ଭୁବନେଶ୍ୱର: “ରାଜନୈତିକ ଦାୟିତ୍ୱବୋଧ ପ୍ରଦର୍ଶନ ପରିବର୍ତ୍ତେ ଲୋକଙ୍କ ଭିତରେ ଈର୍ଷା, ଅସୂୟା ସୃଷ୍ଟି ସହିତ ଅପପ୍ରଚାରକୁ ଆୟୁଧ କରୁଛି ରାଜ୍ୟ ବିଜେପି । ରାଜ୍ୟ ପ୍ରଶାସନ ଯେତେସବୁ ଅପରାଧିକ ଘଟଣାର ପର୍ଦ୍ଦାଫାସ କରି ସମ୍ପୃକ୍ତ ଅପରାଧକୁ ନିର୍ଣ୍ଣୟ କରିବା ପାଇଁ ଆଇନ ଅନୁସାରେ ତଦନ୍ତ ଆରମ୍ଭ କରିଛନ୍ତି ରାଜ୍ୟ ବିଜେପି ସେଥିରେ ସହଯୋଗ କରିବା ପରିବର୍ତ୍ତେ ଓଲଟା ସରକାର ଓ ଶାସନ ବିରୁଦ୍ଧରେ ମନଗଢା ଅପପ୍ରଚାର ଜରିଆରେ ତଦନ୍ତକୁ ଦିଗ୍ଭ୍ରଷ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି । ଲୋକମତକୁ ବିଭ୍ରାନ୍ତି କରି ସରକାର ଓ ଶାସନ ବିରୁଦ୍ଧରେ ଭିତ୍ତିହୀନ ଅପବାଦର ରଟନା କରି ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଭାଜପାର ନେତାମାନେ ନିମ୍ନମାନର ରାଜନୈତିକ ଚରିତ୍ର ପ୍ରକଟ କରୁଛନ୍ତି । ଡିସେମ୍ବର ୨୬ ତାରିଖରେ ଶାସକ ବିଜୁ ଜନତା ତାର ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତି ପାଳନ କରିବାକୁ ଗଲାବେଳେ ଭାରତୀୟ ଜନତା ପାର୍ଟି ଏହାକୁ ବିରୋଧ କରି ରାଜ୍ୟବ୍ୟାପୀ ସତ୍ୟାଗ୍ରହର ଡାକରା ଦେଇଛି । ବିଜେଡି ନେତାମାନଙ୍କର ଚରିତ୍ର ସଂହାର କରିବା ସହିତ ସାଧାରଣ ଲୋକଙ୍କ ଭିତରେ ଈର୍ଷା, ଅସୂୟା ଏବଂ ଅଯଥା ତିକ୍ତତାର ବାତାବରଣ ସୃଷ୍ଟି କରିବା ପାଇଁ ପ୍ରୟାସ କରୁଛନ୍ତି । ଯୌନ କେଳେଙ୍କାରୀରେ ଅର୍ଚ୍ଚନା ନାଗଙ୍କ କଳା କାରନାମା ସମ୍ପର୍କରେ ଶ୍ରଦ୍ଧାଞ୍ଜଳି ଏବଂ ଅକ୍ଷୟ ପରିଜାଙ୍କ ଏତଲାକୁ ଭିତ୍ତି କରି ପୋଲିସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାମନଗର ଉପନିର୍ବାଚନ ବେଳେ ଆଗୁଆ ଘୋଷଣା କରିଥିଲେ ଯେ, ଏହି ମାମଲାରେ ପୁଳା ପୁଳା ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ ସମ୍ପୃକ୍ତ ଅଛନ୍ତି ଏବଂ ସେ ଏହାର ଇ.ଡ଼ି ଦ୍ୱାରା ତଦନ୍ତ କରାଇ ଶାସକ ଦଳର ନେତାମାନଙ୍କୁ ଜେଲ୍ରେ ଭରିବେ । ତାଙ୍କ ଘୋଷଣା ଅନୁସାରେ ଇ.ଡ଼ି ରାଜ୍ୟ ପୋଲିିସ୍ ହାତରୁ ତଦନ୍ତଭାର ନେଲା । ମାସ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରକୃତ ତଥ୍ୟ ଉଦ୍ଘାଟନ ହେଲାନାହିଁ କିମ୍ବା ତଦନ୍ତକାରୀ ସଂସ୍ଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଭବିଷ୍ୟବାଣୀକୁ ପ୍ରମାଣିତ କରିପାରିଲା ନାହିଁ । ସେହିଭଳି ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ପୋଲିସ୍ ଗୁରୁତର ସହିତ ତଦନ୍ତ କରି ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରି ଜେଲ୍କୁ ନେଇଥିଲେ । ଏହି ବିଭତ୍ସ କାଣ୍ଡର ତଦନ୍ତ ପୋଲିସ୍ ପ୍ରଶାସନ ଜାରି ରଖିଥିବା ବେଳେ ଭାଜପା ନେତାମାନେ ମନଗଢା ଅଭିଯୋଗ କରୁଛନ୍ତି ଏବଂ ଗୋବିନ୍ଦ ସାହୁଙ୍କୁ ପୋଲିସ୍ ହତ୍ୟା କରିଛି ବୋଲି ଆରୋପ କରୁଛନ୍ତି । ଏହା ଫଳରେ ପୋଲିସ୍ ତଦନ୍ତକୁ ବାଟବଣା କରି ପ୍ରକୃତ ଦୋଷୀକୁ ଘଣ୍ଟ ଘୋଡ଼ାଇବା ପାଇଁ ଭାଜପା ଚେଷ୍ଟା କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ” ବୋଲି ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି
ଡା. ଦାମୋଦର ରାଉତ କହିଛନ୍ତି “୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଗଠନ ହେଲାବେଳେ ଭାଜପା ସାଙ୍ଗରେ ଥିଲା ଏବଂ ୨୦୦୯ ମସିହା ପର୍ଯ୍ୟନ୍ତ ସରକାରର ଅଂଶଦାର ଭାବେ ରାଜ୍ୟ ଶାସନରେ ସମ୍ପୃକ୍ତ ଥିଲା । ତେବେ ୨୦୦୯ ମସିହା ନିର୍ବାଚନ ପୂର୍ବରୁ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡରେ ଭାଜପାର ସାମ୍ପ୍ରଦାୟିକ ଚରିତ୍ର ପ୍ରକଟ ହେବା କାରଣରୁ ନବୀନ ପଟ୍ଟନାୟକ ଭାଜପାର ହାତ ଛାଡ଼ିଦେଲେ । ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ନବୀନ ବାବୁଙ୍କ ନେତୃତ୍ୱରେ ନିର୍ବାଚନ ଲଢି ବିପୁଳ ଜନସମର୍ଥନ ହାସଲ କରି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି । ଏକ ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳ ଲଗାତର ୨୫ବର୍ଷ ଶାସନରେ ରହିବା ଜାତୀୟ ରାଜନୀତିରେ ଯେଭଳି ଇତିହାସ ସୃଷ୍ଟି କରିଛି ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ବ୍ୟକ୍ତିରୁ ଏବେ ରାଜ୍ୟବାସୀଙ୍କ ଆଗରେ ଏକ ଅନୁଷ୍ଠାନ ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି । ତାଙ୍କ ଶାସନ କାଳରେ ଓଡ଼ିଶା ଏକ ପଛୁଆ ରାଜ୍ୟରୁ ବିକଶିତ ରାଜ୍ୟରେ ପରିଣତ ହୋଇଛି । ରାଜ୍ୟର ଐତିହ୍ୟ ଏବଂ ସଂସ୍କୃତିର ବିକାଶ କ୍ଷେତ୍ରରେ ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥଙ୍କ ପରିକ୍ରମା, ସୂର୍ଯ୍ୟମନ୍ଦିର କୋଣାର୍କ ଏବଂ ଲିଙ୍ଗରାଜ ମନ୍ଦିରର ପରିକ୍ରମା ସହିତ କଟକର ଚଣ୍ଡୀମନ୍ଦିର ହେଉ କିମ୍ବା ତାରାତାରିଣୀ ପୀଠ ହେଉ, ଏହିସବୁ ପୀଠଗୁଡ଼ିକର ସଂରକ୍ଷଣ, ବିକାଶ ଏବଂ ପୁନରୁଦ୍ଧାର ଯେପରି କରାଯାଉଛି ତାର ପଟ୍ଟାନ୍ତର ନାହିଁ । ଶିଳ୍ପ ବିକାଶ କ୍ଷେତ୍ରରେ ଜାତୀୟ ଏବଂ ଆନ୍ତର୍ଜାତିକ କ୍ଷେତ୍ରରୁ ବିପୁଳ ପୁଞ୍ଜିନିବେଶ ପାଇଁ ଆଜି ଓଡ଼ିଶା ଏକ ଆକର୍ଷଣୀୟ କ୍ଷେତ୍ରରେ ପରିଣତ ହୋଇଛି ।”
ଡା. ରାଉତ ଆହୁରି ମଧ୍ୟ କହିଛନ୍ତି “ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଏବେ ଦେଶରେ ଅନ୍ୟତମ ରାଜ୍ୟ ହେଉଛି ଓଡ଼ିଶା । ବିଜୁ ସେତୁ ଯୋଜନା ହେଉ କିମ୍ବା ଜାତୀୟ ରାଜପଥ ବିକାଶ ହେଉ, ରାଜ୍ୟ ସରକାରଙ୍କ ସଫଳତା ଅବଶ୍ୟ ସ୍ୱୀକାର୍ଯ୍ୟ ଅଟେ । ଭୁବନେଶ୍ୱର ବିମାନ ବନ୍ଦର ଏବେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପରିଣତ ହେବା ସହିତ ଝାରସୁଗୁଡ଼ା ଏବଂ ମୟୁରଭଞ୍ଜର ରାସଗୋବିନ୍ଦପୁର ବିମାନବନ୍ଦରର ଉନ୍ନତିକରଣ ସହିତ ବାଲେଶ୍ୱର, ବାରିପଦା, ବଲାଙ୍ଗୀର, କୋରାପୁଟ ଓ କେନ୍ଦୁଝରରେ ସ୍ୱତନ୍ତ୍ର ମେଡ଼ିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱର ଏକ ଏକ ସଫଳ କାହାଣୀ । ସହରାଞ୍ଚଳରେ ବସ୍ତିବାସିନ୍ଦାଙ୍କ ଥଇଥାନ ଏବଂ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ବିକାଶର ଏକ ଅନନ୍ୟ ଉଦାହରଣ । କର୍ମନିଯୁକ୍ତି, ବୈଷୟିକ ଶିକ୍ଷା ଏବଂ ବିଭିନ୍ନ ବର୍ଗର ଜନସାଧାରଣଙ୍କ ପାଇଁ କଲ୍ୟାଣମୂଳକ ଯୋଜନା ମୁଖ୍ୟମନ୍ତ୍ରୀଙ୍କ ସୃଜନଶୀଳ ଚିନ୍ତା, ନେତୃତ୍ୱର ପରିକାଷ୍ଠା ଏବଂ ପ୍ରତ୍ୟକ୍ଷ କ୍ଷେତ୍ରରେ ନବଦିଗନ୍ତ ସୃଷ୍ଟି ରାଜ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ବେଳେ ଭାଜପା ନେତାମାନଙ୍କ ଭିତରେ ଈର୍ଷା, ଅସୂୟା ଓ ସାମ୍ପ୍ରଦାୟିକତାର ଯେଉଁ ବିଷ ବିତରଣ କରାଯାଉଛି, ତାକୁ ରାଜ୍ୟବାସୀ କେବେ ଗ୍ରହଣ କରିବେ ନାହିଁ ।”
“ବିଜୁ ଜନତା ଦଳ ପ୍ରତିଷ୍ଠା ହେବାର ରୌପ୍ୟଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମୀମାନଙ୍କୁ ଯେଉଁ ଦିଗ୍ଦର୍ଶନ ଦେବେ ତାହା ଆଗାମୀ୨୦୨୪ରେ ପ୍ରତିଫଳିତ ହେବ ଏବଂ ଦୁଇ ଜାତୀୟ ଦଳ ବିଶେଷକରି ଭାଜପା ୨୦୧୪ ମସିହାର ସ୍ଥିତିକୁ ଫେରିବ ଏଥିରେ ସନ୍ଦେହ ନାହିଁ ” ବୋଲି ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.