ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ

0

ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟରେ ବିପର୍ଯ୍ୟସ୍ତ ରୋଗୀ ସେବାକୁ ନେଇ ଜନଅସନ୍ତୋଷ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟରେ ଡ଼ାକ୍ତର, ଫାର୍ମାସିଷ୍ଟ ଓ ନର୍ସମାନଙ୍କ ସ୍ୱେଚ୍ଛାଚାରୀ ମନୋଭାବ କାରଣରୁ ଭେଷଜ ମହାବିଦ୍ୟାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବାର ଅଭିଯୋଗ ହେଉଛି । ଗତ ଶୁକ୍ରବାର ରାତି ପ୍ରାୟ ସାଢେ଼ ୩ଟା ସମୟରେ ବାରିପଦା ପୌରପରିଷଦର ୱାଡର଼୍ ନଂ-୧୨ ବନ୍ଧସାହିର ସରୋଜିନୀ ଦାସ(୪୨) ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ପେଟରେ ବହୁତ ଯନ୍ତ୍ରଣା ଅନୁଭବ କରିବା ସହିତ ବାନ୍ତି ଆରମ୍ଭ ହୋଇଯାଇଥିଲା । ପରିବାରର ସଦସ୍ୟମାନେ ଭୟଭିତ ହୋଇପଡ଼ିଥିଲେ । ରୋଗୀ ସରୋଜିନୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟକୁ ନେଇ ଆସିଥିଲେ ଓ ମେଡ଼ିକାଲ କଲେଜରେ ପହଁଞ୍ଚିବା ବେଳକୁ ଭୋର ୪ଟା ହୋଇଯାଇ ଥିଲା । ଏହି ସମୟରେ ଆଶୁ ଚିକିତ୍ସା କେନ୍ଦ୍ରରେ(ଇମରଜେନ୍ସୀ ୱାଡରେ ) କୌଣସି ଡ଼ାକ୍ତର, ଫାର୍ମାସିଷ୍ଟ କିମ୍ବା ଷ୍ଟାଫ ନର୍ସକୁ ଦେଖିବାକୁ ମିଳି ନ ଥିଲା । ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିବା କାରଣରୁ ରୋଗୀଙ୍କୁ ଧରି ଆସିଥିବା ଅଭିରାମ ଦାସ ବ୍ୟତୀବ୍ୟସ୍ତ ହୋଇ ଅନେକ ଖୋଜାଖୋଜି କରିବା ପରେ ଶେଷରେ ଭୋର ୫ଟା ସମୟରେ ଏକ କର୍ମଚାରୀଙ୍କୁ ରୋଗୀ ବେଡ଼ରେ ଗଭୀର ନିଦ୍ରାରେ ଘୁଙ୍ଗୁଡ଼ି ମାରୁଥିବାର ଦେଖି ତାଙ୍କୁ ନିଦରୁ ଉଠାଇଥିଲେ । ୱାଡର଼୍ରେ ଝୁଲୁଥିବା ଡିଉଟି ତାଲିକା ଅନୁସାରେ ଡ଼ାକ୍ତର ସାହୁଙ୍କର ରାତିରୁ ସକାଳ ପର୍ଯ୍ୟନ୍ତ ଡ଼ିଉଟିରେ ରହିବାର ଥିଲା; ମାତ୍ର ତାଙ୍କୁ ମେଡ଼ିକାଲ କଲେଜରେ ଦେଖିବାକୁ ମିଳି ନ ଥିଲା । ଏହି ସମୟରେ ନିଦରୁ ଉଠିଥିବା କର୍ମଚାରୀ ଜଣକ ନର୍ସକୁ ଡ଼କାଇ ଆଣିବା ପରେ ନର୍ସ ଡ଼ାକ୍ତରଙ୍କୁ ଫୋନରେ କଲ ଦେଇଥିଲେ । ଡ଼ାକ୍ତର ଆସି ରୋଗୀକୁ ପରୀକ୍ଷାନିରୀକ୍ଷା କରିବା ବେଳକୁ ସକାଳ ହୋଇଯାଇଥିଲା । ବାରିପଦା ମେଡ଼ିକାଲ କଲେଜରେ ଚିକିତ୍ସାରେ ଅବହେଳା କାରଣରୁ ପୂର୍ବରୁ ରୋଗୀର ମୃତୁ୍ୟ ହୋଇଥିବାର ଅନେକ ଥର ଅଭିଯୋଗ ହୋଇଥିଲେ ମଧ୍ୟ କଲେଜ କତ୍ତୃପକ୍ଷ ଏଦିଗରେ ଯତ୍ନବାନ ହେବା ପରିବର୍ତ୍ତେ ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ ନ୍ୟାୟରେକୁ ଆପଣେଇ ନେଇଥିବାର ଅଭିଯୋଗ ହେଉଛି । ଏବିଷୟରେ ମେଡ଼ିକାଲ କଲେଜର ସୁପାରିଟେଣ୍ଡେଣ୍ଟ   ଡ଼ା. ସୋରେନଙ୍କ ପ୍ରତିକ୍ରୟା ଜାଣିବା ନିମନ୍ତେ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା । ସୂଚନା ଯୋଗ୍ୟ ଯେ, ଗତ ଶୁକ୍ରବାର ମୋରଡ଼ା ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତକୁ ନେଇ ବିଜେପି ପକ୍ଷରୁ ମୋରଡ଼ା ବନ୍ଦ ପାଳିତ ହୋଇଥିଲା । ତଥାପି ଡ଼ାକ୍ତରମାନେ କିଛି ଶିକ୍ଷା କରି ପାରିଲେ ନାହିଁ ।

 

Leave A Reply

Your email address will not be published.