କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କେବଳ ରାଜନୈତିକ ହଟଚମଟ

0

 

କେନ୍ଦ୍ରମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣରେ ରାଜନୀତିର ଗନ୍ଧ ବାରି ହୋଇପଡୁଛି : ବିଜୟ

ଭୁବନେଶ୍ୱର : କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଓଡ଼ିଶା ଆସି ଅଯଥାରେ ରାଜନୀତି କରୁଛନ୍ତି । ଓଡ଼ିଶାର ଚାଷୀମାନଙ୍କ ପ୍ରତି ତାଙ୍କର ଦରଦ ନାହିଁ । ରାଜ୍ୟର ଚାଷୀମାନଙ୍କ ଅଭାବନୀୟ ପରିସ୍ଥିତିର ଫାଇଦା ନେବା ପାଇଁ ତାଙ୍କର ଉଦ୍ୟମ ନିହାତି ଦୁର୍ଭାଗ୍ୟଜନକ । ଓଡ଼ିଶାର ଚାଷ ଓ ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କର ନିର୍ଦ୍ଧିଷ୍ଟ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ କୌଣସି ସୂଚନା ନଦେଇ ରାଜ୍ୟ ସରକାରଙ୍କୁ ଦାୟୀ କରିବା ତାଙ୍କ ହୀନ ରାଜନୀତିର ଅଂଶବିଶେଷ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି।
ଶ୍ରୀ ନାୟକ କହିସଜ୍ଜନ୍ତି ଯେ କୃଷି ହେଉଛି ରାଜ୍ୟ ତାଲିକାଭୁକ୍ତ ବିଷୟ । ଏଥିରେ କେନ୍ଦ୍ର ସରକାରଙ୍କ ଅନୁପ୍ରବେଶ ଗ୍ରହଣଯୋଗ୍ୟ ନୁହେଁ । କେନ୍ଦ୍ର ସରକାର ଯଦି କୌଣସି ବିଶେଷ ପ୍ରସ୍ତାବ ଏବଂ ସହଯୋଗ ସହିତ ଆସନ୍ତି, ତା’ହେଲେ ରାଜ୍ୟ ତାକୁ ସ୍ୱାଗତ କରିବ । ରାଜ୍ୟ ସରକାରଙ୍କ ସହିତ କୌଣସି ଯୋଗାଯୋଗ ନକରି ରାଜ୍ୟକୁ ଆସି କୃଷକମାନଙ୍କ ସଂପର୍କରେ ମନ୍ତବ୍ୟ ଦେବା ଏବଂ ସାମ୍ପ୍ରତିକ ପରିସ୍ଥିତି ସଂପର୍କରେ ବକ୍ତବ୍ୟ ରଖିବା କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରେ ଶୋଭନୀୟ ନୁହେଁ । ଯଦି ଓଡ଼ିଶାର ସମସ୍ୟା ସଂପର୍କରେ କେନ୍ଦ୍ର ସରକାରଙ୍କ ଦରଦ ଅଛି, ତେବେ ରାଜ୍ୟ ସରକାରଙ୍କ ସହିତ ମିଳିମିଶି କାମ କରିବା କେବଳ କଥାରେ ନୁହେଁ, କାର୍ଯ୍ୟରେ ପ୍ରତିଫଳିତ ହେବା ଦରକାର । ରାଜ୍ୟ ସରକାର ଚାଷୀମାନଙ୍କର ସମସ୍ୟାର ସମଧାନ ପାଇଁ ତଥା କୃଷି ଓ କୃଷକର ସର୍ବାଙ୍ଗୀନ ବିକାଶ ପାଇଁ ବହୁବିଧ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଓଡ଼ିଶାର ଚାଷୀକୁଳଙ୍କ ସର୍ବବିଧ ଉନ୍ନତି ପାଇଁ ବ୍ୟାପକ ଯୋଜନା କରିଛନ୍ତି, ଯାହାର ସୁଫଳ ବିଭିନ୍ନ କ୍ଷେତ୍ରରେ ପରିଲକ୍ଷିତ ହୋଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଅସହଯୋଗ ଓ ଉଦାସୀନତା ପାଇଁ ଅନେକ କ୍ଷେତ୍ରରେ ବାଧକ ସୃଷ୍ଟି ହୋଇଛି । ଓଡ଼ିଶାର କୃଷକମାନଙ୍କର ମୁଖ୍ୟ ଚାଷ ହେଉଛି ଧାନ । ଧାନର ଉପଯୁକ୍ତ ମୂଲ୍ୟ ହେଉନାହିଁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇବା ପାଇଁ ଓଡ଼ିଶା ବିଧାନସଭାରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ପାରିତ ହୋଇଛି । ବିଧାନସଭାର ସର୍ବଦଳୀୟ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଧାନସଭାର ନିଷ୍ପତ୍ତି ଉପସ୍ଥାପନ କରିବା ସହିତ ଏ ସଂପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ବାରମ୍ବାର ଅନୁରୋଧ ସତ୍ତେ୍ୱ ପ୍ରଧାନମନ୍ତ୍ରୀ ସମୟ ଦେଇନାହାନ୍ତି । ଏବଂ ଏକତରଫା ଭାବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନିକଟରେ ମାତ୍ର ୮୦ ଟଙ୍କା ବଢ଼ାଇବା ଓଡ଼ିଶାର ଚାଷୀମାନଙ୍କ ପ୍ରତି ଉପହାସ ମାତ୍ର । ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ମୁହଁ ନଖୋଲିବା ପରିତାପର ବିଷୟ । କେନ୍ଦ୍ରମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣରେ ରାଜନୀତିର ଗନ୍ଧ ବାରି ହୋଇପଡୁଛି । ଏହାକୁ ଓଡ଼ିଶାର ଚାଷୀକୁଳ କଦାପି ଗ୍ରହଣ କରିବେ ନାହିଁ ଶ୍ରୀ  ନାୟକ କହିଛନ୍ତି ।

Leave A Reply

Your email address will not be published.