ନୟାଗଡ଼ ଟାଉନ ଥାନା ପୁଲିସକୁ ବଡ ସଫଳତା : ଡକାୟତ ଗ୍ୟାଙ୍ଗ ସହ ୨ ଚୋରା ସୁନା ବେପାରୀ ଗିରଫ

0

ନୟାଗଡ଼(ବିଶ୍ଵଜିତ ନାୟକ) – ନୟାଗଡ଼ ଟାଉନ ଥାନା ପୁଲିସ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ୨ ଜଣ ଚୋରା ସୁନା ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ ହୋଇଛି । ଟାଉନ ଥାନା ପରିସରରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଅଲେଖ ପହି ସାମ୍ବାଦିକ ସମ୍ମିଳନିରେ ଏ ନେଇ ସୂଚନା ଦେଇଛନ୍ତି । ପୁଲିସ ଦ୍ୱାରା ଗିରଫ ହୋଇଥିବା ଡକାୟତ ମାନେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଲୋକଙ୍କ ଘରେ ପଶି ଚୋରି କରୁଥିଲେ । ମୁଖ୍ୟତଃ ଘର ତାଲା ପଡିଥିବା ସମୟରେ ଏମାନେ କୌଣସି ଉପାୟରେ ଘର ଭିତରେ ପଶି ସୁନା ଅଳଙ୍କାର ଲୁଟ କରୁଥିଲେ । ଚୋରି ସୁନା ଅଳଙ୍କାରକୁ ଗିରଫ ହୋଇଥିବା ବେପାରୀଙ୍କୁ ବିକ୍ରି କରିବା ପରେ ସେମାନେ ତାହାକୁ ତରଳାଇ ନୂଆ ଅଳଙ୍କାର ତିଆରି କରୁଥିଲେ । ପୁଲିସ ସେମାନଙ୍କ ଠାରୁ ସୁନା ଚେନ, ରାଣୀ ହାର, ଶଙ୍ଖା, ମୁଦି, କାନଫୁଲ, ପାଉଁଜି, ରୁପା ଗିନା, ରୁପା ମୂର୍ତ୍ତି ଜବତ କରିଛି । ଜବତ ଅଳଙ୍କାର ୭୫୦ ଗ୍ରାମରୁ ଉର୍ଧ୍ଵ ହେବ ବୋଲି ସୁଚନା ମିଳିଛି । ଜବତ ହୋଇଥିବା ଅଳଙ୍କାରର ମୂଲ୍ୟ କୋଡିଏ ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି |

ଗିରଫ ଅଭିଯୁକ୍ତ ମାନେ ହେଲେ ଫତେଗଡ଼ ଥାନା ଗୋଳାପୋଖରୀ ଗ୍ରାମର ଶଙ୍କର ପଲେଇ, ଓଡ଼ଗାଁ ଥାନା ଭାଡିକିଳା ଗ୍ରାମର ମନୋରଞ୍ଜନ ମହାରଣା, ବାଉଁଶିଆପଡ଼ା ଗ୍ରାମର ଶରତ ଚନ୍ଦ୍ର ମହାରଣା, ଇଟାମାଟି ଥାନା ମଜୁରିଆପଲୀ ଗ୍ରାମର ରମେଶ ଲେଙ୍କା, ନାରାୟଣ ପାଟଣା ଗ୍ରାମର ଲିଟୁ ସ୍ୱାଇଁ, ଓଡ଼ଗାଁ ଥାନା ଭାଡିକିଳା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାରଣା । ଗିରଫ ହୋଇଥିବା ସୁନା ବେପାରୀ ହେଲେ ଇଟାମାଟି ଥାନା କୃଷ୍ଣପ୍ରସାଦ ଗ୍ରାମର କାଳନ୍ଦୀ ସୁବୁଦ୍ଧି, ନୟାଗଡ଼ ଟାଉନ ଥାନା ସିଭିଲ କୋର୍ଟ ସାହି ସଞ୍ଜୟ ସିର୍କେ । ନୟାଗଡ଼ ଏସଡିପିଓ ଶୁଭେନ୍ଦୁ ସିହ୍ନା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲାବେଳେ ନୟାଗଡ଼ ଏସପିଙ୍କ ନେତୃତ୍ୱରେ ପୁଲିସ ଡକାୟତ ଦଳଙ୍କୁ ଧରିବାରେ ସଫଳ ହୋଇଥିବା ସୁଚନା ଦେଇଛନ୍ତି । ଏହି ଧରପଗଡ଼ରେ ନୟାଗଡ଼ ଟାଉନ ଥାନା ଅଧିକାରୀ ପ୍ରଜ୍ଞାପାରମିତା ଜେନା, ଖଣ୍ଡପଡ଼ା ଥାନା ଅଧିକାରୀ ରମେଶ ଦେବତା, ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ,ଏସଆଇ ଧର୍ମେନ୍ଦ୍ର ଶିଆଳ, ସଞ୍ଜୟ ନାୟକଙ୍କ ସମେତ ବହୁ ପୁଲିସ କର୍ମଚାରୀ ସାମିଲ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.