
ବାରିପଦାରୁ ଦିଲ୍ଲୀପ ମହାନ୍ତି : ବାରିପଦା ଅର୍ବାନ ବ୍ୟାଙ୍କ ରୂଣ ଅନିୟମିତତା ମାମଲା: ପୂର୍ବତନ ବ୍ୟାଙ୍କ ସଭାପତି ତଥା ପୂର୍ବତନ ବିଧାୟକ ବିମଳା ଲୋଚନ ଦାସ ଓ ରୁଣୀ ଜୟନ୍ତ ମହାପାତ୍ରଙ୍କୁ ୧ ବର୍ଷ ଜେଲ ଓ ୧,୧୦,୦୦୦ ଟଙ୍କା ଜୋରିମାନା ! ଜୋରିମାନା ର ୯୫୦୦୦ ଯିବା ବ୍ୟାଙ୍କକୁ ! ଦୁଇଜଣ ବ୍ୟାଙ୍କ କର୍ମଚାରୀ କୁଳମଣି ସେଠି ଓ ସୁଧୀର ମହାପାତ୍ର ନିର୍ଦୋଷରେ ଖଲାସ ନିର୍ଦେଶ ଦେଇଛନ୍ତି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ତାରା ପ୍ରସାଦ ରଥ !
ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ବାରିପଦା ଆର୍ବାନ ବ୍ୟାଙ୍କରେ ଋଣ ପ୍ରଦାନ କ୍ଷେତ୍ରରେ ଅନିୟମିତତା ମାମଲାର ବିଚାର କରି ଆର୍ବାନ ବ୍ୟାଙ୍କର ପୂର୍ବତନ ସଭାପତି ସଭାପତି ତଥା ପୂର୍ବତନ ବାରିପଦା ବିଧାୟକ ବିମଳ ଲୋଚନ ଦାସ ଓ ଋଣୀ ଜୟନ୍ତ ମହାପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରାବା ସଂଗେସଂଗେ ଭାରତୀୟ ଦୁର୍ନୀତି ନିରୋଧ ଅଇନ ଧାରା ୧୩(୨), ୧୩(ବି)ରେ ଏକ ବର୍ଷ ସଶ୍ରମ କାରାଦଣ୍ଡ, ୧ ଲକ୍ଷ ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ସେହିପରି ଧାରା ୧୨୦(ବି)ରେ ମଧ୍ୟ ୧ ବର୍ଷ ସଶ୍ରମ କାରାଦଣ୍ଡ, ୧୦ ହଜାର ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ ୨ ମାସ କାରାଦଣ୍ଡର ରାୟ ଶୁଣାଇଛନ୍ତି । ଏହି ସମସ୍ତ ଦଣ୍ଡ ଏକକାଳୀନ ଲାଗୁ କରାଯିବ ଏବଂ ଜୋରିମାନା ରାଶି ମୋଟ ୧ ଲକ୍ଷ ୧୦ ହଜାର ଟଙ୍କା ଆଦାୟ ହେଲେ ଏଥିରୁ ୯୫ ହଜାର ଟଙ୍କା ବ୍ୟାଙ୍କକୁ ପ୍ରଦାନ କରିବାକୁ ରାୟରେ ଦର୍ଶାଇଛନ୍ତି । ଏଥି ସହିତ ବ୍ୟାଙ୍କର କର୍ମଚାରୀ କୁଳମଣି ସେଠୀ ଓ ସୁଧୀର ମହାପାତ୍ରଙ୍କୁ ଦୋଷ ମୁକ୍ତ କରାଇ ଦେଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ଆର୍ବାନ ବ୍ୟାଙ୍କରେ ବିମଳ ଲୋଚନ ଦାସ ସଭାପତି ରହିଥିବା ବେଳେ ୨୦୦୯ରେ ଜୟନ୍ତ ମହାପାତ୍ରଙ୍କୁ ଖଲିପତ୍ର ଓ ଶାଳପତ୍ର ବ୍ୟବସାୟ ନିମନ୍ତେ ବ୍ୟାଙ୍କର ଗାଇଡ଼ ଲାଇନକୁ ଅଣଦେଖା କରାଯାଇ ଆବଶ୍ୟକୀୟ କାଗଜପତ୍ର ନ ଥାଇ ଋଣ ପ୍ରଦାନ କରାଯାଇଥିଲା ଏବଂ ଏହି ଋଣକୁ ଜୟନ୍ତ ମହାପାତ୍ର ପରିଶୋଧ କରି ନ ଥିଲେ । ଯାହାର ସୁଧ ଓ ମୂଳ ମିଶି ୧ଲକ୍ଷ ୭୯ ହଜାରରେ ପହଁଞ୍ଚି ଥିଲା । ବାରିପଦା ଆର୍ବାନ ବ୍ୟାଙ୍କରେ ଏହି ପ୍ରକାରର ଋଣ ନେଣ ଦେଣ ଆଦି ବହୁବିଧ କ୍ଷେତ୍ରରେ ଅନେକ ଅନିୟମିତତା ଦେଖା ଦେଇଥିବାରୁ ବ୍ୟାଙ୍କ ଦେବାଳିଆ ଅବସ୍ଥାକୁ ଆସିଗଲା । ଜମାକାରୀମାନେ ସେମାନଙ୍କର ଜମା ରାଶି ଫେରି ପାଇବା ସମ୍ଭବ ହୋଇପାରିଲା ନାହିଁ । ବ୍ୟାଙ୍କ ଓ ଜମାକାରୀମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟରେ ଗତି କରୁଥିବା ବେଳେ ବାରିପଦା ଭିଜିଲାନ୍ସ ପକ୍ଷରୁ ବ୍ୟାଙ୍କ ଉପରେ ଚଢ଼ାଉ କରାଯାଇ କାଗଜ ପତ୍ର ଜବତ କରାଯାଇଥିଲା । ବ୍ୟାଙ୍କରେ ଋଣ ପ୍ରଦାନ ଆଦି ବିଭିନ୍ନ କ୍ଷେତ୍ରରେ ବହୁ ଅନିୟମିତତା ହୋଇଥିବାର ପ୍ରମାଣ ପାଇବା ପରେ ୨୦୧୧ ମାର୍ଚ୍ଚ ୧୧ ତାରିଖରେ ଭିଜିଲାନ୍ସରେ କେଶ ନଂ ୧୦/୨୦୧୧ ଅନୁସାରେ ଅଭିଯୁକ୍ତମାନଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । ଆଜି ଉକ୍ତ ମାମଲାରେ ରହିଥିବା ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି କୋର୍ଟ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଛି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣ ଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ, ଗତ ଅପ୍ରେଲ ୧୨ ତାରିଖରେ ମଧ୍ୟ ବାରିପଦା ଭିଜିଲାନ୍ସ କୋର୍ଟ ବାରିପଦା ଆର୍ବାନ ବ୍ୟାଙ୍କର ପୂର୍ବତନ ସଭାପତି ବିମଳ ଲୋଚନ ଦାସ ଓ ଋଣୀଙ୍କୁ ଦୋଷୀ ସାବ୍ୟସ୍ତ କରାଇଥିଲେ ।