲୋକରେ ଚାଲିଛି ଅନେକ ଅପରାଧିକ କାର୍ଯ୍ୟକଳାପ ଯାହାକୁ ନେଇ ମାନସିକ ଚାପଗ୍ରସ୍ତ ଜନସାଧାରଣ । ଜିଲ୍ଲାର କୋଣ ଅନୁକୋଣରେ ଦୈନିକ ଚୋରି ହେଉଥିବା ସହିତ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଲୁଟ୍ କରୁଛନ୍ତି ଦୁର୍ବୃତ୍ତ । ଏଭଳି ସ୍ଥିତିରେ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ରଙ୍କ ଚରମ ବାଣୀ ଦେଇଛି ଆଶ୍ୱସ୍ତି । ଚର୍ଚ୍ଚିତ ବିଜେଡ଼ି ନେତାଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ ପରେ ଶ୍ରୀ ମହାପାତ୍ର ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଗିରଫ ହୋଇଥିବା ଅପରାଧୀମାନେ ହେଉଛନ୍ତି ଏକ ମାଫିଆ ଗ୍ୟାଙ୍ଗ୍ ର ସଦସ୍ୟ । ” କିଙ୍ଗ୍ ଅଫ୍ ଫରେଷ୍ଟ” ନାମକ ଏହି ମାଫିଆ ଗ୍ୟାଙ୍ଗ୍ ଯାହାର ମୁଖ୍ୟ ରାକେଶ ନାଥ ରହିଛି । ପୋଲିସ ସୂଚନା ଅନୁଯାୟୀ ଏହି ଗ୍ୟାଙ୍ଗ୍ କାମାକ୍ଷାନଗର ସମେତ ଢେଙ୍କାନାଳ, କଟକ, ଭୁବନେଶ୍ୱର ଆଦି ବଡ଼ ବଡ଼ ସହର ମାନଙ୍କରେ ମଧ୍ୟ ଅପରାଧ ଚଳାଇ ଆସୁଛନ୍ତି । ଏମାନଙ୍କ ଲକ୍ଷ୍ୟ ସବୁବେଳେ ବହୁ ବଡ଼ ବଡ଼ ବ୍ୟବସାୟୀ ଓ ଠିକାଦାର ମାନଙ୍କୁ ଭୟଭୀତ କରାଇ ଦାଦାବଟି ଆଦାୟ କରିବା । ବଟି ଦେବାକୁ ଯିଏ ରାଜି ନହୁଏ ତେବେ ଏମାନେ ତାଙ୍କୁ ଓ ତାଙ୍କ ଘର ଉପରେ ଆକ୍ରମଣ କରି ପରିବାର ସଦସ୍ୟଙ୍କୁ ମଧ୍ୟ ହଇରାଣ କରନ୍ତି । ସେହିପରି କାମାକ୍ଷାନଗରର କାହ୍ନୁଚରଣ ସାହୁ ମଧ୍ୟ ଏହି ମାଫିଆଙ୍କ ନଜରରେ ଥିଲେ । ବଟି ନଦେବାରୁ ତାଙ୍କୁ ତିନି ତିନିଥର ଆକ୍ରମଣ କରି ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି । ଗୋଷ୍ଠୀର ମୁଖ୍ୟ ରାକେଶ ନାଥ ଫେରାର୍ ଥିବାବେଳେ ୨୫ ଜଣ ସଦସ୍ୟ ମଧ୍ୟରୁ ମାତ୍ର ଚାରିଜଣ ଗିରଫ ହୋଇଥିବା ଜଣାପଡ଼ିଛି । ଏସବୁ ଘଟଣାକୁ ଗମ୍ଭୀରତା ସହକାରେ ନେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହାପାତ୍ର ଆକ୍ସନ ମୁଡ୍ କୁ ଆସିଛନ୍ତି । ସମାଜରେ ଜନସାଧାରଣଙ୍କୁ ଯେ କେହି ଭୟଭୀତ କରିବ ତା ଉପରେ ଢେଙ୍କାନାଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ଅପରାଧ କରିବାରୁ ନିବୃତ୍ତ ନରହିଲେ ଏଥର ସିଧା ଗୁଳି କରାଯିବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ଜନସାଧାରଣଙ୍କ ସୁରକ୍ଷା ପାଇଁ ଜ୍ଞାନରଞ୍ଜନ ମହାପାତ୍ରଙ୍କ ଏଭଳି କଡ଼ା ଆଭିମୁଖ୍ୟ ଜିଲ୍ଲାବାସୀଙ୍କ ମନରେ ଖୁସି ଭରି ଦେଇଛି । ସମସ୍ତେ ଦୀର୍ଘ ନିଃଶ୍ବାସ ନେବା ସହିତ ଏଥର ଅପରାଧ ନିଶ୍ଚୟ କମିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.