ରେଳବାଇ ଟିକେଟ କଳାବଜାରୀ ଅଭିଯୋଗରେ ଟ୍ରାଭେଲ ଏଜେନ୍ସି ମାଲିକ ଗିରଫ

0

ବଡ଼ବିଲ (ଶାସକ ପ୍ରଶାସକ): ରେଳବାଇ ଟିକେଟ ବୁକିଂରେ କଳାବଜାରୀ କରୁଥିବା ଅଭିଯୋଗରେ ବଡବିଲରେ ରେଳବାଇ ପୋଲିସର ଏକ ସ୍ପେଶାଲ ଟିମ ଚଢ଼ାଉ କରିଛି। ବଡ଼ବିଲ ମେନ୍‌ରୋଡ ସ୍ଥିତ ଆଇଆରସିଟିସିର ଅଧିକୃତ ଏଜେନ୍ସି ସି. ବି. ଟ୍ରାଭେଲ୍ସ ଉପରେ ଏହି ଚଢାଉ ହୋଇଥିବାର ସୂଚନା ମିଳିଛି। ସଂପୃକ୍ତ ଟ୍ରାଭେଲ ଏଜେନ୍ସିରୁ ୩୦ଟି ଟିକେଟ, କମ୍ପ୍ୟୁଟର ଓ ମୋବାଇଲ ଫୋନ୍ ଜବତ ହେବା ସହ ଏଜେନ୍ସି ମାଲିକ ଅବସର୍ ମକସୁଦକୁ ଗିରଫ୍ କରାଯାଇଥିବା ଜଣାପଡିଛି। ମକସୁଦ୍ ଆଇଆରସିଟିସିର ଅଧିକୃତ ଆଇଡି ବ୍ୟବହାର ପରିବର୍ତ୍ତେ ଅନ୍ୟ ଆଇଡି ବ୍ୟବହାର କରି ଟିକେଟ ବୁକିଂ କରୁଥିଲେ ଏବଂ ଧାର୍ଯ୍ୟ ମୂଲ୍ୟଠାରୁ ବହୁ ଅଧିକ ଦରରେ ଟିକେଟ ବ୍ଲାକ କରୁଥିବାର ରେଳ ବିଭାଗ ଜାଣିବାକୁ ପାଇଥିଲା। ଏନେଇ ସି. ବି. ଟ୍ରାଭେଲ୍ସ ଉପରେ ଅନେକ ଦିନରୁ ନଜର ରଖିଥିଲେ ରେଳ ବିଭାଗ ଅଧିକାରୀ। ସୋମବାର ସନ୍ଧ୍ୟାରେ ଚକ୍ରଧରପୁର ରେଳବାଇ ଡିଭିଜନର ଏହି ସ୍ପେଶାଲ୍ ଟିମ୍ ବଡ଼ବିଲ ପୋଲିସ୍ ସହାୟତାରେ ସଂପୃକ୍ତ ଟ୍ରାଭେଲ ଏଜେନ୍ସି ଉପରେ ଅଚାନକ ଚଢାଉ କରିଥିଲେ। ମକସୁଦ୍ କେବେ ଠାରୁ ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ ଏବଂ ରେଳବାଇକୁ କେତେ ଚୂନ ଲଗାଇଛନ୍ତି ସେନେଇ ଘଟଣାର ଅଧିକ ତଦନ୍ତ ପାଇଁ ଜବତ୍ କମ୍ପ୍ୟୁଟର ଏବଂ ମୋବାଇଲ୍ ଫୋନକୁ ସାଇବର ସେଲକୁ ଯାଞ୍ଚ ପାଇଁ ପଠାଯିବ ବୋଲି ରେଳବାଇ ପୋଲିସ ଅଧିକାରୀ ଟି ମଣ୍ଡଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.