ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଶକ୍ତି ଉପାସନାର ପୂଜା ହେଉଛି ଦୁର୍ଗାପୂଜା । ବିଭିନ୍ନ କୁଳାଚାର ମତରେ ଷୋଳଦିନ, ନଅଦିନ କିମ୍ବା ତିନିଦିନ ଧରି ଏହା ପାଳିତ ହୋଇଥାଏ । ଶରତ ରୁତୁର ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦା ଠାରୁ ଦେବୀଙ୍କ ପୂଜାର ଉପଯୁକ୍ତ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଳ ପକ୍ଷରେ ବାସନ୍ତିନବରାତ୍ର ରୁପେ ମଧ୍ୟ ପାଳନ କରାଯାଇଥାଏ । ଦେବୀ ଓ କାଳିକା ପୁରାଣ ଆଧାରରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଇଥାଏ । ନବରାତ୍ରୀରେ ଦୁଃଖନାଶିନୀ ମା’ ଦୁର୍ଗାଙ୍କୁ ଶ୍ରଦ୍ଧା ସହକାରେ ପୂଜାକଲେ ଶରୀରକୁ ନବଶକ୍ତି ପ୍ରାପ୍ତ ହୋଇଥାଏ । ଗତ ୨ବର୍ଷ ଧରି କରୋନା ମହାମାରୀ କାରଣରୁ ବିଦ୍ଧିରକ୍ଷା ପୂର୍ବକ ପୂଜାର୍ଚ୍ଚନା ଚାଲିଥିବା ବେଳେ ଚଳିତ ବର୍ଷ ମା’ଙ୍କର ପୂଜା ଆଡମ୍ବର ସହକାରେ ପାଳିତ ହେଉଥିବା ଦେଖିବାକୁ ମିଳିଛି । ପ୍ରାୟତଃ ୧୯୫୯ ମସିହାରୁ ଓଡ଼ଗାଁ ଏନଏସିର ଏକମାତ୍ର ପୂଜା ମଣ୍ଡପ ଗ୍ୟାରେଜ ରୋଡ ଠାରେ କର୍ମଚାରୀମାନଙ୍କ ଦ୍ୱାରା ଦୁର୍ଗାପୂଜା ହୋଇଆସୁଥିଲା । ତେବେ ଗ୍ୟାରେଜ ବନ୍ଦ ହୋଇଯିବା ପରେ ସାଧାରଣ କେତେକ ବ୍ୟକ୍ତିଙ୍କ ଉଦେଯାଗରେ ବଂଚି ରହିଥିବା ଏହି ପୂଜା ମଣ୍ଡପରେ ଚଳିତ ବର୍ଷ ୬୩ ତମ ସାର୍ବଜନିନ ଦୁର୍ଗାପୂଜା ମହାଡମ୍ବରରେ ପାଳିତ ହେଉଛି । ନାନାରଙ୍ଗର ଆଲୋକ ମାଳାରେ ପୁଜାମଣ୍ଡପ ଆକର୍ଶଣୀୟ ହୋଇଉଠିିଛି । ଆଦ୍ୟାଶକ୍ତିଙ୍କ ଆବାହନ ପାଇଁ ସ୍ତବ, ସ୍ତୁତି, ପ୍ରାର୍ଥନା ସହିତ ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଏଥିସହିତ ସ୍ଥାନୀୟ ଶ୍ରୀରଘୁନାଥଙ୍କ ମନ୍ଦିର ପରିଷରରେ ଅବସ୍ଥିତ ମା’ ବିମଳା, ରାମସାଗର ନିକଟରେ ଥିବା ରାମଚଣ୍ଡୀ ମନ୍ଦିର, ତହସିଲ ଅଫିସ ସାମ୍ନା ମା’ହେମାମାଳୀ ମନ୍ଦିର, ଦଲକ ଛକରେ ଅବସ୍ଥିତ ଗୟଳସିଂ ମନ୍ଦିର, ଗୈାଡପୁଟ ନିକଟ ବୁଢାବୁଢିଆଣୀ ମନ୍ଦିର, ରଙ୍ଗଣିପାଟଣାର ବାଗଦେବୀ ପୀଠ ସହିତ କୁରାଳ ଚଣ୍ଡେଶ୍ୱେର ବଣିକସଂଘ ପୂଜା ମଣ୍ଡପରେ ଶୋଡଷ ଉପଚାରରେ ମା’ଙ୍କର ପାରମ୍ପରିକ ପୂଜାର୍ଚ୍ଚନା ରୀତିନୀତି ସହକାରେ ପାଳିତ ହେଉଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post