ସିନ୍ଦୁରିଆ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

0 2

ନୟାଗଡ଼,୩୦ା୪: ନୟାଗଡ଼ ବ୍ଲକ ଅନ୍ତର୍ଗତ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦର୍ଶନ ପ୍ରଧାନଙ୍କୁ କ୍ଲଷ୍ଟରସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ନୟାଗଡ଼ ବ୍ଲକ ସଭାଗୃହଠାରେ ରବିବାର ଦିନ ଦିଆଯାଇଛି । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ବିଦାୟ ସମ୍ବର୍ଦ୍ଧନା ସଭା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋଦାବରୀଶ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ,ମୁଖ୍ୟ ବକ୍ତାଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଡ.ବସନ୍ତ ନାୟକ,ସମ୍ମାନୀତ ଅତିଥିଭାବେ ପୂର୍ବତନ ବ୍ଳକ ଶିକ୍ଷାଧିକାରୀ ପ୍ରତାପ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ଶିକ୍ଷକ ଜୀବନର ବିଭିନ୍ନ ସୋପାନ ସମ୍ପର୍କରେ ଆଲୋକପାତ କରିବା ସହିତ ଅବସର ଗ୍ରହଣ କରିଥିବା ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନ ଜଣେ ଆଦର୍ଶ,କର୍ତ୍ତବ୍ୟ ପରାୟଣ,ଛାତ୍ରବତ୍ସଳ ଶିକ୍ଷକଭାବେ ସମଗ୍ର ଶିକ୍ଷକଜାତି ପାଇଁ ଆଦର୍ଶ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ । ପରେ ଶ୍ରୀ ପ୍ରଧାନଙ୍କୁ ସିନ୍ଦୁରିଆ କ୍ଲଷ୍ଟର ଏବଂ ସେ ଶିକ୍ଷକଭାବେ କାର୍ଯ୍ୟ କରିଥିବା ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ମାନପତ୍ର, ଉପଢ଼ୌକନ ଏବଂ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ପ୍ରାଥମିକ ଏବଂ ମାଧ୍ୟମିକ ସ୍ତରରୁ ବିଭିନ୍ନ ଶିକ୍ଷକ ସଂଗଠନର ପ୍ରତିନିଧିମାନେ ଯୋଗଦାନ କରି ବିଦାୟୀ ଶିକ୍ଷକ ଶ୍ରୀ ପ୍ରଧାନଙ୍କ ଅବସରକାଳୀନ ଜୀବନର ସୁସ୍ଥ ଓ ନିରାମୟ କାମନା କରିଥିଲେ । ସିନ୍ଦୁରିଆ ସରକାରୀ ହାଇସ୍କୁଲର ସହକାରୀ ଶିକ୍ଷକ ଶେଖ ଅବଦୁଲ ଖାଲିକ ମଞ୍ଚ ପରିଚାଳନା କରିଥିବା ବେଳେ ସିଆରସିସି ମୃତ୍ୟୁଞ୍ଜୟ ଷଢ଼ଙ୍ଗୀ ଧନ୍ୟବାନ ପ୍ରଦାନ କରିଥଲେ । ଏହି ସମ୍ବର୍ଦ୍ଧନା ସଭାରେ କ୍ଲଷ୍ଟରସ୍ତରରେ କାର୍ଯ୍ୟରତ ବିଭିନ୍ନ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.