ଭୁବନେଶ୍ୱର , ୦୩/ ୦୩ : ନର୍ସମାନେ ତ୍ୟାଗ ଓ ସେବାର ପ୍ରତୀକ । ତାଙ୍କ ହାତରେ ମଣିଷର ଜୀବନ ନିର୍ଭର କରେ । ତେଣୁ ସେମାନେ ଯତ୍ନର ସହ ରୋଗୀ ସେବା କରନ୍ତୁ ବୋଲି ଗ୍ୱାଲିୟର ସ୍ଥିତ କ୍ୟାନ୍ସର ହିଲ ହସ୍ପିଟାଲ୍ର ଅବସରପ୍ରାପ୍ତ ଅଧ୍ୟକ୍ଷା ପ୍ରଫେସର ରେଣୁକା ଦାସ କହିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍ଏନ୍ସି) ର ନବାଗତ ତଥା ୨୦୨୨-୨୩ ବ୍ୟାଚ୍ର ପ୍ରଥମ ବର୍ଷ ବିଏସ୍ସି ନର୍ସିଂ ଏବଂ ଜିଏନ୍ଏମ୍ ଛାତ୍ରଛାତ୍ରୀମାନଙ୍କ ପ୍ରଦୀପ୍ତ ପ୍ରଜ୍ୱଳନ, ଶପଥ ଗ୍ରହଣ ତଥା କଲେଜର ବାର୍ଷିକ ଉତ୍ସବ ଅବସରରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଶୁକ୍ରବାର ପ୍ରଫେସର ଦାସ କହିଛନ୍ତି ଯେ, କ୍ଲାସ୍ ରୁମ୍ ପାଠ ସହ କ୍ଲିନିକାଲ୍ ଶିକ୍ଷାର ମଧ୍ୟ ଅନେକ ଗୁରୁତ୍ୱ ରହିଛି । ତେଣୁ ସାବଧାନତାର ସହ ରୋଗୀ ସେବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ଲେଖିକା ଶ୍ରୀମତି ପ୍ରୀତିଛନ୍ଦା ଧଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ ଯେ ପ୍ରତ୍ୟେକ ଚିକିତ୍ସାଳୟରେ ନର୍ସମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ସ୍ନେହ, ଭଲ ପାଇବା ଓ ଯତ୍ନ ନେବା ଶିକ୍ଷା କରିବା ଆବଶ୍ୟକ ବୋଲି ସେ କହିଥିଲେ ।
ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ କିଭଳି ବୟସ୍କ ବ୍ୟକ୍ତିମାନଙ୍କର ଯତ୍ନ ନେବା ସହ ହସ୍ପିଟାଲ୍ରେ ଉପଯୁକ୍ତ ରୋଗୀ ସେବା କରିବେ ସେ ଉପରେ ଗୁରୁତ୍ୱ ଦେଇଥିଲେ । ।
ଏହି ଅବସରରେ ପ୍ରଫେସର ଦେବଜାନୀ ନାୟକ ଛାତ୍ରଛାତ୍ରୀମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ୍ଙ୍କ ଶପଥ ପାଠ କରାଇଥିଲେ ।
କାର୍ଯ୍ୟକ୍ରମରେ ଏସ୍ଏନ୍ସି ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ, ଏସ୍ଏନ୍ସିର ଆସୋସିଏଟ୍ ଡିନ୍ ପ୍ରଫେସର ସସ୍ମିତା ଦାସ ଓ ପୂର୍ବତନ ନିର୍ଦ୍ଦେଶିକା ପ୍ରଫେସର ସରୋଜନଳିନୀ ପ୍ରଧାନ ବକ୍ତବ୍ୟ ରଖିଥିଲେ ।
Sign in
Sign in
Recover your password.
A password will be e-mailed to you.