ଭୁବନେଶ୍ୱର,: ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ଉପରେ ଗୁରୁତ୍ୱାରୋପ ସହିତ ୨୦୪୭ ନିମନ୍ତେ ସାମୁଦ୍ରିକ ପରମ୍ପରାର ଏକ ଦସ୍ତାବିଜ୍ ସୃଷ୍ଟି କରିବା ନିମନ୍ତେ ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଏକ ତିନି ଦିନିଆ ଜାତୀୟ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ମଙ୍ଗଳବାର ଏଠାରେ ଉଦ୍ଘାଟିତ ହୋଇଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବରେ ଯୋଗ ଦେଇଥିବା ବକ୍ତାମାନେ ଭାରତର ସାମୁଦ୍ରିକ ଇତିହାସ ଉପରେ ଆଲୋକପାତ କରିଥିଲେ ।
ମଙ୍ଗଳବାର କାର୍ତିକ ପୂର୍ଣ୍ଣିମା ଅବସରରେ କଟକରେ ଉଦ୍ଘାଟିତ ହୋଇଥିବା ଐତିହାସିକ ବାଲିଯାତ୍ରା ସହିତ ଓଡ଼ିଶାର ମହାନ ସାମୁଦ୍ରିକ ସଂସ୍କୃତି ଓ ପରମ୍ପରାକୁ ନେଇ କେନ୍ଦ୍ର ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟର ଏକ ଅଂଗ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ୍ ଡିଭିଜନ୍), ସଂସ୍କୃତି ମନ୍ତ୍ରଣାଳୟ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଆନୁକୂଲ୍ୟରେ ଏହି କାର୍ଯକ୍ରମ ଆୟୋଜିତ କରାଯାଇଛି । ଏଥିରେ ଭାରତରେ ପ୍ରଚଳିତ ଏହି ମହାନ୍ ପରମ୍ପରା ସହ ବର୍ତମାନର ପରିସ୍ଥିତି ଓ ଭବିଷ୍ୟତର ସମ୍ଭାବନା ଆଲୋଚନା କରାଯିବ ।
ଏହି ୩ ଦିନିଆ ସମ୍ମିଳନୀର ଶେଷ ଦୁଇ ଦିନର କାର୍ଯ୍ୟକ୍ରମ କଟକ ଠାରେ ଅବସ୍ଥାପିତ ଓଡ଼ିଶା ସାମୁଦ୍ରିକ ସଂଗ୍ରାହାଳୟରେ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ଭାରତର ପ୍ରାଚୀନ ସାମୁଦ୍ରିକ ପରମ୍ପରା, ଜାହାଜ ନିର୍ମାଣ, ଜାହାଜ ଚଳାଚଳ, ବାଣିଜ୍ୟ ଏବଂ ସଂସ୍କୃତିର ଆଦାନପ୍ରଦାନ, ସାମୁଦ୍ରିକ ସୁରକ୍ଷା ଏବଂ ଆନ୍ତର୍ଜାତୀୟ ଆଇନ୍ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବ ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ତଥା ଲେଖକ ଶ୍ରୀ ସଞ୍ଜୀବ ସାନ୍ୟାଲ୍, ଆଇକେଏସ୍ ଡିଭିଜ୍ନ୍ର ଜାତୀୟ ସଂଯୋଜକ ପ୍ରଫେସର ଜି.ଏସ୍. ମୂର୍ତୀ, ଆଜାଦୀ କା ଅମୃତ ମହୋତ୍ସବର ନିର୍ଦ୍ଦେଶିକା ଶ୍ରୀମତି ପ୍ରିୟଙ୍କା ଚନ୍ଦ୍ରା ଏବଂ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।
ସୋଆର ୟୁନିଭର୍ସିଟି ଆଉଟ୍ରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଶ୍ରୀ ସାନ୍ୟାଲ୍ ନିଜ ଅଭିଭାଷଣରେ ଭାରତର ପୁରାତନ ସାମୁଦ୍ରିକ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଭାରତ ଏକ ମାତ୍ର ଦେଶ ଯାହାର ନାମରେ ଏକ ମହାସାଗର ନାମିତ କରାଯାଇଛି ବୋଲି କହିଥିଲେ । ବାଣିଜ୍ୟ, ସଂସ୍କୃତି, ଭୌଗୋଳିକ ତଥା ରାଜନୈତିକ ଦୃଷ୍ଟିକୋଣରୁ ପୁରାତନ କାଳରେ ଭାରତ ଦକ୍ଷିଣ-ପୂର୍ବ ଏସିଆରେ ପ୍ରଭାବ ବିସ୍ତାର କରିଥିଲା ବୋଲି ସେ କହିଥିଲେ । ଭାରତରେ ପ୍ରଚଳିତ ଜାହାଜର ନିର୍ମାଣ ପାଇଁ ପୁରାତନ ସିଲାଇ ଜ୍ଞାନକୌଶଳ ପୁନଃରୁଦ୍ଧାର ନିମନ୍ତେ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ ।
ସେହିପରି ପ୍ରଫେସର ମୂର୍ତୀ କହିଥିଲେ ଯେ ସମୁଦ୍ରମନ୍ଥନ କାର୍ଯ୍ୟକ୍ରମ ଭାରତର ପୁରାତନ ସାମୁଦ୍ରିକ ଇତିହାସ ଏବଂ ସଫଳତାକୁ ଗୁରୁତ୍ୱ ଦେବା ନିମନ୍ତେ ଆୟୋଜିତ । ଏହାକୁ ମାଧ୍ୟମ କରି ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଏକ ଭବିଷ୍ୟତ କାଯ୍ୟସୂଚୀ ପ୍ରସ୍ତୁତ କରିବା ନିମନ୍ତେ ପ୍ରଚେଷ୍ଟା କରାଯାଉଛି ବୋଲି ସେ କହିଥିଲେ ।
ସେ କହିଥିଲେ ଧାରା ଅଧିନରେ ଏ ପର୍ଯ୍ୟନ୍ତ ଗଣିତ ଶାସ୍ତ୍ରକୁ ଭାରତର ଅବଦାନ, ଭାରତୀୟ ପଞ୍ଜିକା, ଜ୍ୟୋର୍ତିବିଜ୍ଞାନ, ଆୟୁର୍ବେଦ ଓ ମାର୍ସିଆଲ୍ ଆର୍ଟ କ୍ଷେତ୍ର ଉପରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇସାରିଛି ।
Sign in
Sign in
Recover your password.
A password will be e-mailed to you.