“ବନ୍ଧୁ” ସାମାଜିକ ଅନୁଷ୍ଠାନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

0

 ସତ୍ୟଭାମାପୁର ଉଚ୍ଚ ବିଦ୍ୟାଳୟ ୧୯୮୬  ମସିହା ମାଟ୍ରିକ ବ୍ୟାଚର  ଛାତ୍ରଛାତ୍ରୀଙ୍କବନ୍ଧୁ ମିଳନ

ଭୁବନେଶ୍ୱର :ଭୁବନେଶ୍ଵରଉପକଣ୍ଠ ବାଲିଅନ୍ତା ବ୍ଲକସ୍ଥିତ “ବନ୍ଧୁ”(ବୋନାଫାଏଟ୍ ଆସୋସିଏସନ ଫର ଡେଭେଲପମେଣ୍ଟ ଅଫ ନେଚର, ହେଲଥ୍ କେୟାର ଆଣ୍ଡ ଅଣ୍ଡର ପ୍ରିଭିଲେଜ୍ଡ ) ସାମାଜିକ ଅନୁଷ୍ଠାନର ତୃତୀୟ ବାର୍ଷିକ ଉତ୍ସବ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠାନ “ବନ୍ଧୁ ଓ୍ୱେଲଫେୟାର ଟ୍ରଷ୍ଟ”  ଭାବେ ପଞ୍ଜୀକୃତ ହେବା ସହ  ସଭ୍ୟସଭ୍ୟାମାନେ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟ ସମେତପଥପ୍ରାନ୍ତ ବୃକ୍ଷରୋପଣ, ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମରେ ରନ୍ଧାଖାଦ୍ୟ ବଣ୍ଟନ, ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଓ ଗୁରୁ ଦିବସ ଆଦିପାଳନ,ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ ଭଳି ବିଭିନ୍ନ ସାମାଜିକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ କରିଆସୁଛନ୍ତି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ଉପଦେଷ୍ଟା ତଥା ପ୍ରାକ୍ତନ ଶିକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ମଣ୍ଡଳ ଯୋଗଦେଇ ‘ବନ୍ଧୁ’ ଅନୁଷ୍ଠାନର  ଏଭଳି  ପ୍ରୟାସ  ଅତ୍ୟନ୍ତ ସ୍ଵାଗତଯୋଗ୍ୟ  ବୋଲି ପ୍ରକାଶ କରିବା ସହିତ  ଆଗାମୀ ଦିନରେ ସମାଜର ହିତ ପାଇଁ ସଭ୍ୟସଭ୍ୟାମାନେ ଆହୁରି ଅଧିକ ଭଲ କାମ କରିବେ ବୋଲି ଆଶା ପ୍ରକାଶ କରି ଉତ୍ସାହିତ କରିଥିଲେ  । ସ୍ଥାନୀୟ ରଙ୍ଗ ବଜାର ନିକଟସ୍ଥ ଅଲାରପୁରର, ମାଜାଗୁଳାଇ ସରସ୍ୱତୀ ଶିଶୁମନ୍ଦିରଠାରେ ଏହି  ଅନୁଷ୍ଠାନର ବାର୍ଷିକ ଉତ୍ସବ, ବାର୍ଷିକ ଅଧିବେଶନ ତଥା ସ୍ଥାନୀୟ ସତ୍ୟଭାମାପୁର ଉଚ୍ଚ ବିଦ୍ୟାଳୟର ୧୯୮୬ମସିହା ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ  ଶ୍ରୀଯୁକ୍ତ ମଣ୍ଡଳ ଏହା ପ୍ରକାଶ କରିଛନ୍ତି ।  ପ୍ରକାଶ ଥାଉକି, ସ୍ଥାନୀୟ ସତ୍ୟଭାମାପୁର ଉଚ୍ଚ ବିଦ୍ୟାଳୟର ୧୯୮୬  ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ନେଇ ବନ୍ଧୁସାମାଜିକ ଅନୁଷ୍ଠାନ ଗଠନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ  ମାଜାଗୁଳାଇ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ଶ୍ରୀକାନ୍ତ ଶେଖର ସାମନ୍ତରାୟ  ଯୋଗଦେଇ ଅନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିବା ସହିତ ଏହାର ଅଧିକ ଉନ୍ନତି ପାଇଁ ଗଠନମୂଳକ ପରାମର୍ଶ ଦେଇଥିଲେ ।

          ‘ବନ୍ଧୁ’ ଅନୁଷ୍ଠାନର ସଭାପତି  ଶ୍ରୀକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟସେବା ଶିବିର, ଯୋଗ ଶିବିର ଆଦି ଆୟୋଜନ ସାଙ୍ଗକୁ ସମ୍ଭାବ୍ୟ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସଚେତନତାକାର୍ଯ୍ୟକ୍ରମ କରାଯିବା ସମ୍ପର୍କରେ ଅନୁଷ୍ଠାନର ସଭାପତି ଶ୍ରୀ ଦାଶ ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଫଗୁ ସାମଲ ଯୋଗଦେଇ ବାର୍ଷିକ ବିବରଣୀ ପାଠ କରି ଅନୁଷ୍ଠାନ ତରଫରୁ କରାଯାଇଥିବା  ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରକାଶ  କରିଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ବାକଦେବୀ ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।ଏହି ଅବସରରେ ମା’ଜାଗୁଳାଇ ସରସ୍ୱତୀ ଶିଶୁମନ୍ଦିରର ପ୍ରତିଷ୍ଠାତା ସ୍ୱର୍ଗତ ଇଂ.ଚିତ୍ରସେନ ପରିଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ଓ ପରେ ପରେ ବିଦ୍ୟାଳୟ ପରିସରରେ ବୃକ୍ଷଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ ସରୋଜ କୁମାର ସାହୁ  ବାର୍ଷିକ ଖର୍ଚ୍ଚ ବିବରଣୀ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ‘ବନ୍ଧୁ’ ଅନୁଷ୍ଠାନର ଅନ୍ୟତମ ଉପଦେଷ୍ଟା ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ,ଭୁବନେଶ୍ୱରଶ୍ରୀ ପଠାଣି ରାଉତ, ଅନୁଷ୍ଠାନର  ଉପ ସଭାପତି ଶ୍ରୀମତୀ ସୁଚିସ୍ମିତା ଦାସ, ଉପଦେଷ୍ଟା ଶ୍ରୀମତୀ ଅନ୍ନପୂର୍ଣ୍ଣା ପାତ୍ର, ସହ ସମ୍ପାଦକ ଶ୍ରୀ ସନାତନ ଦାସଙ୍କ ସମେତ ଅନ୍ୟ ସମସ୍ତ ସଭ୍ୟସଭ୍ୟା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ୪୦ ଜଣ ବନ୍ଧୁ ଏକତ୍ରିତ ହୋଇ ପୁର୍ବସ୍ମୃତି ମନେ ପକାଇବା ସହ ନିଜ ନିଜର ଖୁସି ବାଣ୍ଟିଥିଲେ । ‘ବନ୍ଧୁ’ ଅନୁଷ୍ଠାନର ଅନ୍ୟତମ ଉପଦେଷ୍ଟା ତଥା ପୁରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମାହାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । 

Leave A Reply

Your email address will not be published.