ଇଡକୋ ପରିଚାଳନା ନିର୍ଦ୍ଦେଶକଙ୍କ ରାଉରକେଲା ଗସ୍ତ

0

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା

ରାଉରକେଲା,(ବସନ୍ତ କୁମାର ଜେନା): ଇଡକୋ ପରିଚାଳନା ନିର୍ଦ୍ଦେଶକ ତଥା ହକି ବିଶ୍ୱକପ୍ ପାଇଁ ଓଏସଡି ଭାବେ ନିଯୁକ୍ତ ଶ୍ରୀଯୁକ୍ତ ଭୁପିନ୍ଦ୍ର ସିଂ ପୁନିଆ ସୋମବାର ଦିନ ରାଉରକେଲା ଗସ୍ତରେ ଆସିଥିଲେ। ସେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।

ରାଉରକେଲା ବିପିୟୁଟି କ୍ୟାମ୍ପସରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଚାଲିଛି। ସମୀକ୍ଷା ବେଳେ ଶ୍ରୀ ପୁନିଆ ମୁଖ୍ୟ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କଠାରୁ ପଚାରି ବୁଝିଥିଲେ। ନିର୍ଦ୍ଧାରିତ ସମୟ ସୁଦ୍ଧା ଷ୍ଟାଡିୟମ କାମ ଶେଷ କରିବା ଲାଗି ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ବିପିୟୁଟି କ୍ୟାମ୍ପସକୁ ଯାଇ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଥିଲେ।

୨୦୨୩ ହକି ବିଶ୍ୱକପ ପାଇଁ ରାଉରକେଲାରେ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ କରାଯାଉଛି। ଶ୍ରୀ ପୁନିଆ ରାସ୍ତା ନିର୍ମାଣ କାର୍ଯ୍ୟ ସହିତ ସୗନ୍ଦର୍ଯ୍ୟକରଣ, ପାନୀୟ ଜଳ ଯୋଗାଣ, ପାର୍କିଂ, ଟ୍ରାଫିକ୍ ବ୍ୟବସ୍ଥା ଏବଂ ସିସିଟିଭି ଲଗାଇବା ଆଦି ବିଷୟରେ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରକଳ୍ପସ୍ଥଳକୁ ଯାଇ ନିର୍ମାଣ କାର୍ଯ୍ୟର ନିୟମିତ ତଦାରଖ କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ରାଉରକେଲାରେ ଚାଲିଥିବା ସାଇନ୍ସ ପାର୍କ ଏବଂ ପ୍ଲାନେଟୋରିୟମ ସହିତ ରାଉରକେଲା ୱାନର ନିର୍ମାଣ କାର୍ଯ୍ୟ ସେ ସମୀକ୍ଷା କରିଥିଲେ।

ସମୀକ୍ଷା ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ତରାଇ, ଡେପୁଟି କମିଶନର ଶ୍ରୀଯୁକ୍ତ ସୁଧାଂଶୁ କୁମାର ଭୋଇ, ଶ୍ରୀମତୀ ସୀତାଦେବୀ ମାଝି, ଶ୍ରୀଯୁକ୍ତ ରୋନିତ କୁମାର, ରାଉରକେଲା ତହସିଲଦାର ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ମଲ୍ଲିକ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ମନୋଜ କୁମାର ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.