କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ଦ୍ଵାରା ସାର୍ବଜନିକ ଇସ୍ପାତ ଉଦ୍ୟୋଗ ନିମନ୍ତେ କର୍ପୋରେଟ କ୍ରୀଡାନୀତି ଉନ୍ମୋଚିତ 

0

ରାଉରକେଲା :  ଦେଶର କ୍ରୀଡା ପ୍ରତିଭାଙ୍କ ପୃଷ୍ଠପୋଷଣ ତଥା ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଅଧିକ ସଂଖ୍ୟକ ମେଡାଲ ଆଶାୟୀ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଇସ୍ପାତ ମନ୍ତ୍ରଣାଳୟ ଏହାର ଅଧିନସ୍ଥ ସାର୍ବଜନିକ ଇସ୍ପାତ ଉଦ୍ୟୋଗଗୁଡିକ ନିମନ୍ତେ ପ୍ରଥମ ଥର ପାଇଁ ଏକ କ୍ରୀଡାନୀତିର ଶୁଭାରମ୍ଭ କରିଛି । ଏହି ଚୁଡାନ୍ତ କ୍ରୀଡାନୀତିକୁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ, ଶ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହ ନୂଆଦିଲ୍ଲୀ ସ୍ଥିତ ସ୍କୋପ ମିନାରରେ ଆୟୋଜିତ ଏକ ଉତ୍ସବରେ  ଅଗଷ୍ଟ ୨୭ ତାରିଖରେ ଉନ୍ମୋଚିତ କରିଥିଲେ। ଏହି ଅବସରରେ ଏନଏମଡ଼ିସି ଲିମିଟେଡର ସିଏମଡ଼ି ତଥା ଇସ୍ପାତ ମନ୍ତ୍ରଣାଳୟର କ୍ରୀଡା କମିଟି ଅଧ୍ୟକ୍ଷ, ଶ୍ରୀ ଏନ ବୈଜେନ୍ଦ୍ର କୁମାର, ଇସ୍ପାତ ମନ୍ତ୍ରଣାଳୟର ସ୍ଵତନ୍ତ୍ର ସଚିବ ଓ ଅର୍ଥ ପରାମର୍ଶଦାତା ତଥା ସେଲ ଅଧ୍ୟକ୍ଷ, ଶ୍ରୀ ସରସ୍ଵତୀ ପ୍ରସାଦ, ଆଇଏଏସ ଏବଂ ଇସ୍ପାତ ମନ୍ତ୍ରଣାଳୟ ଓ ସିପିଏସଇ ଗୁଡିକର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

            ନିଜର ଉଦବୋଧନରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ କହିଥିଲେ ଯେ, ସମ୍ପ୍ରତି କ୍ରୀଡା, ସାମାଜିକ ପରିବର୍ତ୍ତନର ଅନ୍ୟତମ ବାର୍ତ୍ତାବହ ସାଜିଛି ଏବଂ ଏହାକୁ ସମୟ ଅପଚୟ ମନୋଭାବ ବଦଳରେ କ୍ୟାରିୟର ବିକଳ୍ପ ରୂପେ ଅନେକ ଲୋକ ଗ୍ରହଣ କରୁଛନ୍ତି। କ୍ରୀଡା ଜାତୀୟ ବିକାଶର ଏକ ମାପଦଣ୍ଡ ବୋଲି ସେ ଉଲ୍ଲେଖ କରିଥିଲେ ଏବଂ କ୍ରୀଡାର ପ୍ରସାର ପାଇଁ ସମସ୍ତ ପ୍ରତିଷ୍ଠାନ ଆଗଭର ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଭାରତର ଇସ୍ପାତ ଉଦ୍ୟୋଗ ଜିଡ଼ିପିରେ ୨ଞ୍ଝରୁ ଅଧିକ ଯୋଗଦାନ ଦେଉଛି , ତେଣୁ ଇସ୍ପାତ ଉଦ୍ୟୋଗ କ୍ରୀଡା କ୍ଷେତ୍ରରେ ମଧ୍ୟ ଅନୁରୂପ ଯୋଗଦାନ ଦେଇପାରିବ।

               ସାର୍ବଜନିକ ଇସ୍ପାତ ଉଦ୍ୟୋଗଗୁଡିକର ପ୍ରୋତ୍ସାହନ ଫଳରେ କ୍ରୀଡା କ୍ଷେତ୍ରରେ ଦେଶକୁ ଅନେକ ମେଡାଲ ହାସଲ ହୋଇଥିବା ଏବଂ ଭିତ୍ତିଭୂମିରେ ଉନ୍ନତି ସାଧନକୁ ନେଇ କେନ୍ଦ୍ରମନ୍ତ୍ରୀ ସନ୍ତୁଷ୍ଟି ବ୍ୟକ୍ତ କରିଥିଲେ। ଏଥିପୂର୍ବରୁ ଶ୍ରୀ ଏନ ବୈଜେନ୍ଦ୍ର କୁମାର କହିଥିଲେ ଯେ, ଏହି କ୍ରୀଡାନୀତି କ୍ରୀଡାବିତମାନଙ୍କୁ ଉନ୍ନତତର ସୁବିଧା ହାସଲରେ ସହାୟକ ହେବ ଏବଂ ସେମାନେ ସାମଗ୍ରିକ ତାଲିମ, ସୁସ୍ଵାସ୍ଥ୍ୟ, ପ୍ରତିଯୋଗିତାମୂଳକ ଉତ୍କର୍ଷତା, ଜୀବିକା, ସାମାଜିକ ସଂଗତି ଓ ସଦିଚ୍ଛା ଲାଭ ପୂର୍ବକ ଉପକୃତ ହେବେ ।  

            ଶ୍ରୀ ସରସ୍ଵତୀ ପ୍ରସାଦ ନିଜର ବକ୍ତବ୍ୟରେ କହିଥିଲେ ଯେ, ଏହି ନୂତନ କ୍ରୀଡାନୀତି ସମାଜରେ ପରିବର୍ତ୍ତନ ଆଣିବ। ଦେଶର ବିଭିନ୍ନ ଭାଗରେ କ୍ରୀଡାକୁ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ସେଲ ଦ୍ଵାରା ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରୟାସ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ।   ଏନଏମଡ଼ିସିଆର କାର୍ମିକ ବିଭାଗର ନିର୍ଦ୍ଦେଶକ, ଶ୍ରୀ ସନ୍ଦୀପ ତୁଲା ନିଜର ସ୍ଵାଗତ ଅଭିଭାଷଣରେ ନୂତନ କ୍ରୀଡାନୀତି ସମ୍ପର୍କରେ ଆଲୋକପାତ କରିଥିଲେ। ସେଲର କର୍ପୋରେଟ ବ୍ୟାପାର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଏମ ସି ଅଗ୍ରୱାଲ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ ଆନ୍ତର୍ଜାତୀୟ କ୍ରୀଡାବିତ, ଶ୍ରୀ ପ୍ରେମ ସିଂହ ଏବଂ ମାରାଥନ ଧାବକ, ଡକ୍ଟର ସୁନିତା ଗୋଡ୍ରା ତଥା ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।  

 

 

Leave A Reply

Your email address will not be published.