ଟମାଟୋ ଚାଷ କରି କାନ୍ଦୁଛନ୍ତି ଚାଷୀ, ନାହିଁ ଶୀତଳ ଭଣ୍ଡାର କି ବଜାର ସୁବିଧା

0

ଅଭାବି ବିକ୍ରି, ଚିନ୍ତାରେ ଚାଷୀ

ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଓ ସୁବଳୟା ଦୈନିକ ବଜାରରେ ଟମାଟୋ ର ଅଭାବୀ ବିକ୍ରି ଦେଖାଯାଇଛି। ଚାଷୀ ଉଚିତ ମୂଲ୍ୟ ପାଉନଥିବାରୁ ସେମାନେ ଚିନ୍ତାରେ ରହିଛନ୍ତି। ଚାଷ ଭଲ ହୋଇଥିବାରୁ ଚାଷୀ ସକାଳୁ ବେପାରୀଙ୍କ ଅପେକ୍ଷାରେ ଜମିରେ ବସି ରହୁଛନ୍ତି। ଚାଷୀ ୨୫ କିଲୋ ଟମାଟୋ ଟ୍ରେକୁ ମାତ୍ର ୮୦ ରୁ ୯୦ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି।ଉଦ୍ୟାନ ଓ କୃଷି ବିଭାଗର ପ୍ରୋତ୍ସାହନରେ ଚାଷୀ ମାନେ ଟମାଟୋ ତଥା ଅନ୍ୟ ପନିପରିବା ଚାଷ କରୁଥିଲେ ହେଁ ସେସେବୁ ବିକ୍ରିବଟା ପାଇଁ କୈାଣସି ବଜାର ସୁବିଧା ନାହିଁ। ଏବେ ଅଞ୍ଚଳରେ ପ୍ରାୟ ଅତ୍ୟଧିକ ଟମାଟୋ ଅମଳ ହେଉଥିଲେ ହେଁ ଠିକ ସମୟରେ ବିକ୍ରି ହୋଇନପାରି ନଷ୍ଟ ହେଉଥିବା ଚାଷୀ ମାନେ କହିଛନ୍ତି। ଅଭାବି ବିକ୍ରିକୁ ଦୂରେଇବା ତଥା ଟମାଟୋ ସଂରକ୍ଷଣ ରଖିବା ପାଇଁ ଅଞ୍ଚଳରେ ବହୁଦିନରୁ ଏକ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଦାବି ହେଇଆସୁଛି। ବୀରମହାରାଜପୁର ବ୍ଳକର ପ୍ରେତକ ଗ୍ରାମରେ ବହୁ ଚାଷୀ ଟମାଟୋ ଚାଷ କରିଛନ୍ତି। ଏବେ ଟମାଟୋ ଅମଳ ହେଉଥିଲେ ହେଁ ସାଇତି ରଖିବା ପାଇଁ ଶୀତଳଭଣ୍ଡାର ନାହିଁ। ଫଲରେ ଚାଷୀମାନେ ନଷ୍ଟ ହେବା ଭୟରେ କିଲୋ ପିଛା ୩ ରୁ ୪ ଟଙ୍କା ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଅପରପକ୍ଷେ ବଜାରରେ ଟମାଟୋ ଅଧିକ ହେତୁ ବ୍ୟବସାୟୀ କ୍ଷତିସହି ନେବାକୁ ଅମଙ୍ଗ ହେଉଛନ୍ତି। ଚାଷୀ ନିଜ ଖର୍ଚ୍ଚରେ ଚଢାଧରରେ କିରୋସିନ କିଣି ପମ୍ପ ବସାଇ ପାଣି ଆଣି ଚାଷ କରିଛନ୍ତି।ସାର ଓ ବିହନ ମୂଲ୍ୟ ଭରଣା ପାଇଁ ନିଜେ ବଜାରରେ ବସି ବ୍ୟବସାୟ କରିବାକୁ ପଡ଼ୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି।ଅଭାବୀ ବିକ୍ରି କାରଣରୁ ଅନେକ ଚାଷୀ କ୍ଷେତରୁ ଟମାଟୋ ତୋଳୁ ନଥିବା ମଧ୍ୟ ଦେଖିବାକୁ ମିଳିଛି। ଅଭାବୀ ବିକ୍ରି ରୋକିବା ସହ ଜିଲ୍ଲା ପ୍ରଶାସନ ଚାଷୀଙ୍କ ସହ ସମନ୍ବୟ ରକ୍ଷାକରି ଅନ୍ୟତ୍ର ଟମାଟୋ ପଠାଇବାର ବ୍ୟବସ୍ଥା କଲେ ଉଚିତ ମୂଲ୍ୟ ମିଳିପାରନ୍ତା ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.