ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ତୃଟିପୂର୍ଣ୍ଣ ନିର୍ଦ୍ଦେଶନାମା ପ୍ରତ୍ୟାହାର ତଥା ତୁରନ୍ତ ପଦୋନ୍ନତି ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟରେ ଦାବି କରାଯାଇଛି । ସୂଚନା ଯୋଗ୍ୟ ଯେ ଚଳିତମାସ ୬ ତାରିଖରେ ଚିଠି ନଂ-୧୦୬୮୬ରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶିକ୍ଷକ ମାନଙ୍କ ପଦୋନ୍ନତି ସମ୍ପର୍କରେ ଏକ ତୃଟିପୂର୍ଣ୍ଣ ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି । ଏହି ନିର୍ଦ୍ଦେଶନାମା ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ ୨୦୧୯ କ୍ୟାଡର ରୁଲକୁ ବିରୁଦ୍ଧାଚରଣ କରିବା ସହିତ ଶିକ୍ଷକମାନଙ୍କ ପଦୋନ୍ନତିରେ ବାଧା ସୃଷ୍ଟି କରୁଛି । ବିଗତ ଦିନ ମାନଙ୍କରେ ୨୦୧୯ କ୍ୟାଡର ରୁଲ ଅନୁସାରେ ଅନେକ ଶିକ୍ଷକ ପଦୋନ୍ନତି ପାଇଁ ପ୍ରଧାନ ଶିକ୍ଷକ,ଏବିଇଓ ଆଦି ହୋଇ କାର୍ଯ୍ୟ କରୁଛନ୍ତି ଅବା ଅବସର ଗ୍ରହଣ କରିଛନ୍ତି । ଅନ୍ୟପକ୍ଷରେ ଏହି ତୃଟିପୂର୍ଣ୍ଣ ନିର୍ଦ୍ଦେଶନାମା ଏହି ଶିକ୍ଷକ ମାନଙ୍କ ବୃତ୍ତିଗତ ଜୀବନକୁ ପ୍ରଭାବିତ କରିବ ବୋଲି ସଂଘ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି । ସେହିପରି ପଦୋନ୍ନତି ଅପେକ୍ଷାରେ ଆଶାୟୀ ଥିବା ବହୁ ଶିକ୍ଷକ ଏହାଦ୍ୱାରା ଅସୁବିଧାର ସମ୍ମୁଖୀନ ହେବା ସହିତ ପଦୋନ୍ନତିରେ ଅଯଥା ବିଳମ୍ବ ହେବାର ସମ୍ଭାବନା ରହିଛି । ତୁରନ୍ତ ଏହି ତୃଟିପୂର୍ଣ୍ଣ ନିର୍ଦ୍ଦେଶନାମା ପ୍ରତ୍ୟାହାର କରିବା ସହିତ ୨୦୧୯ କ୍ୟାଡର ରୁଲ ଅନୁସାରେ ଯଥାଶୀଘ୍ର ପଦୋନ୍ନତି ପ୍ରକ୍ରିୟା ଶେଷ କରିବା ପାଇଁ ଏକ ଦାବିପତ୍ର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକଙ୍କ ଜରିଆରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏଥିରେ ଜିଲ୍ଲା ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ସଭାପତି ଜ୍ୟୋତିରଂଜନ ଦାଶ,ସମ୍ପାଦକ ଭକ୍ତ ରଂଜନ ମିଶ୍ର,ଭକ୍ତବଲ୍ଲଭ ବଟକୃଷ୍ଣ ମିଶ୍ର,ସୁରେଶ ମହାପାତ୍ର,ଲକ୍ଷ୍ମୀଧର ସାହୁ,ଉମେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.