ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ: ବିଜେଡି

0 2
  •  ବୀମା ଅର୍ଥ ନଦେବାର ଦୋଷକୁ ଏବେ ବିଜେପି ଓଡିଶା ମୁଣ୍ଡରେ ଲଦୁଛି

  •  ତୁରନ୍ତ ବୀମା ଅର୍ଥ ନମିଳିଲେ କ୍ଷମା କରିବେନି ପଶ୍ଚିମଓଡିଶାର ଚାଷୀ

ଭୁବନେଶ୍ୱର: ଏହି ଯୋଜନାଟି ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ଭାବରେ ନାମିତ ହୋଇଛି । ତେଣୁ ଫସଲ ବୀମା ଅର୍ଥ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବାକୁ ପଡିବ ବୋଲି କହିଛନ୍ତି ବିଜେଡି ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଯେହେତୁ କେନ୍ଦ୍ର ସରକାର ଓଡିଶାକୁ ଫସଲ ବୀମା ଦେୟ ପ୍ରଦାନ କରିବାର ଅଛି, ତେଣୁ ପଶ୍ଚିମ ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ସେମାନଙ୍କର ଫସଲ ବୀମା ଅର୍ଥ ସୁନିଶ୍ଚିତ କରିବା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡିଶାର ସମବାୟ ମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ନିୟମିତ ଉଦ୍ୟମ ଏବଂ ସମନ୍ୱୟ ରକ୍ଷା କରିଆସୁଛନ୍ତି ।
ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖି ଓଡିଶାର ଚାଷୀଙ୍କୁ ପଡି ରହିଥିବା ଫସଲ ବୀମା ଦେୟ ପ୍ରଦାନ ଲାଗି କହିଛନ୍ତି । ଓଡ଼ିଶାର ସମବାୟ ମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟି ଫସଲ ବୀମା ଅର୍ଥ ମଞ୍ଜୁର କରିବାକୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା ଓଡିଶାର କୃଷକମାନେ ସେମାନଙ୍କର ଫସଲ ବୀମା ଦେୟ ପାଇପାରିବେ ।
ତେବେ ଆଶ୍ଚର୍ଯ୍ୟଜନକ ଏବଂ ଦୁର୍ଭାଗ୍ୟଜନକର କଥା ହେଉଛି ଯେ ବିଜେପି ଓଡିଶାର ଚାଷୀଙ୍କୁ ବିଭ୍ରାନ୍ତ କରୁଛି ଏବଂ ଫସଲ ବୀମା ଦେୟ ପ୍ରଦାନ ନକରିବାର ଦୋଷକୁ ରାଜ୍ୟ ମୁଣ୍ଡରେ ଲଦୁଛି ।
କୃଷକମାନଙ୍କୁ ବିଭ୍ରାନ୍ତ କରିବା ଏବଂ ମିଥ୍ୟା ବିବୃତ୍ତି ଦେବା ପରିବର୍ତ୍ତେ, ଫସଲ ବୀମା ଦେବାର ବିଫଳତାକୁ ବିଜେପି ଗ୍ରହଣ କରିବା ଉଚିତ ଏବଂ ଓଡିଶା ଚାଷୀଙ୍କର ପଡି ରହିଥିବା ବୀମା ଅର୍ଥ ମଞ୍ଜୁର କରିବାକୁ ଦିଲ୍ଲୀ ସରକାରଙ୍କୁ କହିବା ଉଚିତ୍‍ । ଯଦି ବିଜେପି ପଶ୍ଚିମ ଓଡ଼ିଶାର କୃଷକମାନଙ୍କୁ ସେମାନଙ୍କର ପଡି ରହିଥିବା ଫସଲ ବୀମା ଅର୍ଥ ଶୀଘ୍ର ଦେବାରେ ବିଫଳ ହୁଏ, ତେବେ ଏହି ମିଥ୍ୟା ତଥା ଶୋଷଣ ପାଇଁ ଲକ୍ଷ ଲକ୍ଷ କୃଷକ ବିଜେପିକୁ କଦାପି କ୍ଷମା କରିବେ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

 

Leave A Reply

Your email address will not be published.