ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଓଡ଼ଗାଁ ଅଞ୍ଚଳର ବିଶିଷ୍ଟ କବି, ଆଦର୍ଶ ଶିକ୍ଷକ, ସୁଗାୟକ, ପ୍ରକୄତିପ୍ରେମୀ ପ୍ରହଲ୍ଲାଦ ବେହେରାଙ୍କ ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ମିଳିଥିବା ଖବରରୁ ପ୍ରକାଶ ଯେ ସ୍ବର୍ଗତ ବେହେରା ରଥଯାତ୍ରା ଦିନ ସକାଳୁ ଶ୍ରୀ ରଘୁନାଥଙ୍କୁ ଦର୍ଶନ ସାରି ନିଜ ବାସଭବନକୁ ଫେରିବା ପରେ ପରିବାର ସଦସ୍ୟଙ୍କ ଅଗୋଚରରେ ନିଶୁଣି ପକାଇ ପାଚେରୀ ଉପରେ ଚଢ଼ି ଫୁଲଗଛର ଡାଳ କାଟି ସଜାଉଥିବା ସମୟରେ ଅସାବଧାନବଶତଃ ଖସିପଡିଲେ।ଫଳରେ ମୁଣ୍ଡ ପଛପାଖ ଖୁବ୍ ଜୋର ଆଘାତ ହୋଇ ଉଭୟ ପାଟି ଓ ନାକରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା।କିଛି ସମୟ ପରେ ତାଙ୍କ ପୁଅ ଦେଖିଥିଲେ ଓ ସଙ୍ଗେ ସଙ୍ଗେ ତାଙ୍କୁ ଓଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଏମ୍ସ ଭୁବନେଶ୍ୱର ଓ ତତପରେ କଟକ ଏସ୍ ସି ବି ରେ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ତେବେ ଦୁର୍ଘଟଣା ଦିନଠାରୁ କୋମାରେ ଥିବା ବେଳେ ଡାକ୍ତର ମାନଙ୍କ ସମସ୍ତ ପ୍ରଚେଷ୍ଟା ବୃଥା ଯାଇଥିଲା। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ନିକଟରେ ସେ ପଦୋନ୍ନତି ପାଇଥିଲେ ଏବଂ ରଥଯାତ୍ରା ପରେ ନୂତନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଥାନ୍ତେ। ତାଙ୍କର ଏହି ଅକାଳ ବିୟୋଗରେ ବିଭିନ୍ନ ଶିକ୍ଷକ ସଂଗଠନ, ସହିତ୍ୟାନୁଷ୍ଠାନ ସମେତ ସମାଜସେବୀ ଦାମୋଦର ସାହୁ, କବି ଗୋଦାବରୀଶ ମିଶ୍ର, ଲେଖକ ପରିଷଦ ସମ୍ପାଦକ ଶେଖ ଅବଦୁଲ ଖାଲିକ,ଡ.ବିଜୟ ଚୌଧୁରୀ, ସିତୁ ପ୍ରକାଶ ରଥ,ଡ. ନିର୍ମଳ ଶୁରଦେଓ,ଗୁଣନିଧି ମହାପାତ୍ର, ଗୋପୀନାଥ ସେଠି, ଅଶୋକ ମଲ୍ଲ, ପ୍ରଶାନ୍ତ ଦାଶ, ଲକ୍ଷ୍ମୀଧର ସାହୁ,ଜୟଶ୍ରୀ ଦେବୀ,ପ୍ରଭାସିନୀ ବରାଡ଼ଙ୍କ ସମେତ ଅନେକ ଶିକ୍ଷକ, କବି, ଲେଖକ ତଥା ସାହିତ୍ୟିକ ମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.