ଦାମୋଦର ରାଉତ

“ପଦ୍ମପୁର ନିର୍ବାଚନକୁ ଅବାଧ କରିବାପାଇଁ ସରକାରୀ କଳ ଚେଷ୍ଟା କରୁଥିବା ବେଳେ ହୁଏତ ଏହାକୁ ଅବରୋଧ ନିର୍ବାଚନ କରିବାପାଇଁ ବିରୋଧୀ ଲାଗିପଡିଛନ୍ତି l ପଦ୍ମପୁରକୁ ଜିଲ୍ଲା କରିବାପାଇଁ ହଠାତ ନାରାବାଜି ଆରମ୍ଭ ହୋଇଯାଇଛି l
ଏଠାରେ କିଛି କଥା ମନେ ପକାଇବା l 1993 ମସିହାରେ ବିଜୁବାବୁ 13 ଟି ଜିଲ୍ଲାକୁ 30 ଜିଲ୍ଲା କଲେ, ତତ୍କାଳୀନ ସମ୍ବଲପୁର ଜିଲ୍ଲା ବି ଚାରି ଭାଗରେ ବିଭକ୍ତ ହେଇଥିଲା l ସେତେବେଳେ କେହି ପଦ୍ମପୁର କଥା ଉଠାଇ ନଥିଲେ l ପରବର୍ତ୍ତୀ କାଳରେ କଂଗ୍ରେସ ସରକାର ଗଢ଼ିଥିଲା, କିନ୍ତୁ ତିନିଥରର ବିଧାୟକ ଏବଂ ବିଧାନସଭାରେ ସଚେତକ ସତ୍ୟଭୂଷଣ ସାହୁ ଏକଥା କେବେ ଉଠାଇନଥିଲେ l ଭାଜପାର ଯେଉଁ ପ୍ରଦୀପ ପୁରୋହିତ ଏବେ ବିଧାୟକ ପ୍ରାର୍ଥୀ ହୋଇଛନ୍ତି, ସେ ପୂର୍ବରୁ ମଧ୍ୟ ବିଧାୟକ ଥିଲେ କିନ୍ତୁ ଏକଥା କେବେ ଉଠାଇ ନାହାନ୍ତି l ଭାଜପା ଯେତେବେଳେ ବିଜେଡି ସରକାରରେ ଅଂଶୀଦାର ଥିଲେ, ସେତେବେଳେ ଭାଜପା ହାତରେ ରାଜସ୍ବ ବିଭାଗ ଥିଲା l ସେତେବେଳେ ଏଇ ଭାଜପା ପ୍ରାର୍ଥୀ କେବେ ଜିଲ୍ଲା କଥା ଉଠାଇ ନାହାନ୍ତି l ଆଜିପର୍ଯ୍ୟନ୍ତ ପଦ୍ମପୁର ମାମଲାରେ ଚୁପଥିବା ଏଇ ନେତା କିମ୍ବା ଦଳମାନେ ହଠାତ ହୋ-ହାଲ୍ଲା କରି ଜନମତକୁ ବିଭ୍ରାନ୍ତ କରିବାପାଇଁ ଚେଷ୍ଟା କରୁଛନ୍ତି l
ପଦ୍ମପୁର ଏକ ମରୁଡି ପ୍ରବଣ ଅଂଚଳ, ସେଠାରେ ଭୂତଳ ଜଳ ପର୍ଯ୍ୟାପ୍ତ ରହିଛି l ଭୂତଳ ଜଳକୁ କୃଷି କାର୍ଯ୍ୟରେ ନିୟୋଜିତ କରିବାପାଇଁ ସ୍ବର୍ଗତ ବିଜୁବାବୁ କୃଷକ କଲ୍ୟାଣ ଯୋଜନା କରିଥିଲେ ଏବଂ ସେତେବେଳେ ବଜେଟରେ ଦଶକୋଟି ଟଙ୍କାର ପ୍ରାବଧାନ କରିଥିଲେ l ପରବର୍ତ୍ତୀ କାଳରେ ଅନ୍ୟ ସରକାର ତାକୁ ବନ୍ଦ କରିଦେଇଥିଲେ l କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ନିଜର ପେଶା “ଚାଷୀ” ବୋଲି ଦର୍ଶାଇଛନ୍ତି, କିନ୍ତୁ ତିନିଥର ବିଧାୟକ ହେଲାପରେ ବି କେବେ ପଦ୍ମପୁରରେ ଗଛିତ ଭୂତଳ ଜଳକୁ କୃଷି ଉପଯୋଗୀ କରିବାପାଇଁ ଚେଷ୍ଟା କରିନାହାନ୍ତି l ଅନେକବର୍ଷ ଧରି ବିଜେଡି ସହ ଶାସନରେ ରହିବାପରେ ମଧ୍ୟ ଭାଜପା କେବେ ସ୍ଥାନୀୟ ଜଳସେଚନ କଥା ଉଠାଇ ନାହାନ୍ତି l ଏବେ ହଠାତ ନିର୍ବାଚନ ପରିପ୍ରେକ୍ଷୀରେ ଅନ୍ୟ କୌଣସି ଇସ୍ୟୁ ନପାଇ, ନିଜ ନିଜର ରାଜନୈତିକ ଦୁର୍ବଳତା ଲୁଚାଇବାକୁ ଯାଇ, ପଦ୍ମପୁର ପାଇଁ କୁମ୍ଭୀର କାନ୍ଦଣା କରି ଜନମତକୁ ପ୍ରଭାବିତ କରିବାପାଇଁ ବିରୋଧୀ ଦଳ ଚେଷ୍ଟା ଚଲାଇଛି l”
