ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା  ଦାବି ରଖିବି : କଳିକେଶ 

0

ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କ ସହ ସାଂସଦଙ୍କ ଆଲୋଚନା  : ସବୁ କଲେଜର ରହିଥିବା ସମସ୍ୟା ପର୍ଯ୍ୟାୟକ୍ରମେ ଦୂର କରାଯିବ 

ବଲାଙ୍ଗୀର /ନିରୋଜ ମିଶ୍ର :  ସ୍ଥାନୀୟ ରାଜେନ୍ଦ୍ର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ସହରର ବିଭିନ୍ନ କଲେଜର ସମସ୍ୟାର ସମାଧାନ ପାଇଁ ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ପ୍ରଚେଷ୍ଟାରେ ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇ ଅଛି । ଏହି ବୈଠିକର ବଲାଙ୍ଗିର ରାଜେନ୍ଦ୍ର ଶ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବିନୟତୋଷ ଜେନା, ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଷମା ମଞ୍ଜରି ନାୟକ, ବଲାଙ୍ଗିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଶୋକ କୁମାର ମାହାପାତ୍ର ଏବଂ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁରେନ୍ଦ୍ର କୁମାର ପଟେଲ ଉପସ୍ଥିତ ରହି ନିଜ ନିଜ ମହାବିଦ୍ୟାଳୟର ସମସ୍ୟା ଗୁଡିକୁ ସାଂସଦଙ୍କୁ ଜଣାଇଥିଲେ । ପ୍ରଥମେ ସାଂସଦ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଷମା ମଞ୍ଜରୀ ନାୟକଙ୍କ ସହ ତାଙ୍କ କଲେଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ତାଙ୍କର ପ୍ରସ୍ତାବ ଅନୁସାରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଅଧ୍ୟାପକ ପଦବୀ ପୁରଣ ସହିତ ଲ୍ୟାବ୍ରୋଟୋରୀ ଆଷିଷ୍ଟାଣ୍ଟ ଆଦି  ଅଣଶିକ୍ଷକ ପଦବୀ ଯଥାଶିଘ୍ର ପୁରଣ ପାଇଁ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀମତୀ ନାୟକ ଅତିଥି ଅଧ୍ୟାପକମାନଙ୍କ ସକାଶେ  କିଛି ସ୍ୱତନ୍ତ୍ର ଏବଂ ଯଥେଷ୍ଟ ନିତିନୀୟମାବଳୀ ନଥିବାରୁ ଏହି କ୍ଷେତ୍ରରେ ଅନେକ ଅସୁବିଧା ହେଉଥିବା କଥା ଉଠାଇଥିଲେ । ସାଂସଦ ଏହି ସବୁ ବିଷୟକୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗରେ ଉପସ୍ଥାପନ କରି ଏହାର ଯଥାଶିଘ୍ର ସମାଧାନ ପାଇଁ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୃତି ଦେଇଥିଲେ । ରାଜେନ୍ଦ୍ର ଶ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ତରଫରୁ କଲେଜର ଶିକ୍ଷକ ଓ କର୍ମଚାରୀ ଅଭାବ, କଲେଜ ଗେଟ ଏବଂ ସଭାଗୃହ ଇତ୍ୟାଦି ବିଷୟରେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାଂସଦ ମଧ୍ୟ ବିଭାଗୀୟ ଅଧିକାରୀକୁ ଡକାଇ କଲେଜର ଗେଟ, ସଭାଗୃହ ଇତ୍ୟାଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ନିତ କରିବା ପାଇଁ ସମସ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ  ଦେଇଥିଲେ । ଅଧ୍ୟାପକ ଏବଂ କର୍ମଚାରୀର ଅଭାବକୁ କିଭଳି ସମାଧାନ କରାଯାଇ ପାରିବ ସେ ଦିଗରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ସହିତ ଆଲୋଚନା କରି ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୃତି ଦେଇଥିଲେ । ବଲାଙ୍ଗିର ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଶୋକ ମହାପାତ୍ର ଶିକ୍ଷକ ଏବଂ କର୍ମଚାରୀ ଅଭାବ ବ୍ୟତିତ ନବନିର୍ମିତ ମହାବିଦ୍ୟାଳୟକୁ ରାସ୍ତା ଏବଂ ମହାବିଦ୍ୟାଳର ଚାରିପଟେ ପାଚେରୀ ନିର୍ମାଣର ଦାବୀ କରିଥିଲେ । ସାଂସଦ ମହାବିଦ୍ୟାଳୟରେ ପାଚେରୀ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ  ଦେଇଥିଲେ । ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁରେନ୍ଦ୍ର କୁମାର ପଟେଲ ମହାବିଦ୍ୟାଳୟର ବିଶେଷଜ୍ଞ ପ୍ରଫେସର ମାନଙ୍କ ଅଭାବ ଯୋଗୁଁ ହେଉଥିବା ଅସୁବିଧା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ମହାବିଦ୍ୟାଳୟ ତତ୍ତ୍ୱାବଧାନରେ ଥିବା ଶାରଦେଶ୍ୱରୀ କବିରାଜ ଖାନାର ପରିସର ଅସୁରକ୍ଷିତ ରହୁଥିବାରୁ ତାର ଉପଯୁକ୍ତ ମରାମତି ପାଇଁ ଦାବୀ କରିବା ସଙ୍ଗେ ସଙ୍ଗେ ସୁରକ୍ଷା ବ୍ୟବସ୍ଥା କଥା ମଧ୍ୟ ଉଠାଇଥିଲେ । ସାଂସଦ ଏ ବିଷୟକୁ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ସାଂସଦ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କୁ ସେହି ନିଜ ନିଜମହାବିଦ୍ୟାଳୟ ଗୁଡିକର ସମସ୍ୟା ଲିଖିତ ପତ୍ର ମାଧ୍ୟମରେ ତାଙ୍କୁ ଦେବା ପାଇଁ ଅନୁରୋଧ କରିଥିଲେ ଏବଂ ଏହା ଦ୍ୱାରା ରାଜ୍ୟ ସରକାରଙ୍କ ପାଖରେ ସମସ୍ୟାର ସମାଧାନ ପାଇଁ ଦୃଢ ପଦକ୍ଷେପ ନେବା ସମ୍ଭବ ହେବ ବୋଲି ମଧ୍ୟ ପ୍ରକାଶ କରିଥିଲେ । ଏହି ସମସ୍ତ ଦାବୀ ସହିତ ରାଜେନ୍ଦ୍ର ଶ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା ପାଇଁ ନିଜସ୍ୱ ଦାବୀ ସାଂସଦ ଆଗାମୀ ୩୧ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ସମୟରେ ତାଙ୍କଠାରେ ବ୍ୟକ୍ତିଗତ ଭାବରେ ଉପସ୍ଥାପନ କରିବେ ବୋଲି ସୁଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜେନ୍ଦ୍ର ମହାବିଦ୍ୟାଳୟର ପ୍ରଫେସର ରବିଶଙ୍କର ପାଣ୍ଡିଆ, ଅକ୍ଷୟ ମିଶ୍ର, ଦୁର୍ଗା ମାଧବ ମହାପାତ୍ର, ପବିତ୍ର ମୋହନ ଦେବତାଙ୍କ ସମେତ ଛାତ୍ର ସଂସଦର ତରଫରୁ ଦିପକ ପଣ୍ଡା, ପ୍ରବିଣ ରଣା, ସୁମନ ନନ୍ଦ, ତେଜରାଜ ଚୌଧୁରୀ, ଆଲୋକ ପଣ୍ଡା, ବ୍ୟାସ ପଣ୍ଡା ଏବଂ ଜିଲ୍ଲା ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ୍ ପ୍ରମୁଖ  ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.