ଓଡଗାଁ ମିଶନ ଶକ୍ତି ଭବନ ଉଦଘାଟିତ

0

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଓଡଗାଁ ବ୍ଳକ ସ୍ୱୟଂ ସହାୟକ ଗୋଷ୍ଠୀ ଓଡିଶା ରାଜ୍ୟରେ ଏକ ସମ୍ମାନ ଜନକ ସ୍ଥିତିରେ ରହିଥିବା ବେଳେ ଦୃଢ଼ ଆତ୍ମବିଶ୍ୱାସ ରହିଲେ ଆପଣମାନେ ସ୍ୱାବଲମ୍ବୀ ହୋଇପାରିବେ। ଏବଂ ସ୍ଥାନୀୟ ଅଂଚଳରେ ଅର୍ଥନୈତିକ ଅଭିବୃଦ୍ଧି କାରଣରୁ ପରୋକ୍ଷରେ ଅନ୍ୟମାନେ ବି ଏହା ଦ୍ୱାରା ଉପକୃତ ହେବେ ବୋଲି ବୁଧବାର ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମିଶନ ଶକ୍ତି ଭବନ ଉଦଘାଟନୀ ସଭାରେ ଯୋଗ ଦେଇ ଉପସ୍ଥିତ ୨ହଜାର ୫ଶହରୁ ଉର୍ଦ୍ଧ୍ଵ ମହିଳା ମାନଙ୍କ ସାମ୍ନାରେ ନୟାଗଡ ବିଧାୟକ ଡ ଅରୁଣ କୁମାର ସାହୁ ବକ୍ତବ୍ୟ ରଖିଥିଲେ। ଓଡଗାଁ ବ୍ଲକର ମୋଟ ୨୯୯୪ ଗୋଷ୍ଠୀରୁ ୨୧୮୬ ଗୋଷ୍ଠୀଙ୍କୁ ୬୦କୋଟି ୪୫ ଲକ୍ଷ ୭୦ ହଜାର ଟଙ୍କା ଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ ଧାର୍ଯ୍ୟ କରିଥିବା ବେଳେ ଓଡ଼ଗାଁ ବ୍ଲକରେ ଧାର୍ଯ୍ୟ ଲକ୍ଷ ଠାରୁ ଅଧିକ ୨୨୪୨ ଗୋଷ୍ଠୀଙ୍କୁ ୭୭ କୋଟି ୪୧ ଲକ୍ଷ ୪ ହଜାର ଟଙ୍କା ଋଣ ପ୍ରଦାନ କରିଛନ୍ତି ଅର୍ଥାତ ଧାର୍ଯ୍ୟ ଲକ୍ଷ ହାସଲ କରି ଅତିରିକ୍ତ ଆଉ ୨ ଶତକଡା ଋଣ ପ୍ରଦାନ କରାଯାଇଛି | ଏହି ଋଣ ଯଥା ସମୟରେ ଗୋଷ୍ଠୀ ମାନେ ପରିଶୋଧ କଲେ ରାଜ୍ୟ ସରକାର ଋଣ ଯୋଗାଇ ଦେଇଥିବା ପ୍ରତ୍ୟେକ ଗୋଷ୍ଠୀଙ୍କ ଜମା ଖାତାରେ ମୋଟ ୫ କୋଟି ୪୧ ଲକ୍ଷ ୮୭ ହଜାର ୨୮୦ଟଙ୍କା ଜମା କରିବେ ବୋଲି ଡ଼ ସାହୁ କହିଥିଲେ | ଏହା ଦ୍ୱାରା ଗ୍ରାମାଞ୍ଚଳର ନାରୀ ମାନେ ଆର୍ଥିକ କ୍ଷେତ୍ରରେ ପୂର୍ଣ୍ଣ ସ୍ୱାଧୀନତା ହାସଲ କରିପାରିବେ ଏବଂ ସମାଜରେ ଏକ ଅଦ୍ଭୁତ ପୂର୍ବ ପରିବର୍ତନ ଦେଖିବାକୁ ମିଳବ। ନୟାଗଡ ଜିଲ୍ଲା ର ୮ଟି ବ୍ଲକ ମଧ୍ୟରେ ଓଡଗାଁ ବ୍ଲକ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ରହିଥିବା ବେଳେ ରାଜ୍ୟ ସରକାରଙ୍କ ରାଙ୍କିଙ୍ଗ ଅନୁସାରେ ୩୧୪ ବ୍ଲକରୁ ଓଡଗାଁ ବ୍ଲକ ୧୩ ରାଙ୍କରେ ଅଛି। ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ରାଜ୍ୟ ସରକାରଙ୍କ ୨୧ଟି ବିଭାଗରେ କାମ କରୁଥିବା ବେଳେ ଆଗକୁ ଏହାର ସଂଖ୍ୟା ବଢିବାର ଅଛି ଏଣୁ ମହିଳା ମାନେ ପରୋକ୍ଷ କର୍ମ ନିଯୁକ୍ତି ପାଇବାର ସମ୍ଭାବନା ରହିଛି ସେହିପରି ଜିଲ୍ଲା ଜଳ ବିଭାଜିକା ଯୋଜନା ଅନ୍ତର୍ଗତ ୧୧୮ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୪୪ହଜାର ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠିରୁ ବିନା ସୁଧରେ ୫୧ ଲକ୍ଷ୍ୟ ୯୨ ହଜାର ଟଙ୍କା ଋଣ ଯୋଗାଇ ଦିଆଯାଇଛି |

ଉଦଘାଟନୀ ସଭାରେ ନୟାଗଡ ବିଧାୟକଙ୍କ ସହିତ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ସଞ୍ଜୁକ୍ତା ପଢିହାରୀ, ଚିନ୍ମୟୀ ଦାଶ, ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥି, ଓଡଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଉପାଧ୍ୟକ୍ଷା ମୀରା ନାୟକ, ବିଡ଼ିଓ ସନ୍ତୋଷ କୁମାର ଜେନା, ନୟାଗଡ଼ ଡିପିଏମ, ଓଏଲଏମ ସଞ୍ଜୟ ମହାପାତ୍ର ବିଭିନ୍ନ ପଂଚାୟତର ଜନପ୍ରତିନିଧି ମାନେ ଯୋଗ ଦେଇ ନାରୀ ମାନଙ୍କ ମଧ୍ୟରେ ଲୁଚି ରହିଥିବା ଅନ୍ତର୍ନିହିତ ଶକ୍ତିର ବିକଶିତ କରିବା ପାଇଁ ଆହ୍ୱାନ ଦେଇଥିଲେ। ବ୍ଳକ ଡିପିଏମ, ଓଏଲଏମ ଆରତୀ ମହାପାତ୍ର,କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ କଲ୍ୟାଣୀ ମିଶ୍ର ସମୀର ମହାପାତ୍ର ଏବଂ ଅନ୍ୟ ସହକର୍ମୀ ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.