ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ ଏବଂ ନିଯୁକ୍ତିକ୍ଷମ କରିବା ନିମନ୍ତେ ପ୍ରୟାସ

0 2

ଓଡ଼ିଶା ସରକାର ଏବଂ ଇନଫୋସିସ୍ ଲିମିଟେଡ୍ (ସ୍ପ୍ରିଙ୍ଗବୋର୍ଡ) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର– ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ ଏବଂ ନିଯୁକ୍ତିକ୍ଷମ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ଇନଫୋସିସ୍ ଲିମିଟେଡ୍ (ସ୍ପ୍ରିଙ୍ଗବୋର୍ଡ) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ସ୍ଥାନୀୟ ଲୋକସେବା ଭବନଠାରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣା ଦ୍ୱାରା ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ୧୧୦୦ ଶିକ୍ଷାନୁଷ୍ଠାନର ୮ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଶିକ୍ଷାର ଏହି ଗଣତାନ୍ତ୍ରିକୀକରଣ ଦ୍ୱାରା ଛାତ୍ରଛାତ୍ରୀମାନେ ନିଜକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରି ନିଯୁକ୍ତିକ୍ଷମ ହୋଇପାରିବେ ।

ସୂଚନାଯୋଗ୍ୟ ଯେ ଇନଫୋସିସ୍ ଏହାର ଇ.ଏସ.ଜି. ଭିଜନ ୨୦୩୦ ଅନୁଯାୟୀ, ଇନଫୋସିସ୍ ସ୍ପ୍ରିଂବୋର୍ଡ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୨୫ ସୁଦ୍ଧା ଭାରତରେ ୧୦ ନିୟୁତରୁ ଅଧିକ ଲୋକଙ୍କୁ ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ଡିଜିଟାଲ ଜ୍ଞାନକୌଶଳରେ ସକ୍ଷମ ଏବଂ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି । ଇନଫୋସିସ କମ୍ପାନୀ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ ଇନଫୋସିସ୍ ସ୍ପ୍ରିଙ୍ଗବୋର୍ଡ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ବିଭିନ୍ନ ଡିଭାଇସରେ ମାଗଣା ଉଚ୍ଚ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଛି । ଶିକ୍ଷାର୍ଥୀ-ପ୍ରଶିକ୍ଷକମାନଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ସହ ଏହି ପ୍ଲାଟଫର୍ମ ଷଷ୍ଠ ଶ୍ରେଣୀରୁ ଆଜୀବନ ଶିକ୍ଷାର୍ଥୀମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଶିକ୍ଷାଦାନ କରିପାରୁଛି ।

ଏହା କୋର୍ସେରା, ସ୍କିଲସଫ୍ଟ, ଟେକାଡେମି, ନୋଲସ୍କେପ୍ ଏବଂ ହାର୍ଭାର୍ଡ ବିଜନେସ୍ ପବ୍ଲିସିଂ ଭଳି ବିଶ୍ୱର ଅଗ୍ରଣୀ ଡିଜିଟାଲ ଶିକ୍ଷାପ୍ରଦାନକାରୀ ସଂସ୍ଥାଗୁଡିକ ସହଯୋଗରେ ବିକଶିତ ହୋଇଥିବା ବିଭିନ୍ନ ପାଠ୍ୟକ୍ରମ ପ୍ରଦାନ କରୁଛି । ଇନଫୋସିସ୍ ସ୍ପ୍ରିଙ୍ଗବୋର୍ଡ ଆରମ୍ଭ ପରଠାରୁ ଭାରତର ବିଭିନ୍ନ ଭାଗରେ ଶିକ୍ଷାର୍ଥୀମାନଙ୍କଠାରେ ପହଞ୍ଚିବାକୁ ସକ୍ଷମ ହୋଇଛି । ବର୍ତ୍ତମାନ ସୁଦ୍ଧା ୫.୫ ନିୟୁତରୁ ଅଧିକ ଶିକ୍ଷାର୍ଥୀ ଏଠାରେ ପଞ୍ଜୀକୃତ ହୋଇଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷଣ ପୋର୍ଟାଲ, ସ୍ୱତନ୍ତ୍ର ସମ୍ବଳ ଏବଂ ବିଶେଷଜ୍ଞ ପରାମର୍ଶଦାତା ଜରିଆରେ ଏହା ଗ୍ରାମାଞ୍ଚଳର ମହିଳା ଏବଂ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିଆସୁଛି । ଭାରତର ଜାତୀୟ ଶିକ୍ଷା ନୀତି ୨୦୨୦ ସହିତ ଏହା ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇଛି। ସଫ୍ଟ ସ୍କିଲ୍ ବ୍ୟତୀତ ଧନ୍ଦାମୂଳକ ଦକ୍ଷତା ବୃଦ୍ଧି ପାଇଁ ଏହି ଶିକ୍ଷଣ କାର୍ଯ୍ୟକ୍ରମ ବିଶେଷ ଭାବେ ଉପଯୋଗୀ ଅଟେ ।
ଏହି ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ସମେତ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଇନଫୋସିସର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.